ଚେନ୍ନାଇ; ଚେସ୍ ଅଲିମ୍ପିଆଡରେ ଭାରତ ଚାମ୍ପିଅନ । ଶହେ ବର୍ଷ ପରେ ସ୍ବର୍ଣ୍ଣ ପଦକ । ଇତିହାସ ରଚିଲେ ପ୍ରଜ୍ଞାନନନ୍ଦା ଏବଂ ବୈଶାଳୀ । ଗୋଟିଏ ପରିବାରରେ ଡବଲ ଗୋଲ୍ଡ । ଚେସ୍ ପ୍ରତି ସମର୍ପିତ ପୂରା ପରିବାର । ସେପ୍ଟେମ୍ବର ୨୨, ଭାରତୀୟ ଚେସ୍ ଇତିହାସରେ ସ୍ମରଣୀୟ ଦିନ । କାରଣ ବୁଦାପେଷ୍ଟର ୪୫ତମ ଚେସ୍ ଅଲିମ୍ପିଆଡରେ ରେକର୍ଡ ବ୍ରେକିଂ ପରଫର୍ମାନ୍ସ କରିଛି ଭାରତ । ଗୋଟିଏ ପରିବାରରୁ ଦୁଇ ଜଣ ଚାମ୍ପିଅନ ହୋଇ ଭାରତକୁ ବିଶ୍ବରେ ନୂଆ ପରିଚୟ ଦେଇଛନ୍ତି । ଶହେ ବର୍ଷ ପରେ ପୁରୁଷ ଓ ମହିଳା ବର୍ଗରେ ଭାରତକୁ ସ୍ବର୍ଣ୍ଣ ପଦକ ମିଳିଛି । ଚେନ୍ନାଇ ଗ୍ରାଣ୍ଡମାଷ୍ଟର ଆର୍. ପ୍ରଜ୍ଞାନନନ୍ଦା ଏବଂ ତାଙ୍କ ଉଭଣୀ ଆର୍. ବୈଶାଳୀ ବିରୋଧୀଙ୍କୁ ମାତ୍ ଦେଇ ବୁଦାପେଷ୍ଟ ଚେସ୍ ଅଲିମ୍ପିଆଡରେ ବିଶ୍ବ ବିଜେତା ହୋଇଛନ୍ତି ।
୧୯୨୪ ମସିହାରୁ ବୁଦାପେଷ୍ଟ ଚେସ୍ ଅଲିମ୍ପିଆଡ୍ ଆୟୋଜିତ ହୋଇଆସୁଛି । ଏଥିରେ ଭାରତୀୟ ପ୍ରତିଯୋଗୀ ସ୍ବର୍ଣ୍ଣ ପଦକର ସ୍ବପ୍ନ ଦେଖିଥିଲେ ହେଁ କେବେ ବି ସଫଳତା ନକଟତର ହୋଇପାରୁନଥିଲେ । କେବଳ ବ୍ରୋଞ୍ଜ ପଦକରେ ସୀମିତ ରହୁଥିଲା ଭାରତୀୟ ଚେସ୍ ତାରକାଙ୍କ ଯାତ୍ରା । ମାତ୍ର ଏଥର ଚେନ୍ନାଇର ଭାଇ-ଭଉଣୀ ଗ୍ରାଣ୍ଡମାଷ୍ଟର ଯୋଡ଼ି ଐତହାସିକ ବିଜୟ ହାସଲ କରିଛନ୍ତି । ଆର.ପ୍ରଜ୍ଞାନନନ୍ଦା ଏବଂ ଜିଏମ୍ ଆର. ବୈଶାଳୀ ଫାଇନାଲରେ ଭାରତୀୟ ପୁରୁଷ ଏବଂ ମହିଳା ଦଳକୁ ବିଶ୍ବ ବିଜେତା କରାଇଛନ୍ତି । ଫାଇନାଲ ରାଉଣ୍ଡରେ ପୁରୁଷ ଦଳ ୩.୫ ଏବଂ ୦.୫ରେ ସ୍ଲୋଭେନିଆକୁ ଏବଂ ମହିଳା ଦଳ ୩.୫ ଏବଂ ୦.୫ରେ ଆଜରବାଇଜାନକୁ ପରାଜିତ କରିଛନ୍ତି ।
