୨୩ ତାରିଖରୁ ଖୋଲିବ ଶ୍ରୀମନ୍ଦିର: ଆରମ୍ଭ ହେଲା ପ୍ରସ୍ତୁତି, କରୋନା ନେଗେଟିଭ୍ ରିପୋର୍ଟ ଆଣିବା ଭକ୍ତଙ୍କ ପାଇଁ ହେବ ମୁସ୍କିଲ !

Published By : Prameya-News7 Bureau | December 13, 2020 IST

ପୁରୀ ୧୩।୧୨: ପୁରୀ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିବା ନେଇ ଛତିଶା ନିଯୋଗର ସୁପାରିଶକୁ ସବୁ ସ୍ତରରେ ସ୍ବାଗତ କରାଯାଇଛି। ଖୁବ ଶୀଘ୍ର ସରକାର କୋଭିଡ଼ କଟକଣା ମଧ୍ୟରେ ମନ୍ଦିର ଖୋଲିବା ନିଷ୍ପତ୍ତି ନେବାକୁ ମତପ୍ରକାଶ ପାଇଛି। ତେବେ ୬୫ ବର୍ଷରୁ ଉର୍ଦ୍ଧ ବୟସର ଭକ୍ତଙ୍କ ମନ୍ଦିର ପ୍ରବେଶ ଉପରେ ଥିବା କଟକଣା କୋହଳ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ଶ୍ରଦ୍ଧାଳୁ। ସେହିପରି ରାଜ୍ୟର ଅନ୍ୟ ଭାଗର ମନ୍ଦିର ଖୋଲିବା ନେଇ ତୁରନ୍ତ ଘୋଷଣା କରିବାକୁ ମଧ୍ୟ ଦାବି ହୋଇଛି।

୨୩ ତାରିଖରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ । ଆରମ୍ଭ ହୋଇଛି ପ୍ରସ୍ତୁତି। ସିଂହଦ୍ବାର ଦେଇ ଭକ୍ତଙ୍କ ପ୍ରବେଶକୁ ଶୃଙ୍ଖଳିତ କରିବା ପାଇଁ ନୂଆ ବ୍ୟାରିକେଡ଼ କରାଯାଉଛି । ବନ୍ଦ ପଡ଼ିଥିବା ସାମିୟାନା ଓ ଛାଉଣୀକୁ ସଜଡ଼ା ଯାଉଛି। ୨୩ ରୁ ୩୧ ତାରିଖ ପର୍ଯ୍ୟନ୍ତ ପୁରୀର ଭକ୍ତଙ୍କୁ ପରୀକ୍ଷାମୂଳକ ଭାବେ ଦର୍ଶନ ସୁଯୋଗ ଦିଆଯିବ। ଏହା ପରେ ଅନ୍ୟ ଭକ୍ତଙ୍କ ପାଇଁ ଜାନୁଆରୀ ୩ ତାରିଖରୁ ଖୋଲିବ ମନ୍ଦିର। ମନ୍ଦିର ଖୋଲିବା ନେଇ ସବୁସ୍ତରରେ ସହମତି ରହିଥିବା ବେଳେ ବରିଷ୍ଠ ଭକ୍ତଙ୍କ ପାଇଁ ଥିବା ନିୟମକୁ କୋହଳ କରିବାକୁ ଦାବି ହେଉଛି। ୬୫ ବର୍ଷରୁ ଉର୍ଦ୍ଧ ବୟସର ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ ଉପରେ ଲାଗୁ ହୋଇଥିବା କଟକଣା କୋହଳ କରିବାକୁ ଦାବି କରିଛନ୍ତି ଭକ୍ତ। ସେହିପରି ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ କରୋନା ନେଗେଟିଭ୍ ରିପୋର୍ଟ ଆଣିବା ଭକ୍ତଙ୍କ ପାଇଁ ମୁସ୍କିଲ ହେବ ବୋଲି ବଖାଣିଛନ୍ତି ବଡ଼ଦାଣ୍ଡକୁ ଆସିଥିବା ଭକ୍ତ।

{"id":376861,"sizeSlug":"large","linkDestination":"none"}

୯ ମାସ ପରେ ଶ୍ରୀମନ୍ଦିର ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ରାଜ୍ୟରେ ବନ୍ଦ ହୋଇ ପଡ଼ିଥିବା ଶହ ଶହ ମଠ ମନ୍ଦିର ଭକ୍ତଙ୍କ ପାଇଁ କେମିତି ଖୋଲିବ ସେନେଇ ଚିନ୍ତା ବି ବଢ଼ିବାରେ ଲାଗିଛି।  ଜିଲ୍ଲା ପ୍ରଶାସନ ଏନେଇ ନିଷ୍ପତ୍ତି ନେବ ବୋଲି ସରକାର କହିବା ଦେଢ଼ମାସ ବିତିଗଲାଣି। କିନ୍ତୁ କୌଣସି ଗୋଟିଏ ବି ସ୍ଥାନରେ ମନ୍ଦିର ଖୋଲିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିବା ଜଣା ପଡ଼ିନାହିଁ। ସମ୍ବଲପୁରର ମା ସମଲେଶ୍ବରୀଙ୍କ ମନ୍ଦିର ହେଉ କି ଯାଜପୁରର ମା ବିରଜାଙ୍କ ମନ୍ଦିର କିମ୍ବା ଭୁବନେଶ୍ବର ଶ୍ରୀଲିଙ୍ଗରାଜଙ୍କ ମନ୍ଦିର। ରାଜ୍ୟର ଇତିହାସ ସହିତ ଓତଃପ୍ରୋତ ଭାବେ ଜଡ଼ିତ ଏମିତି ଶତାଧିକ ମନ୍ଦିର ବନ୍ଦ ପଡ଼ିଛି। ସରକାର ଏନେଇ ଶୀଘ୍ର ନିଷ୍ପତି ନେବାକୁ ବିଭିନ୍ନ ସ୍ତରରେ ଅନୁରୋଧ କରାଯାଇଛି। 

{"id":376862,"sizeSlug":"large","linkDestination":"none"}

ମିଳିଥିବା ସୂଚନା ଅନୁସାରେ ଜାନୁୟାରୀ ପ୍ରଥମ ସପ୍ତାହରେ ଖୋଲିପାରେ ଲିଙ୍ଗରାଜ ମନ୍ଦିର। ଏନେଇ ସମସ୍ତଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ।। ଆଗକୁ ନୂଆ ବର୍ଷ ଓ ମାର୍ଚ୍ଚ ମାସରେ ଶିବରାତ୍ରୀ ପଡୁଛି। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ହେବ । ତେଣୁ ୪ ନିଯୋଗ, ମନ୍ଦିର ଟ୍ରଷ୍ଟ ବୋର୍ଡ ବସି ବିଚାର ବିମର୍ଷ କରି ନିଷ୍ପତ୍ତି ନେବେ।

ଭଗବାନଙ୍କ ଦର୍ଶନ ପାଇଁ ବ୍ୟାକୁଳ ହେଲେଣି ଭକ୍ତ। ଆଉ ଡେରି ନକରି ମନ୍ଦିର ଖୋଲିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି । ମନ୍ଦିର ଖୋଲିଲେ ସରକାରଙ୍କ ଗାଇଡ଼ଲାଇନ ମାନି ଦର୍ଶନ କରିବେ ବୋଲି ନିଜ ଆଡୁ ପ୍ରତିଶ୍ରୁତି ଦେଇଛନ୍ତି ଭକ୍ତମାନେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.