ଭୁବନେଶ୍ୱର ୧୯।୦୬ : ସାଂସଦ ହେଲି । ବିଧାୟକ ବି ହେଲି । ଏବେ ସରପଞ୍ଚ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ବିଧାୟକ ସିଦ୍ଧାନ୍ତ ମହାପାତ୍ର । ବୋଧ ହୁଏ ଏହି ଓଲିଉଡ୍ ସୁପରଷ୍ଟାରଙ୍କ ମନେ ପଡିଗଲା ସରପଞ୍ଚ ବାବୁ ଫିଲ୍ମ କଥା...
ବ୍ରହ୍ମପୁରରୁ ଦୁଇ ଦୁଇ ଥର ସାଂସଦ ହୋଇଥିବା ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏଥର ଦିଗପହଣ୍ଡିରୁ ବିଧାୟକ ହୋଇଛନ୍ତି। ମଙ୍ଗଳବାର ବିଧାୟକଭାବେ ଶପଥ ନେବା ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ ବହୁତ କମ୍ ଲୋକଙ୍କ ଭାଗ୍ୟରେ ଥାଏ ଉଭୟ ସାଂସଦ ଓ ବିଧାୟକ ଭାବେ ନିର୍ବାଚିତ ହେବା। ସାଂସଦ ହେବା ବେଳେ ଦେଶ ପାଇଁ କିଛି କରିବାକୁ ସୁଯୋଗ ମିଳିଥିଲା । ଆଉ ଏବେ ବିଧାୟକ ହୋଇଥିବାରୁ ମୋ ନିର୍ବାଚନ ମଣ୍ଡଳୀ ଓ ରାଜ୍ୟ ପାଇଁ କିଛି କରିବାର ସୁଯୋଗ ମିଳିଛି। ଏବେ ଜୀବନରେ ଥରେ ସରପଞ୍ଚ ହେବାକୁ ଚାହୁଛି। ଆମର ମୁଖ୍ୟମନ୍ତ୍ରୀ ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମୁଁ ସାଂସଦରୁ ବିଧାୟକ ହୋଇଛି। କେବେ ଯଦି ସୁଯୋଗ ମିଳିବ ତା’ହେଲେ ଶେଷ ନିଃଶ୍ୱାସ ନେବା ପୂର୍ବରୁ ଥରୁଟିଏ ସରପଞ୍ଚ ହୋଇ ସେ ଅନୁଭୂତି ହାସଲ କରିବାକୁ ଚାହିଁବି।
ମଙ୍ଗଳବାର ସାଇକେଲରେ ବିଧାନସଭା ଆସି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସିଦ୍ଧାନ୍ତ ମହାପାତ୍ର । ସାଇକେଲରେ ଆସି ପରିବେଶ ସୁରକ୍ଷା ନେଇ ରାଜ୍ୟବାସୀଙ୍କୁ ବାର୍ତା ଦେଇଛନ୍ତି ସିଦ୍ଧାନ୍ତ। ସେ କହିଛନ୍ତି ଯେ ମୋ ଘର ବିଧାନସଭାରୁ ମାତ୍ର ଦେଢ଼ କିଲୋମିଟର ଦୂର। ତେଣୁ ଗାଡ଼ି କାହିଁକି ନେଇକି ଆସିବି ? ମୁଁ ଚାହିଁବି ବିଧାନସଭା ଅଧିବେଶନ ଚାଲିଥିବା ବେଳେ ସବୁଦିନ ମୁଁ ସାଇକେଲ୍ ନେଇ ଆସିବି । ସମସ୍ତ ନେତା, ମନ୍ତ୍ରୀ ଓ ସାଧାରଣ ଜନତାଙ୍କୁ ମଧ୍ୟ ସାଇକେଲ ବ୍ୟବହାର ପାଇଁ ଅପିଲ କରିଛନ୍ତି।