ବେଙ୍ଗାଲୁରୁ ୧।୩: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ଶୁକ୍ରବାର ଏକ ଡରାଇ ଦେବା ଭଳି ଘଟଣା ଘଟିଛି। ଏଠାକାର ହ୍ୱାଇଟଫିଲ୍ଡ ଅଞ୍ଚଳର ଆଇଟିପିଏଲ ରୋଡରେ ଥିବା ପ୍ରଶିଦ୍ଧ ରାମେଶ୍ୱରମ କାଫେରେ ବିସ୍ଫୋରଣ ହୋଇଛି। ଏହି ବିସ୍ପୋରଣ ଯୋଗୁ ଏ ପର୍ଯ୍ୟନ୍ତ ୯ ଜଣ ଲୋକ ଆହତ ହୋଇଥିବାର ଖବର ଆସୁଛି। ମାମଲାର ଗୁରୁତ୍ୱକୁ ଦେଖି ବମ ସ୍କ୍ୱାଡ, ରାଜ୍ୟ ପୋଲିସ ଓ ଏନଆଇଏ ଟିମ୍ ଘଟଣାସ୍ଥଳକୁ ପହଞ୍ଚିଛନ୍ତି।
ମୁଖ୍ୟମନ୍ତ୍ରୀ ସିଦ୍ଦା ରମୈୟା ମାମଲାର ଯାଞ୍ଚ କରାଯାଉଥିବା କହିଛନ୍ତି। ଏହି ବିସ୍ଫୋରଣରେ ୮ ଜଣ ଆହତ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ବିସ୍ଫୋରଣ କାଳରେ ଲୋକେ ସେଠାରେ ଖାଉଥିଲେ। ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱଭାବିକ ରହିଛି। କେହି ଗୁରୁତର ଆହତ ହୋଇ ନାହାନ୍ତି। ଅଞ୍ଚଳର ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି। କୁହାଯାଉଛି ରେଷ୍ଟୁରାଣ୍ଟରେ କେହି ବିସ୍ଫୋରକ ବ୍ୟାଗ ରଖି ଦେଇଥିଲା। ଏଥିରେ ଇମ୍ପ୍ରୋଭାଇଜଡ୍ ହାଇ ଏକ୍ସପ୍ଲୋସିଭ (ଆଇଇଡି) ରଖିଥିବାର ସନ୍ଦେହ କରାଯାଉଛି।
ମୁଖ୍ୟମନ୍ତ୍ରୀ ବିସ୍ଫୋରଣ ସମସ୍ତ ଦିଗ ପ୍ରତି ଧ୍ୟାନ ଦିଆଯାଉଥିବା କହିଛନ୍ତି। ଏହି ବିସ୍ପୋରଣରେ ସାମିଲ କୌଣସି ବ୍ୟକ୍ତିକୁ ଛଡା ଯିବ ନାହିଁ। ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟମନ୍ତ୍ରୀକହିଛନ୍ତି। ତେବେ ବେଙ୍ଗାଲୁରୁ ରାମେଶ୍ୱରମ କାଫେ ବିସ୍ଫୋରଣର ଭିଡିଓ ଏବେ ସାମ୍ନାକୁ ଆସିଛି। ଏଥିରେ ଦେଖାଯାଉଛି ରେଷ୍ଟୁରାଣ୍ଟରେ କର୍ମଚାରୀ ଓ ଗ୍ରାହକ ବେଶ୍ ଆରାମରେ ସେମାନଙ୍କ କାମ କରୁଥିବା ବେଳେ ବିସ୍ଫୋରଣ ହେଉଛି।