ଆମେରିକାରେ ବଡ ବ୍ୟାଙ୍କିଙ୍ଗ ସଙ୍କଟ, ସିଲିକନ ଭ୍ୟାଲି ବ୍ୟାଙ୍କ ବନ୍ଦ କରିବାକୁ ନିର୍ଦ୍ଦେଶ
11/03/2023 at 8:30 AM

ନୂଆଦିଲ୍ଲୀ ୧୧/୦୩: ଆମେରିକାରେ ପୁଣିଥରେ ବଡ ବ୍ୟାଙ୍କିଙ୍ଗ ସଙ୍କଟ ସୃଷ୍ଟି ହୋଇଛି । ଆମେରିକା ରେଗୁଲେଟର ଦେଶର ସବୁଠାରୁ ବଡ ବ୍ୟାଙ୍କ ମଧ୍ୟରୁ ଅନ୍ୟତମ ସିଲିକନ ଭ୍ୟାଲି ବ୍ୟାଙ୍କ (ଏସ୍ଭିବି)କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛି । ରିପୋର୍ଟ ଅନୁସାରେ କାଲିଫର୍ଣ୍ଣିଆର ଡିପାର୍ଟମେଣ୍ଟ ଅଫ୍ ଫାଇନାନ୍ସିଆଲ ପ୍ରୋଟେକ୍ସନ ଆଣ୍ଡ ଇନୋଭେସନ ଏହି ବ୍ୟାଙ୍କକୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଇଛି । ଏଥିସହିତ ଫେଡେରାଲ ଡିପୋଜିଟ ଇନ୍ସ୍ୟୁରାନ୍ସ କର୍ପୋରେସନ (ଏଫଡିଆଇସି)କୁ ବ୍ୟାଙ୍କର ରିସିଭର ନିଯୁକ୍ତ କରିଛି ।
ବ୍ୟାଙ୍କରେ ଜମା ଗ୍ରାହକଙ୍କ ଅର୍ଥର ସୁରକ୍ଷା ଦାୟିତ୍ୱ ଏଫଡିଆଇସିକୁ ଦିଆଯାଇଛି । ଏହା ବ୍ୟତୀତ ଏଫଡିଆଇସି ବ୍ୟାଙ୍କର ଇନ୍ସ୍ୟୁରାନ୍ସ ବାବଦ ଜମା ଅର୍ଥକୁ ରଖିବା ଲାଗି ଡିପୋଜିଟ ଇନ୍ସ୍ୟୁରାନ୍ସ ନ୍ୟାସନାଲ ବ୍ୟାଙ୍କ ଅଫ୍ ସାଣ୍ଟା କ୍ଲାରା ଗଠନ କରିଛି । ସିଲିକନ ଭ୍ୟାଲି ବ୍ୟାଙ୍କ ଆମେରିକାର ୧୬ତମ ସବୁଠାରୁ ବଡ ବ୍ୟାଙ୍କ । ଏହାର ମୁଖ୍ୟ କାର୍ଯ୍ୟାଳୟ କାଲିଫର୍ଣ୍ଣିଆର ସାଣ୍ଟା କ୍ଲାରାରେ ରହିଛି । ବ୍ୟାଙ୍କ ନିକଟରେ ପ୍ରାୟ ୨୧୦ ବିଲିୟନ ଡଲାର ସମ୍ପତ୍ତି ରହିଛି ।
ଦେଶରେ ନୂଆ ଟେକ୍ କମ୍ପାନି ଓ ଷ୍ଟାର୍ଟଅପ୍କୁ ଆର୍ଥିକ ସହାୟତା ଦେବାରେ ଏହା ଥିଲା ପ୍ରମୁଖ ବ୍ୟାଙ୍କ । କିନ୍ତୁ ଗତ ୧୮ମାସ ହେଲା ଆମେରିକାର ସେଣ୍ଟ୍ରାଲ ବ୍ୟାଙ୍କ ସୁଧହାର ବୃଦ୍ଧି କରିବା ଫଳରେ ଏହି ବ୍ୟାଙ୍କକୁ ଜୋର୍ଦାର ଝଟକା ଲାଗିଛି । ଏଥିସହ ଘାଟା ଯୋଗୁ ଟେକ୍ କମ୍ପାନିରେ ଅର୍ଥ ଲଗାଇବା ଲାଗି ନିବେଶକଙ୍କ ମଧ୍ୟରେ ଅନାଗ୍ରହ ଦେଖିବାକୁ ମିଳିଛି । ଏଭଳି ସମୟରେ ଆଜି ହଠାତ୍ ଏସ୍ଭିବିର ସେୟାର ହ୍ରାସ ପାଇଥିଲା ।