କଠିନ ପରିଶ୍ରମ, ଏକାଗ୍ରତା ଏବଂ ସଂଘର୍ଷ ପାଇଁ ସଫଳତାର ଶିଢ଼ି ଚାଲିଛନ୍ତି ଚେନ୍ନାଇର ଚେସ୍ ଗ୍ରାଣ୍ଡମାଷ୍ଟର ଯୋଡ଼ି ବୈଶାଳୀ ଏବଂ ପ୍ରଜ୍ଞାନନନ୍ଦା । ବାପାଙ୍କ ପ୍ରୋତ୍ସାହନ ଏବଂ ମା’ଙ୍କ ଦିଗଦର୍ଶନରେ ଉଭୟ ବିଶ୍ୱ ଚେସ୍ରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଗୋଟିଏ ପରିବାରରେ ୨ଜଣ ଚାମ୍ପିଅନ ହେବା ଭାରତୀୟ ଚେସ୍ ଇତିହାସରେ ଏହା ବିରଳ ଘଟଣା । ସେ ବି ପୁଣି ଗୋଟିଏ ସଂସ୍କରଣରେ ଭାଇ, ଭଉଣୀ ବିଶ୍ୱ ଚାମ୍ପିଅନ । ବୈଶାଳୀ ପ୍ରଜ୍ଞାନନନ୍ଦାଙ୍କ ଠାରୁ ବୟସରେ ବଡ଼ । ଚଳିତ ବର୍ଷ ସେ ଜିଏମ୍ ଟାଇଟଲ ହାସଲ କରିଥିଲେ । ୨୦୨୦ରେ ଅନ୍ଲାଇନ ଅଲିମ୍ପିଆଡରେ ସ୍ୱର୍ଣ୍ଣ, ୨୦୨୧ରେ ବ୍ରୋଞ୍ଜ, ୨୦୨୨ ୪୪ତମ ଅଲିମ୍ପିଆଡ୍ରେ ବ୍ରୋଞ୍ଜ ଏବଂ ୨୦୨୨ ଏସୀୟ କ୍ରୀଡ଼ାରେ ରୌପ୍ୟ ଜିତିଥିଲେ ।
ସେପଟେ ଭାଇ ପ୍ରଜ୍ଞାନନନ୍ଦା ବି ଭାଉଣୀଙ୍କ ଠାରୁ କୌଣସି ଗୁଣରେ କମ୍ ନୁହନ୍ତି । ବିଭିନ୍ନ ପ୍ରତିଯୋଗିତାରେ ଅତି ବିଚକ୍ଷଣ ପ୍ରଦର୍ଶନ କରି ମାତ୍ର ୧୦ ବର୍ଷ ବୟସରେ ସେ ଇଣ୍ଟରନ୍ୟାସନାଲ ମାଷ୍ଟର ଟାଇଟଲ ଏବଂ ୧୨ ବର୍ଷରେ ହୋଇଥିଲେ ଗ୍ରାଣ୍ଡମାଷ୍ଟର । ଏବେ ତାଙ୍କର ରେଟିଂ ପଏଣ୍ଟ ରହିଛି ୨୭୫୦ । ପ୍ରଜ୍ଞାନନନ୍ଦା ହେଉଛନ୍ତି ଚେସ୍ ଇତିହାସରେ ସର୍ବକନିଷ୍ଠ ଆଇଏମ୍ ଏବଂ ଦ୍ୱିତୀୟ ସର୍ବକନିଷ୍ଠ ଜିଏମ୍ । ବିଶ୍ୱର ବହୁଆଗ ଧାଡ଼ିର ଚେସ୍ ତାରକାଙ୍କୁ ସେ ପରାଜିତ କରିଛନ୍ତି । ଏବେ ୪୫ତମ ଚେସ୍ ଅଲିମ୍ପିଆଡରେ ଦଳକୁ ଚାମ୍ପିଅନ କରାଇବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।