ଜମି ଦୁର୍ନୀତି ମାମଲାରେ ଲୋକାୟୁକ୍ତ ତଦନ୍ତ ଉପରେ ତାତିଲେ ସିଦ୍ଦରମୈୟା, କହିଲେ-ବିଜେପିର ଷଡ଼ଯନ୍ତ୍ର, ମୁଁ ଇସ୍ତଫା ଦେବିନି

Published By : Prameya-News7 Bureau | September 26, 2024 IST

ନୂଆଦିଲ୍ଲୀ: ଜମି ଦୁର୍ନୀତି ମାମଲାରେ ଇସ୍ତଫା ଦେବେ ନାହିଁ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ମହୀଶୂର ସହରୀ ବିକାଶ ପ୍ରାଧିକରଣ (MUDA)ର ସାଇଟ୍ ଆବଣ୍ଟନ ମମଲାରେ ଭୁଲ କାର୍ଯ୍ୟାନୁଷ୍ଠାନ ହୋଇଛି । ସ୍ୱତନ୍ତ୍ର ଅଦାଲତ ଲୋକାୟୁକ୍ତଙ୍କୁ ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ପରେ ମୁଖ୍ୟମନ୍ତ୍ରୀ ଏହି ପ୍ରତିକ୍ରିୟା ରଖିଛନ୍ତି । କୋର୍ଟଙ୍କ ଏହି ଆଦେଶ ପରେ ମୁଖ୍ୟମନ୍ତ୍ରୀଙ୍କ ଅଡ଼ୁଆ ବଢିପାରେ ଏବଂ ତାଙ୍କ ବିରୋଧରେ ଏଫଆଇଆର୍ ରୁଜୁ ହୋଇପାରେ ।

ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏହି ମାମଲାକୁ ବିଜେପିର ଷଡ଼ଯନ୍ତ୍ର କହିବା ସହ ମାମଲାରେ ଆଇନଗତ ଲଢେଇ ଲଢିବେ ବୋଲି କହିଛନ୍ତି । ସିଦ୍ଦରମୈୟାଙ୍କ ବିରୋଧରେ ସ୍ୱତନ୍ତ୍ର କୋର୍ଟଙ୍କ ଆଦେଶ ପରେ ଏଫଆଇଆର୍ ରୁଜୁ କରିବା ବାଟ ଫିଟିଛି । ଲୋକାୟୁକ୍ତର ଅଧିକାରୀ କହିଛନ୍ତି ଯେ କୋର୍ଟଙ୍କ ଆଦେଶର ସମୀକ୍ଷା କରୁଛନ୍ତି ଏବଂ ଶୀଘ୍ର ଏଫ୍‌ଆଇଆର୍ ରୁଜୁ କରିବା ଉପରେ ନିଷ୍ପତ୍ତି ନେବେ ।

ଏହି ଘଟଣାରେ ମୁଖ୍ୟ ବିରୋଧୀ ଦଳ ବିଜେପି ସିଦ୍ଦରମୈୟାଙ୍କ ଇସ୍ତଫା ଦାବି କରିଛି । ଏହା ଉପରେ ସିଦ୍ଦରମୈୟା କହିଛନ୍ତି, କ'ଣ ପ୍ରଧାନମନ୍ତ୍ରୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ଗୋଧରା ଦଙ୍ଗା ପରେ ଇସ୍ତଫା ଦେଇଥିଲେ ? ଏଚ୍‌ଡି କୁମାରସ୍ୱାମୀ ଯିଏ ଏବେ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି, ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ରହିଛି । କଣ ସେ ଇସ୍ତଫା ଦେବେ ?  ସେ ଜୋର ଦେଇ କହିଛନ୍ତି, 'ମୁଁ ଇସ୍ତଫା ଦେବି ନାହିଁ । ମୁଁ ଆଇନଗତ ଲଢେଇ ଲଢିବି । ମୁଁ କିଛି ଭୁଲ କାମ କରି ନାହିଁ, ଏଥିପାଇଁ ଇସ୍ତଫା ଦେବାର ଆବଶ୍ୟକତା ନାହିଁ ।' ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମଧ୍ୟ ସିଦ୍ଦରମୈୟାଙ୍କ ଇସ୍ତଫା ସମ୍ଭାବନାକୁ ଖଣ୍ଡନ କରିଛନ୍ତି ।

ମହୀଶୂର ସହରୀ ବିକାଶ ପ୍ରାଧିକରଣ ମାମଲାରେ ଅଭିଯୋଗ ରହିଛି ଯେ ସିଦ୍ଦରମୈୟାଙ୍କ ପତ୍ନୀ ବିଏସ୍ ପାର୍ବତୀଙ୍କୁ ତାଙ୍କର ୩.୧୬ ଏକର ଭୂମି ପରିବର୍ତ୍ତେ ୫୦:୫୦ ଅନୁପାତ ଯୋଜନାରେ ଭୂମି ଆବଣ୍ଟନ କରାଯାଇଥିଲା, ଯେଉଁଠି ପ୍ରାଧିକରଣ ଏକ ଆବାସିକ ଲେଆଉଟ୍ ବିକଶିତ କରିଥିଲା । ବିବାଦୀୟ ଯୋଜନା ଅଧିନରେ ମହୀଶୂର ସହରୀ ବିକାଶ ପ୍ରାଧିକରଣ ଭୂମି ହରାଇଥିବା ବ୍ୟକ୍ତିଙ୍କୁ ଅର୍ଜିତ ଅବିକଶିତ ଭୂମି ବଦଳରେ ବିକଶିତ ଭୂମିର ୫୦ ପ୍ରତିଶତ ଆବଣ୍ଟିତ କରିଥିଲା । ଅଭିଯୋଗ ରହିଛି ଯେ ମହୀଶୂର ତହସିଲର କସାବା ହୋବଲିର କସାରେ ଗାଁରେ ସର୍ବେକ୍ଷଣ ସଂଖ୍ୟା ୪୬୪ର ଏହି ୩.୧୬ ଏକର ଜମି ଉପରେ ପାର୍ବତୀଙ୍କ କୌଣସି ଆଗତଗତ ଅଧିକାର ନଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.