ଏମବିଏ ଛାତ୍ରଙ୍କ ନୂଆ ଉଦ୍ଭାବନ : ବିକଶିତ କଲେ ନୂଆ ମେସିନ, ଶତ୍ରୁପକ୍ଷର ଗୁଳିକୁ ସହଜରେ ଦେବ ମାତ୍

Published By : Prameya-News7 Bureau | July 04, 2022 IST

ହରିୟାଣା ୦୪/୦୭: ଦେଶମାତୃକାର ସୁରକ୍ଷା ଲାଗି ପ୍ରତିକୂଳ ପରିସ୍ଥିତିରେ ସୀମାରେ ମୁତୟନ ଥିବା ସେନା ଯବାନମାନଙ୍କ ପାଇଁ ଏକ ସାଇଲେଣ୍ଟ ପାଟ୍ରୋଲିଂ ମେସିନ୍‌ ବିକଶିତ ହୋଇଛି । ମେସିନ୍‌କୁ ଡିଜାଇନ୍‌ କରିବା ସମୟରେ ସୈନିକଙ୍କ ସୁରକ୍ଷା, ସେମାନଙ୍କୁ ହେଉଥିବା ସମସ୍ୟା ଓ ଟେକ୍ନୋଲୋଜିର ସ୍ୱତନ୍ତ୍ର ଧ୍ୟାନ ରଖାଯାଇଛି ।

ଯଦିଓ ମେସିନ୍‌ରେ ପ୍ରଯୁକ୍ତିଗତ ଦୃଷ୍ଟିକୋଣରୁ ଆହୁରି କିଛି ଯୋଡ଼ିବା ବାକି ଅଛି, ତେବେ ଏହା ସେନା ଯବାନଙ୍କ ଲାଗି ଉପଯୋଗୀ ସାବ୍ୟସ୍ତ ହୋଇପାରିବ ବୋଲି କୁହାଯାଉଛି । ହରିୟାଣା ରେୱାଡ଼ି ଜିଲ୍ଲାର ତିହାଡ଼ା ଗାଁର ବାସିନ୍ଦା ସଞ୍ଜୟ ଶର୍ମା ଇ-ରିକ୍ସାରେ କିଛି ପରିବର୍ତ୍ତନ କରି ଏହାକୁ ପ୍ରସ୍ତୁତ କରିଛନ୍ତି । ସେ ଜୟପୁରରେ ଏମ୍‌ବିଏ ପଢ଼ୁଛନ୍ତି ।

ଏହି ସାଇଲେଣ୍ଟ ପାଟ୍ରୋଲିଂ ମେସିନ୍‌କୁ ଏକ ସଫ୍ଟୱେର ଜରିଆରେ ବ୍ୟବହାର କରିହେବ । ସେଥିଲାଗି ଏକ ମୋବାଇଲ୍‌ ଆପ୍‌ ବି ଡିଜାଇନ୍‌ କରାଯାଇଛି । ମେସିନ୍‌ଟି ବୁଲେଟ୍‌ପ୍ରୁଫ୍‌ ହେବ । ତେଣୁ ପାଟ୍ରୋଲିଂ ସମୟରେ ଯବାନମାନଙ୍କର ଶତ୍ରୁପକ୍ଷର ଗୁଳିକୁ ଭୟ ରହିବ ନାହିଁ । ତା’ ମଧ୍ୟରେ ଖରା-ଶୀତକୁ ଧ୍ୟାନରେ ରଖି ତାପମାତ୍ରା ନିୟନ୍ତ୍ରଣର ବ୍ୟବସ୍ଥା କରାଯାଇଛି ।

ସେହିପରି ଯବାନମାନେ ଏହି ମେସିନ୍‌ ମଧ୍ୟରେ ବସି ଶତ୍ରୁକୁ ଟାର୍ଗେଟ୍‌ କରିପାରିବେ । ହେଡକ୍ୱାର୍ଟର ସହ ସିଧାସଳଖ ଭାବେ ସଂପର୍କ ସ୍ଥାପନ କରିବା ଲାଗି ମେସିନ୍‌ରେ ଏକ ଡିଭାଇସ୍‌ ଲଗାଯାଇଛି । ଏହାଛଡ଼ା ଗୋପନ ଓ ନାଇଟ୍‌ଭିଜନ କ୍ୟାମେରା ଲାଗିଛି । ମେସିନ୍‌ ଚାର୍ଜ ହେବାଲାଗି ସୋଲାର ପ୍ୟାନେଲ ଲଗାଯାଇଛି ।

ଚାଲିଥିବା ଅବସ୍ଥାରେ ଏହା ଆପେ ଆପେ ଚାର୍ଜ ବି ହୋଇପାରିବ । ଏ ସଂପର୍କରେ ସଞ୍ଜୟ ଶର୍ମା କହିଛନ୍ତି, ବିଭିନ୍ନ ଅସୁବିଧାର ସାମ୍ନା କରି ଆମର ସୈନିକମାନେ ସୀମାରେ ମୁତୟନ ରହି ଦେଶମାତୃକାର ସୁରକ୍ଷା କରିଥାନ୍ତି । ତେଣୁ ସେମାନଙ୍କ ଲାଗି କିଛି କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ମେସିନ୍‌ର ଅନେକାଂଶକୁ ଡିଜାଇନ୍‌ କରାଯାଇସାରିଛି ।

କେବଳ ରାଡାର ସିଷ୍ଟମରେ ନ ଆସିବା ଲାଗି ଏହା କିପରି ନିଜେ ନିଜେ ରଙ୍ଗ ବଦଳାଇ ଚାଲିବ ସେ ଦିଗରେ କାମ କରୁଛି । ସଞ୍ଜୟ ଏହା ପୂର୍ବରୁ ଏପରି ଏକ ହେଲମେଟ୍‌ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଥିଲେ ଯାହା ବିନା ବାଇକ୍‌ ଷ୍ଟାର୍ଟ ହିଁ ହୋଇପାରିବ ନାହିଁ । ନିଜର ଜଣେ ବନ୍ଧୁଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ସେ ଏଭଳି ସ୍ମାର୍ଟ ହେଲମେଟ୍‌ ନିର୍ମାଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.