କଂଗ୍ରେସ ହାଇକମାଣ୍ଡଙ୍କ ଫର୍ମୁଲା ଏବେବି ଅନିଶ୍ଚିତ, ପୁଣି କ୍ୟାପ୍ଟେନ୍‌ଙ୍କୁ ଟାର୍ଗେଟ୍‌ କଲା ସିଦ୍ଧୁଙ୍କ କ୍ୟାମ୍ପ୍‌

Published By : Prameya-News7 Bureau | July 20, 2021 IST

ଚଣ୍ଡିଗଡ଼, ୨୦/୦୭: ପଞ୍ଜାବ କଂଗ୍ରେସ ଏବେବି ଅଶାନ୍ତ । ହାଇକମାଣ୍ଡ ନଭଜୋତ ସିଂହ ସିଦ୍ଧୁଙ୍କୁ ପ୍ରଦେଶ କଂଗ୍ରେସ୍‌ର ଅଧ୍ୟକ୍ଷ କରି ମାମଲା ଶେଷ କରିଦେଇଥିବା ଭାବିଥିଲେ । କିନ୍ତୁ ବର୍ତ୍ତମାନ ସ୍ଥିତିରେ ସେହିଭଳି କିଛି ଦେଖାଯାଉ ନାହିଁ । ପଞ୍ଜାବ କଂଗ୍ରେସ କ୍ୟାପ୍ଟେନ୍‌ ହେବା ପରେ ବି ସିଦ୍ଧୁଙ୍କ ମନୋଭାବ ନରମ ହୋଇନାହିଁ । ତାଙ୍କ କ୍ୟାମ୍ପ ପକ୍ଷରୁ ଲଗାତାର ଅମରିନ୍ଦରଙ୍କୁ ଟାର୍ଗେଟ୍‌ କରିବା ଜାରି ରହିଛି ।

ପୂର୍ବରୁ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ ସିଦ୍ଧୁଙ୍କ ଆପତ୍ତିଜନକ ଟ୍ୱିଟ୍‌କୁ ନେଇ କ୍ଷମା ପ୍ରାର୍ଥନା କରିବାକୁ କହିଥିଲେ ।  ଏହାକୁ ନେଇ ସିଦ୍ଧୁଙ୍କ କ୍ୟାମ୍ପ ଓଲ୍‌ଟା ସିଏମ୍‌ଙ୍କୁ ଟାର୍ଗେଟ୍‌ କରି କହିଥିଲେ ଯେ, କ୍ଷମା ତ ସିଏ ମାଗିବା କଥା, କାରଣ ସେ ଜନତାଙ୍କୁ କରିଥିବା ପ୍ରତିଜ୍ଞା ପୂରଣ କରିପାରିନାହାନ୍ତି ।

ଜଳନ୍ଧରର ବିଧାୟକ ଏବଂ ସିଦ୍ଧୁଙ୍କ ପାଖ ନେତା ପରଗଟ ସିଂହ କହିଛନ୍ତି ଯେ, ଅମରିନ୍ଦର ସିଂହ କ୍ଷମା ମାଗିବା କଥା ଉଠାଇଛନ୍ତି । ଯଦି କାହାକୁ କ୍ଷମା ମାଗିବାର ଅଛି ସେ ହେଉଛନ୍ତି ନିଜେ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ । ଯିଏ କି ଜନତାଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରିବାକୁ ଅସମର୍ଥ  ହୋଇଛନ୍ତି ।

ସୂଚନା ଥାଉ କି, ଗତ କିଛିଦିନ ହେବ ଅମରିନ୍ଦର ଏବଂ ସିଦ୍ଧୁଙ୍କ ମଧ୍ୟରେ ବିବାଦ ଜାରି ରହିଛି । ଏହାର ସମାଧାନ ପାଇଁ ଉଭୟ ନେତା ପୃଥକ-ପୃଥକ ଭାବେ ନୂଆଦିଲ୍ଲୀରେ ସୋନିଆଙ୍କୁ ସାକ୍ଷାତ କରିଥିଲେ । ଉଭୟ ସୋନିଆଙ୍କୁ ସାକ୍ଷାତ କରିବା ପରେ ସିଦ୍ଧୁଙ୍କୁ କଂଗ୍ରେସ ମୁଖ୍ୟ ନିଯୁକ୍ତ କରିବା ବାବଦରେ ନିଷ୍ପତ୍ତି ଗ୍ରହଣ କରିଥିଲେ ହାଇକମାଣ୍ଡ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.