ଭାବପ୍ରବଣ ହୋଇ ପାକ୍ ସାମରିକ ମୁଖ୍ୟଙ୍କୁ ଆଲିଙ୍ଗନ କରିଥିଲି:ସିଦ୍ଧୁ
21/08/2018 at 5:17 AM

ନୂଆଦିଲ୍ଲୀ ୨୧/୮: ପଞ୍ଜାବ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିବା କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟ ଖେଳାଳି ନବଜୋତ ସିଂ ସିଦ୍ଧୁ ପାକିସ୍ତାନରେ ସେନାମୁଖ୍ୟଙ୍କୁ ଆଲିଙ୍ଗନ ଦେଇ ବିଭିନ୍ନ ସମାଲୋଚନା ହେଉଛି। ଏ ନେଇ ଆଜି ସିଦ୍ଧୁ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜ ପକ୍ଷ ରଖିଛନ୍ତି।ସେ କହିଛନ୍ତି ଯେ,ସେ ଭାବୁକ ହୋଇ ପାକିସ୍ତାନ ସାମରିକ ମୁଖ୍ୟ ଜେନେରାଲ ବାଜଓ୍ବାଙ୍କୁ ଆଲିଙ୍ଗନ କରିଥିଲେ। କଥାବାର୍ତ୍ତାବେଳେ ପାକିସ୍ତାନ ସେନାମୁଖ୍ୟ କହିଥିଲେ ଯେ,ଗୁରୁନାନକ ଦେବଙ୍କ ୫୫୦ତମ ପ୍ରକାଶ ପର୍ବବେଳେ କରତାପୁର ସୀମାକୁ ଉନ୍ମୁକ୍ତ ରଖାଯିବ। ଏହି ସମୟରେ କୈାଣସି ସାମରିକ କଟକଣା ଲାଗୁ କରାଯିବ ନାହିଁ। ଫଳରେ ଭାରତର ଶ୍ରଦ୍ଧାଳୁମାନେ ଗୁରୁଦ୍ବାରା ପଞ୍ଜା ସାହେବଙ୍କ ଦର୍ଶନ କରିପାରିବେ। ପାକ୍ ସେନାମୁଖ୍ୟଙ୍କ ଏଭଳି କଥାରେ ଭାବୁକ ହୋଇ ତାଙ୍କୁ ଆଲିଙ୍ଗନ କରିଥିବା ସିଦ୍ଧୁ ସଫେଇ ଦେଇଛନ୍ତି।
ତେବେ ସିଦ୍ଧୁ ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ମଧ୍ୟ ୧୯୯୯ମସିହାରେ ବସ୍ ନେଇ ଲାହୋର ଯାଇଥିଲେ।ସେହିଭଳି କାର୍ଗିଲ ଯୁଦ୍ଧ ପରେ ପରେ ତତ୍କାଳୀନ ପାକିସ୍ତାନ ସେନାମୁଖ୍ୟ ପର୍ଭେଜ୍ ମୁସାରଫ୍ଙ୍କୁ ସ୍ବର୍ଗତ ବାଜପେୟୀ ଭାରତ ଆମନ୍ତ୍ରଣ କରିବା ସହ ତାଙ୍କର ସ୍ବାଗତ କରିଥିଲେ। କେବଳ ସେତିକି ନୁହେଁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଶପଥ ଗ୍ରହଣ ଉତ୍ସବକୁ ନଓ୍ବାଜ ସରିଫଙ୍କୁ ଆମନ୍ତ୍ରଣ କରିଥିଲେ। ନଓ୍ବାଜ ସରିଫଙ୍କ ଏକ ଭୋଜିରେ ଯୋଗ ଦେବା ପାଇଁ ମଧ୍ୟ ମୋଦି ଅନୈାପଚାରିକ ଭାବେ ପାକିସ୍ତାନରେ ପହଞ୍ଚିଥିଲେ।
ପାକିସ୍ତାନ ଯିବା ପାଇଁ ସେ ବୈଦେଶିକ ମନ୍ତ୍ରଣାଳୟର ଅନୁମତି ମାଗିଥିଲେ। ନିଜେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ତାଙ୍କୁ ଫୋନ୍ କରି ବୈଦେଶିକ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିଥିବା ସୂଚନା ଦେଇଥିଲେ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଜେନେରାଲ ଅମରେନ୍ଦ୍ର ସିଂ,କଂଗ୍ରେସର କିଛି ନେତା ଓ ବିଜେପି ତାଙ୍କୁ ସମାଲୋଚନା କରୁଥିବା ନେଇ ସିଦ୍ଧୁ କହିଛନ୍ତି ଯେ,ସ୍ବାଧୀନ ରାଷ୍ଟ୍ରରେ ନିଜ ନିଜ ପ୍ରତିକ୍ରିୟା ବ୍ୟକ୍ତ କରିବାର ଅଧିକାର ସମସ୍ତଙ୍କର ରହିଛି।