ନ୍ୟୁୟର୍କ ଷ୍ଟକ ଏକ୍ସଚେଞ୍ଜରେ କାରବାର ବନ୍ଦ ହେଲା ବେଳକୁ ଏହାର ସେୟାର ପାଖାପାଖି ୭୦ ପ୍ରତିଶତ ହ୍ରାସ ଘଟିଥିଲା । ଫଳରେ ବ୍ୟାଙ୍କ ଗୋଟିଏ ଝଟ୍କାରେ ୮୦ ବିଲିୟନ ଡଲାରରୁ ଅଧିକ ହରାଇଛି । ସେପଟେ ବ୍ୟାଙ୍କର ଏଭଳି ପରିସ୍ଥିତିକୁ ନେଇ ନିବେଶକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।
ବୁଧବାର ବ୍ୟାଙ୍କ କହିଥିଲା କି ଏହା ୨.୨୫ ବିଲିୟନ ଡଲାରର ସେୟାର ବିକ୍ରି କରିବ । ଏହାର ପୋର୍ଟଫୋଲିଓକୁ ବ୍ୟାପକ କ୍ଷତି ହୋଇଛି । ଏଭଳି ସମୟରେ ଏସ୍ଭିବିର ଆର୍ଥିକ ବ୍ୟାପାର ସିଇଓ ଗ୍ରେଗ ବେକର ନିବେଶକଙ୍କୁ ଧୈର୍ଯ୍ୟ ଧରିବାକୁ ଅପିଲ କରିଛନ୍ତି । ଏହି ପ୍ରସଙ୍ଗ କେବଳ ଆମେରିକା ଭିତରେ ସୀମିତ ରହିଥିଲେ ମଧ୍ୟ ସମଗ୍ର ବିଶ୍ୱ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହାର ବେଞ୍ଚମାର୍କ କେବିଡବ୍ଲ୍ୟୁ ବ୍ୟାଙ୍କ ଇଣ୍ଡେକ୍ସରେ ୮.୧ ପ୍ରତିଶତ ହ୍ରାସ ପାଇଛି ।
୨୦୨୦ ଜୁନ ପରେ ଦିନକରେ ଏହା ସବଠାରୁ ବଡ ହ୍ରାସ । ଭାରତରେ ମଧ୍ୟ ଆଜି ଗୋଟିଏ ଦିନରେ ବ୍ୟାକିଙ୍ଗ ସେକ୍ଟର ସେୟାରରେ ବିପୁଳ ହ୍ରାସ ଦେଖିବାକୁ ମିଳିଛି । ୨୦୦୮ରେ ୱାଶିଂଟନ ମ୍ୟୁଚୁଆଲ ବ୍ୟାଙ୍କ ବିଫଳ ହେବା ପରେ ଏସ୍ଭିବି ଦ୍ୱିତୀୟ ବଡ ବ୍ୟାଙ୍କ ଭାବେ ବିଫଳ ହୋଇଛି । ୱାଶିଂଟନ ମ୍ୟୁଚୁଆଲର ମୋଟ ସମ୍ପତ୍ତିର ପରିମାଣ ୩୦୭ ବିଲିୟନ ଡଲାର ଥିଲା ବେଳେ ଏସ୍ଭିବିର ସମ୍ପତ୍ତିର ପରିମାଣ ୨୧୦ ବିଲିୟନ ଡଲାର ଥିବା ଜଣାପଡିଛି ।