ବେଙ୍ଗାଲୁରୁ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ଇଡି କେସ୍ ରୁଜୁ କରିଛି। ସ୍ଥିତି ଏମିତି ଯେ, ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ମୁଦାକୁ ଚିଠି ଲେଖି ତାଙ୍କୁ ଆବଣ୍ଟିତ ୧୪ ପ୍ଲଟ ଫେରାଇ ଦେବି ବୋଲି କହିଛନ୍ତି। ସେ କହିଛନ୍ତି, ମହୀଶୂର ସହରାଞ୍ଚଳ ବିକାଶ ପ୍ରାଧୀକରଣ ପକ୍ଷରୁ ତାଙ୍କୁ ଦିଆଯାଇଥିବା ୧୪ ପ୍ଲଟକୁ ରଦ୍ଦ କରାଯାଇ ଫେରାଇ ଦେବାକୁ ଚାହୁଁଛି। ମୁଁ ପ୍ଲଟର ସମସ୍ତ କାଗଜପତ୍ର ମହୀଶୂର ବିକାଶ ପ୍ରାଧୀକରଣକୁ ହସ୍ତାନ୍ତର କରୁଛି। ଦୟା କରି ଶୀଘ୍ର ଏହା ଉପରେ ପଦକ୍ଷେପ ନିଅନ୍ତୁ।
ଇଡି ଜମି ଦୁର୍ନୀତି ମାମଲାରେ ଅର୍ଥ ହେରଫେର ନେଇ ସିଦ୍ଧରମୈୟା, ତାଙ୍କ ପତ୍ନୀ ଓ ଅନ୍ୟ କିଛି ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ଇଡି ମାମଲାରେ ସିଦ୍ଧରମୈୟାଙ୍କ ବିରୋଧରେ ପିଏମଏଲଏ ଧାରା ଲଗାଇଛି। ତେଣୁ ଇଡି ସିଦ୍ଧରମୈୟା ଓ ତାଙ୍କ ପତ୍ନୀଙ୍କୁ ଜେରା ପାଇଁ ଡକାଇପାରେ।
ଏହି ମାମଲା ଉପରେ ମୁଖ୍ୟମନ୍ତ୍ରୀ କିମ୍ବା ଅନ୍ୟ ନେତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। କିନ୍ତୁ ସିଦ୍ଧରମୈୟା ଇସ୍ତଫା ଦେବାକୁ ମନା କରି ଦେଇଛନ୍ତି। ସେ କହିଥିଲେ ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ସେ କିଛି ଭୁଲ୍ କରି ନାହାନ୍ତି। ସେ ଆଇନଗତ ଲଢେଇ ଜାରି ରଖିବେ।