୩ ଛକା ମାରି ଦ୍ଵିଶତକ ପୂରଣ କଲେ ଗିଲ୍, ଭାଙ୍ଗିଲେ ଇଶାନ ଏବଂ ରୋହିତଙ୍କ ରେକର୍ଡ

Published By : Prameya-News7 Bureau | January 18, 2023 IST

ହାଇଦ୍ରାବାଦ: ଶୁବମାନ ଗିଲ୍ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଚମତ୍କାର ବ୍ୟାଟିଂ କରି ଦିନିକିଆରେ ନିଜର ତୃତୀୟ ଶତକ ହାସଲ କରିଛନ୍ତି। ଦେଖୁ ଦେଖୁ ଏହାକୁ ସେ ଦ୍ଵିଶତକରେ ପରିଣତ କରିଛନ୍ତି। ହାଇଦ୍ରାବାଦରେ ଧମାକଦାର ବ୍ୟାଟିଂ କରି ଦିନିକିଆ ଇତିହାସରେ ୧୦ମ ଦ୍ଵିଶତକ ହାସଲ କରିଛନ୍ତି। ଏହି ଉପଲବ୍ଧି ହାସଲ କରିବାରେ ଗିଲ୍ ପଞ୍ଚମ ଭାରତୀୟ ବ୍ୟାଟର। ଲଗାତାର ତିନି ଛକା ମାରି ଚମତ୍କାର ଷ୍ଟାଇଲ୍‌ରେ ଏହି ମାଇଲ୍ ଖୁଣ୍ଟ ଛୁଇଁଛନ୍ତି। ପ୍ରଥମେ ୮୭ ବଲ୍‌ରେ ଶତକ ହାସଲ କରିଥିବା ବେଳେ ୧୪୫ ବଲ୍‌ରେ ଦ୍ଵିଶତକ ପୂରଣ କରିଛନ୍ତି। ଏଥିସହ ଗିଲ୍ ଦଳର ସାଥୀ ଖେଳାଳି ଇଶାନ କିଷନଙ୍କ ରେକର୍ଡ ଭାଙ୍ଗିଛନ୍ତି।

ଇଶାନଙ୍କ ରେକର୍ଡ ଭାଙ୍ଗିଲେ ଗିଲ୍

{"id":734675,"width":841,"height":467,"sizeSlug":"full","linkDestination":"none"}

ଓପନିଂ ବ୍ୟାଟର ଶୁବମାନ ଗିଲ୍ ଏହି ମ୍ୟାଚ୍‌ରେ ବ୍ୟାଟିଂ କରିବାକୁ କ୍ରିଜକୁ ଓହ୍ଲାଇବା ସମୟରେ ତାଙ୍କର ବୟସ ୨୩ ବର୍ଷ ୧୩୨ ଦିନ ଥିଲା। ଅର୍ଥାତ ବିଶ୍ଵର ସର୍ବକନିଷ୍ଠ ବ୍ୟାଟର ଭାବେ ସେ ଦ୍ଵିଶତକ ଅର୍ଜନ କରିଛନ୍ତି। ତାଙ୍କ ପୂର୍ବରୁ ଇଶାନ ୨୦୨୨ ଡିସେମ୍ବର ୨୨ରେ ବାଂଲାଦେଶ ବିପକ୍ଷରେ ଦ୍ଵିଶତକ ହାସଲ କରିଥିଲେ। ସେହି ସମୟରେ ତାଙ୍କର ବୟସ ୨୪ ବର୍ଷ ୧୪୫ ଦିନ ହୋଇଥିଲା। ଇଶାନଙ୍କ ପୂର୍ବରୁ କମ ବୟସରେ ଦ୍ଵିଶତକ ମାରିବାର ରେକର୍ଡ ରୋହିତ ଶର୍ମାଙ୍କ ନାମରେ ଥିଲା। ରୋହିତ ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୬ ବର୍ଷ ୧୮୬ ଦିନରେ ଦ୍ଵିଶତକୀୟ ପାଳି ଖେଳିଥିଲେ।

ବିରାଟ ଏବଂ ଧାଓ୍ଵନଙ୍କୁ ପଛରେ ପକାଇଲେ

{"id":734676,"width":840,"height":472,"sizeSlug":"full","linkDestination":"none"}

ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଗିଲ୍ ଏହି ଇନିଂସ ଜରିଆରେ ବିରାଟ କୋହଲି ଏବଂ ଶିଖର ଧାଓ୍ଵନଙ୍କ ବଡ ରେକର୍ଡ ଧ୍ଵସ୍ତ କରିଛନ୍ତି। ଭାରତ ପକ୍ଷରୁ ଦିନିକିଆ ଅନ୍ତର୍ଜାତୀୟରେ ଦ୍ରୁତ ୧୦୦୦ ରନ ପୂରଣ କରିଛନ୍ତି। ଏହା ପୂର୍ବରୁ ଏହି ରେକର୍ଡ ବିରାଟ କୋହଲି ଏବଂ  ଶିଖର ଧାଓ୍ଵନଙ୍କ ନାମରେ ଥିଲା। ଦୁଇ ବ୍ୟାଟର ୨୪ଟି ଲେଖାଏଁ ଇନିଂସରୁ ଏହି ଉପଲବ୍ଧି ହାସଲ କରିଥିବା ବେଳେ ଗିଲ୍ ମାତ୍ର ୧୯ଟି ଇନିଂସରେ ଏହି ସଫଳତା ପାଇଛନ୍ତି। ତେବେ ଗିଲ୍ ପାକିସ୍ତାନର ଫକର ଜମାନଙ୍କ ବିଶ୍ଵ ରେକର୍ଡ ଭାଙ୍ଗିବାରେ ମାତ୍ର ଗୋଟିଏ ଇନିଂସ ପଛରେ ରହି ଯାଇଛନ୍ତି।

{"id":734677,"width":841,"height":471,"sizeSlug":"full","linkDestination":"none"}

ଦିନିକିଆ ଅନ୍ତର୍ଜାତୀୟ ଫକର ଜମାନ ଦ୍ରୁତତମ ୧୦୦୦ ରନ ପୂରଣ କରିଛନ୍ତି। ସେ ୧୮ଟି ଇନିଂସରୁ ଏହି ରେକର୍ଡ କରିଛନ୍ତି। ତେବେ ଗିଲ୍‌ ପାକିସ୍ତାନର ଆଉ ଏକ ବ୍ୟାଟର ଇମାମ ଉଲ ହକ୍‌ଙ୍କ ରେକର୍ଡର ସମକକ୍ଷ କରିଛନ୍ତି, ଯିଏ ୧୯ଟି ଇନିଂସରେ ୧୦୦୦ ଦିନିକିଆ ରନ କରିଥିଲେ। ଗିଲ୍ ୩୨.୪ ଓଭରରେ ଚୌକା ଲଗାଇ ଏହି ରେକର୍ଡ ନିଜ ନାମରେ କରିଛନ୍ତି। ଗିଲ୍ ଭିଭି ରିଚାର୍ଡ୍ସ,  କେଭିନ ପିଟରସନ, ଜୋନାଥନ ଟ୍ରଟ, କ୍ଵିଣ୍ଟନ ଡିକକ୍‌, ବାବର ଆଜମଙ୍କ ପରି ବ୍ୟାଟରଙ୍କୁ ପଛରେ ପକାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.