ସାତ ଜନ୍ମର ସାଥୀ ହେଲେ ସିଦ୍ଧାର୍ଥ-କିୟାରା, ସୂର୍ଯଗଡ଼ ପ୍ୟାଲେସରେ ସରିଲା ବିବାହ
7/02/2023 at 8:16 PM

ନୂଆଦିଲ୍ଲୀ, ୦୭/୦୨: ବିବାହ ବନ୍ଧନରେ ବାନ୍ଧି ହେଲେ ସିଦ୍ଧାର୍ଥ-କିୟାରା। ଦୀର୍ଘ ଦିନ ଧରି ଉଭୟ ପରସ୍ପରକୁ ଡେଟ୍ କରୁଥିଲେ। ଆଉ ଏବେ ଏହି ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଉଭୟ ରାଜସ୍ଥାନର ଜୈସଲମେରର ସୂର୍ଯଗଡ଼ ପ୍ୟାଲେସରେ ବିବାହ କରିଛନ୍ତି। ଉଭୟଙ୍କ ପରିବାର ଲୋକ ଏବଂ ବନ୍ଧୁ ପରିଜନଙ୍କ ଗହଣରେ ବିବାହ ସମ୍ପନ୍ନ ହୋଇଛି। ଉଭୟଙ୍କ ପରିବାରଲୋକେ ୪ ଫେବୃଆରୀରେ ସେଠାରେ ପହଞ୍ଚିଥିଲେ। ସେହିଭଳି ୫ ତାରିଖରୁ ଅତିଥିମାନେ ଆସିବା ଆରମ୍ଭ ହୋଇଯାଇଥିଲା। ଆଉ ଆଜି ୭ ଫେବୃଆରୀରେ ଉଭୟଙ୍କ ବିବାହ ହୋଇଛି। ଆଉ ଏହା ସହ ଉଭୟ ସବୁଦିନ ପାଇଁ ପରସ୍ପରର ହୋଇଯାଇଛନ୍ତି।
ସିଡ-କିୟାରାଙ୍କ ଏହି ବିବାହ ପାଇଁ ଦିଲ୍ଲୀରୁ ବ୍ୟାଣ୍ଡ୍ ଡକାଯାଇଥିଲା। ସେହିଭଳି ପଞ୍ଜାବୀ ଷ୍ଟାଇଲରେ କିୟାରାଙ୍କୁ ନେବାକୁ ପହଞ୍ଚିଥିଲେ। ବିବାହ ପୂର୍ବରୁ ପ୍ରି-ଓ୍ବେଡିଂର ଫଟୋ ଏବଂ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା। ଯାହା ବେଶ୍ ଭାଇରାଲ୍ ମଧ୍ୟ ହୋଇଥିଲା।
ରିପୋର୍ଟ ଅନୁଯାୟୀ, ସିଦ୍ଧାର୍ଥ ଏବଂ କିୟାରଙ୍କ ବିବାହରେ ପ୍ରାୟ ୧୦୦ ରୁ ୧୨୫ ଅତିଥି ସାମିଲ୍ ହୋଇଥିଲେ। ଯେଉଁଥିରେ ବଲିଉଡ୍ ଜଗତର ଅନେକ କଳାକାର ରହିଥିଲେ। କରଣ ଜୋହର, ମଲାଇକା ଅରୋରା, ଶାହିଦ କପୂର ଏବଂ ତାଙ୍କ ପତ୍ନୀ ମୀରା ରାଜପୂତ, ଅରମାନ ଜୈନ ଏବଂ ତାଙ୍କ ପତ୍ନୀ ଅନୀସା ମାଲ୍ହୋତ୍ରା, ଜୂହୀ ଚାଓ୍ବଲା ଏବଂ ତାଙ୍କ ପତି ଜୟ ମେହତା ମଧ୍ୟ ସାମିଲ୍ ହୋଇଥିଲେ। ଏହାସହ ମୁକେଶ ଅମ୍ବାନୀଙ୍କ ଝିଅ ଏବଂ କିୟାରାଙ୍କ ବନ୍ଧୁ ଇଶା ଅମ୍ବାନୀ ମଧ୍ୟ ଏହି ବିବାହରେ ଉପସ୍ଥିତ ରହିଥିଲେ। ସେପଟେ ଫ୍ୟାନ୍ସମାନେ ତାଙ୍କର ବିବାହକୁ ନେଇ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଉଛନ୍ତି।