ଆତ୍ମ ସମର୍ପଣ କଲେନି ସିଦ୍ଧୁ, ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ମାଗିଲେ ସମୟ
20/05/2022 at 12:41 PM

ନୂଆଦିଲ୍ଲୀ ୨୦/୦୫: ଆତ୍ମ ସମର୍ପଣ କଲେନି ନବଜ୍ୟୋତ ସିଂ ସିଦ୍ଧୁ । ଆଜି ସିଦ୍ଧୁ ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିଥାନ୍ତେ । କିନ୍ତୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ସମୟ ମାଗିଛନ୍ତି । ଅନ୍ୟଦିଗରେ ସିଦ୍ଧୁଙ୍କ କ୍ୟୁରେଟିଭ୍ ପିଟିସନ ଉପରେ ଶୁଣାଣି କରୁଥିବା ବେଞ୍ଚ୍ ମାମଲାକୁ ପ୍ରଧାନ ବିଚାରପତିଙ୍କ ସମ୍ମୁଖରେ ରଖିବାକୁ କହିଛନ୍ତି ।
ସୂଚନାନୁସାରେ, ୧୯୮୮ରେ ପଞ୍ଜାବରେ ଘଟିଥିଲା ରୋଡ୍ ରେଜ୍ କେସ୍। ପଟିଆଲାରେ ରାସ୍ତା ମଝିରେ ଗାଡ଼ି ପାର୍କିଂ କରିଥିଲେ। ଏହି ସମୟରେ ଗୁରୁନାମ ସିଂହ ନାମକ ୬୫ ବର୍ଷୀୟ ବୃଦ୍ଧ ତାଙ୍କୁ କାର୍ ରାସ୍ତାରୁ ହଟାଇବାକୁ କହିଥିଲେ। ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ସିଦ୍ଧୁ ରାଗରେ ବୃଦ୍ଧଙ୍କ ମୁଣ୍ଡକୁ ପିଟିଥିଲେ। ଏଥିରେ ବୃଦ୍ଧ ଜଣଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ବୃଦ୍ଧଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସିଦ୍ଧୁ କହିଥିଲେ। ଏହି ଘଟଣାରେ ସିଦ୍ଧୁ ଏବଂ ତାଙ୍କ ବନ୍ଧୁ ରୁପିନ୍ଦର ସିଂହଙ୍କ ବିରୋଧରେ ପଟିଆଲା ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲା।
୨୦୦୬ ରେ ପଞ୍ଜାବ-ହରିୟାଣା ହାଇକୋର୍ଟ ଏହି ମାମଲାରେ ସିଦ୍ଧୁଙ୍କୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ।ଏହାପରେ ସିଦ୍ଧୁ ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ୨୦୧୮ ମେ ରେ ସିଦ୍ଧୁଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ ସୁପ୍ରିମକୋର୍ଟ । ଏହା ପରେ ପୀଡ଼ିତଙ୍କ ପରିବାର ପକ୍ଷରୁ ଏହା ଉପରେ ଏକ ରିଭ୍ୟୁ ପିଟିସନ୍ ଦାଖଲ କରାଯାଇଥିଲା। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ଦଣ୍ଡାଦେଶ ଶୁଣାଇଥିଲେ। ସିଦ୍ଧୁଙ୍କୁ ଆଇପିସିର ଧାରା ୩୨୩ ଆଧାରରେ ଗୋଟିଏ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ ।
ତେବେ କୋର୍ଟରେ ସିଦ୍ଧୁ ଶୁକ୍ରବାର ଆତ୍ମସମର୍ପଣ କରିବେ ବୋଲି ସୂଚନା ମିଳିଥିଲା । ତାଙ୍କ ଯକୃତରେ କିଛି ସମସ୍ୟା ଥିବା ହେତୁ ସେ କୋର୍ଟରେ ଉପସ୍ଥିତ ହୋଇନଥିଲେ । ଏହାସହ ସେ ଅଧିକ ସମୟ ମଧ୍ୟ ମାଗିଛନ୍ତି । ଏନେଇ ତାଙ୍କ ଓକିଲ ବେଞ୍ଚ୍ ସମ୍ମୁଖରେ କହିଛନ୍ତି ।
ସିଦ୍ଧୁଙ୍କୁ ଓକିଲଙ୍କ ପକ୍ଷରୁ କୁହାଯାଇଛି ଯେ, ଏହା ଏକ ପୁରୁଣା ମାମଲା । ସିଦ୍ଧୁଙ୍କ ସ୍ୱାସ୍ଥ୍ୟ ଠିକ୍ ନାହିଁ । କିନ୍ତୁ ତାଙ୍କୁ କିଛି ସମୟ ଦରକାର । ତେବେ ସିଦ୍ଧୁଙ୍କ ଯକୃତରେ କଣ ହୋଇଛି ତାହା ସ୍ପଷ୍ଟ ଭାବେ କୁହାଯାଇ ନାହିଁ । ଅନ୍ୟ ପଟେ କୋର୍ଟରେ ପୀଡିତଙ୍କ ଓକିଲ ସିଦ୍ଧୁଙ୍କ ପକ୍ଷରୁ ଦାଖଲ ଅନୁରୋଧକୁ ବିରୋଧ କରିଥିଲେ ।