ବେଙ୍ଗାଲୁରୁ: ଜିରୋ ଟ୍ରାଫିକ୍ ପ୍ରୋଟକଲ ହଟାଇବାକୁ ବେଙ୍ଗୁଲୁରୁ ପୁଲିସକୁ ନିର୍ଦ୍ଦେଶ ଦେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା। ଯେଉଁ ସ୍ଥାନରେ ଏହି ନିୟମ ଲାଗୁଛି ଲୋକମାନଙ୍କୁ ଯିବା ଆସିବାରେ ଅସୁବିଧା ହେଉଛି। ଏହି ସମସ୍ୟା ଦେଖିବା ପରେ ଜିରୋ ଟ୍ରାଫିକ ପଲିସକୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିବା ସିଦ୍ଧରମେୟା ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ସେ କହିଛନ୍ତି “ମୋ ଗାଡ଼ି ଯିବା ଆସିବା ବେଳେ ଜିରୋ ଟ୍ରାଫିକ ପ୍ରୋଟକଲ ହଟାଇବାକୁ ମୁଁ ବେଙ୍ଗୁଲୁର ସିଟି ପୁଲିସ କମିଶନରଙ୍କୁ କହିଛି।” ଲୋକମାନଙ୍କୁ ଅସୁବିଧା ହେଉଥିବା ଦେଖି ଏହି ନିଷ୍ପତ୍ତି ନେଇଛି ବୋଲି ସିଦ୍ଧରମେୟା କହିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ଭିଆଇପିମାନଙ୍କୁ ଜିରୋ ଟ୍ରାଫିକ୍ ପଲିସି ବ୍ୟବସ୍ଥା ଯୋଗାଇ ଦିଆଯାଇଥାଏ। ବେଙ୍ଗାଲୁରୁରେ ଯିବାଆସିବା ସମୟରେ ଯେମିତି ଭିଡ଼ରେ ଫସି ନଯାଆନ୍ତି, ସେଥିପାଇଁ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଥାଏ। ନେତାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଯୋଗୁ ସାଧାରଣ ଲୋକଙ୍କୁ ଟ୍ରାଫିକ୍ରେ ଅଟକିବାକୁ ପଡ଼ିଥାଏ।
ସୂଚନା ଥାଉକି, ଶନିବାର (ମେ ୨୦) ତାରିଖରେ ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ଭାବେ ଡି.କେ ଶିବକୁମାର ଓ କ୍ୟାବିନେଟ୍ ମନ୍ତ୍ରୀ ଶପଥ ନେଇଛନ୍ତି। ତେବେ ସିଦ୍ଧରମେୟାଙ୍କ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଓ କର୍ଣ୍ଣାଟକ ଗୃହମନ୍ତ୍ରୀ ଅରଗ ଜ୍ଞାନେନ୍ଦ୍ର ମଧ୍ୟ ଜିରୋ ଟ୍ରାଫିକ୍ ସୁବିଧାକୁ ପ୍ରତ୍ୟାହାର କରିଥିଲେ।