ଏସ୍ଆଇ ପରୀକ୍ଷାରେ ବିଭ୍ରାଟ, ପ୍ରଶ୍ନପତ୍ରରେ ତ୍ରୁଟି ଲାଗି ପରୀକ୍ଷା ବାତିଲ୍
20/08/2022 at 2:29 PM

ଭୁବନେଶ୍ୱର ୨୦।୦୮ : ଏସ୍ଆଇ ପରୀକ୍ଷାରେ ବଡ଼ ଧରଣ ବିଭ୍ରାଟ। ପ୍ରଶ୍ନପତ୍ରରେ ତ୍ରୁଟି ଲାଗି ବାତିଲ୍ ହେଲା ପରୀକ୍ଷା । ତେବେ ପରୀକ୍ଷା ବାତିଲ୍ ପରେ କଟକ, ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନର ପରୀକ୍ଷା କେନ୍ଦ୍ରରେ ଉତ୍ତେଜନା ଦେଖିବାକୁ ମିଳିଛି।
ସେହିପରି ମଞ୍ଚେଶ୍ୱର ଅଞ୍ଚଳରେ ଥିବା ସିବିଟି କେନ୍ଦ୍ରରେ ଉତ୍ତେଜନା ବଢ଼ିବା ପରେ ଘଟଣା ସ୍ଥଳରେ ସ୍ଥାନୀଯ ପୋଲିସ ପହଞ୍ଚି ଛାତ୍ରଛାତ୍ରୀ ବୁଝାସୁଝା କରିବାକୁ ପ୍ରୟାସ କରିଥିଲେ। ଅନେକ ପରୀକ୍ଷାର୍ଥୀ ପରୀକ୍ଷାରୁ ବଞ୍ଚିତ ହେବା ସହ ନିରାଶ ହୋଇ ଘରକୁ ଫେରିଥିଲେ।
ତେବେ ଏସ୍ଆଇ ପରୀକ୍ଷାର୍ଥୀଙ୍କ ଅଭିଯୋଗ ମୁତାବକ, ସିବିଟି ଟେଷ୍ଟ ପାଇଁ ପରୀକ୍ଷା କେନ୍ଦ୍ର ଗୁଡିକରେ ପ୍ରଶ୍ନପତ୍ର ଡାଉନ୍ଲୋଡ୍ ପାଇଁ ଟେକ୍ନିକାଲ ସମସ୍ୟା ଦେଖାଦେଇଥିଲା ।ଫଳରେ ପରୀକ୍ଷାର୍ଥୀ ଠିକ୍ ସମୟରେ ପରୀକ୍ଷା ଦେଇନପାରିବାରୁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି।
ଏନେଇ OPRB ଅଧ୍ୟକ୍ଷ ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ବୈଷୟିକ ତ୍ରୁଟି ପାଇଁ ଏହି ସମସ୍ୟା ହୋଇଛି। ଯେଉଁମାନେ ଆଜି ପରୀକ୍ଷା ଦେଇପାରି ନାହାନ୍ତି। ସେମାନେ ଆସନ୍ତାକାଲି ପାଇଁ ଏସ୍ଆଇ ପରୀକ୍ଷା ଦେଇପାରିବେ। କେହିବି ପରୀକ୍ଷାର୍ଥୀ ପରୀକ୍ଷାରୁ ବଞ୍ଚିତ ହେବେ ନାହିଁ। ସଫ୍ଟୱେୟାରରେ ତ୍ରୁଟି ହୋଇଥିବା ସେ କହିଛନ୍ତି।