କରୋନା ବିପଦରେ ଭାରତ ସରକାରଙ୍କୁ ସିରମ ଇନିଷ୍ଟିଚ୍ୟୁଟ୍ଙ୍କ ପ୍ରସ୍ତାବ, ମାଗଣା ଦେବେ ୨ କୋଟି କୋଭିସିଲ୍ଡ ଡୋଜ୍
28/12/2022 at 7:32 PM

ନୂଆଦିଲ୍ଲୀ ୨୮।୧୨: କେତେକ ଦେଶରେ କୋଭିଡ-୧୯ ସଂକ୍ରମଣ ମାମଲା ବୃଦ୍ଧି ପରିପ୍ରେକ୍ଷୀରେ ସିରମ ଇନିଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ( ଏସ୍ଆଇଆଇ) କେନ୍ଦ୍ର ସରକାରଙ୍କୁ କୋଭିସିଲ୍ଡ ଟିକାର ୨ କୋଟି ଡୋଜ ମାଗଣା ଦେବାକୁ ପ୍ରସ୍ତାବ ଦେଇଛି। ଅଧିକାରୀକ ସୂତ୍ର ବୁଧବାର ଏହି ସୂଚନା ଦେଇଛନ୍ତି। ସୂତ୍ର ଅନୁସାରେ ସିରମ ଇନିଷ୍ଟିଚ୍ୟୁଟ୍ରେ ସରକାର ଓ ନିୟାମକ ମାମଲାର ନିର୍ଦ୍ଦେଶକ ପ୍ରକାଶ କୁମାର ସିଂହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କୁ ପତ୍ର ଲେଖି ୪୧୦ କୋଟି ଟଙ୍କାର ଡୋଜ ମାଗଣାରେ ଦେବାକୁ କହିଛନ୍ତି। ତେବେ ସିଂ ଡୋଜର ଡେଲିଭରି କିପରି ଦିଆଯିବ ମନ୍ତ୍ରାଳୟଙ୍କଠାରୁ ତାହା ଜାଣିବାକୁ ଚାହିଁଛନ୍ତି।
ଏସଆଇଆଇ ଦେଶରେ ଚାଲିଥିବା ଜାତୀୟ ଟିକାକରଣ କାର୍ଯ୍ୟକ୍ରମ ପାଇଁ ସରକାରଙ୍କୁ କୋଭିସିଲ୍ଡର ୧୭୦ କୋଟିରୁ ଅଧିକ ଡୋଜ ଟିକା ଦେଇଛି। ଏଥିରେ ଏବେ ଚୀନ୍ ଓ ଦକ୍ଷିଣ କୋରିଆ ସମେତ କେତେକ ଦେଶରେ କୋଭିଡ-୧୯ ମାମଲାର ଦ୍ରୁତ ରିପୋର୍ଟ ହେଉଛି। ଏଥିଲାଗି ଭାରତ ସରକାର ଆଲର୍ଟ ଜାରି କରିଥିବା ବେଳେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କୁ ଯେ କୌଣସି ପରିସ୍ଥିତି ଲାଗି ପ୍ରସ୍ତୁତ ରହିବାକୁ କହିଛନ୍ତି।

ଭାରତରେ ଏବେ କୋଭିଡ ପଜିଟିଭ ନମୁନାର ନିରୀକ୍ଷଣ ଓ ଜିନୋମ ସିକ୍ୱେନସିଂ ବଢାଇ ଦିଆଯାଇଛି। ତେବେ ଆଗାମୀ ୪୦ ଦିନ ଭାରତ ଲାଗି ଗୁରୁତ୍ୱପୂର୍ଣ୍ଣ ବୋଲି ଅଧିକାରୀ ସୂତ୍ରରୁ ବୁଧବାର ସତର୍କ କରାଯାଇଛି। କାରଣ ଦେଶରେ ଜାନୁୟାରୀରେ କୋଭିଡ ସଂକ୍ରମଣ ମାମଲାରେ ବୃଦ୍ଧି ହୋଇପାରେ ବୋଲି କୁହାଯାଇଛି। ଯଦି ଏପରି ହୁଏ ତେବେ ହସ୍ପିଟାଲରେ ଲୋକଙ୍କ ଭର୍ତ୍ତି ଓ ମୃତ୍ୟୁ ହାର ଯଥେଷ୍ଟ କମ ରହିବ ବୋଲି ଅନୁମାନ କରାଯାଉଛି।
କେନ୍ଦ୍ର ସରକାର ଗତ ଶନିବାରଠାରୁ ପ୍ରତ୍ୟେକ ଅନ୍ତର୍ଜାତୀୟ ଉଡାଣରେ ଆସୁଥିବା ଯାତ୍ରୀଙ୍କ ଆରଟି-ପିସିଆର ପରୀକ୍ଷଣ ବାଧ୍ୟତାମୂଳକ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର୍ର ମୋଦି ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ସଂକ୍ରମଣ ବୃଦ୍ଧି ମାମଲାରେ ପରିସ୍ଥିତିର ମୁକାବିଲା ଲାଗି ବୈଠକ କରିଛନ୍ତି। ସେହି ଅନୁସାରେ ମଙ୍ଗଳବାର ସାରା ଦେଶର ସ୍ୱାସ୍ଥ୍ୟ ସୁବିଧାରେ କୋଭିଡ ସଂକ୍ରମଣ ସହ ଦ୍ରୁତ ମୁକାବିଲା ନିମନ୍ତେ ପରିଚାଳନା ତତ୍ପରତା ପରଖିବା ଲାଗି ମକ ଡ୍ରିଲ ମଧ୍ୟ କରାଯାଇଥିଲା।