ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ରୁ ଶ୍ରେୟସ୍ ବାଦ୍, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ
17/01/2023 at 4:12 PM

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳା ପୂର୍ବରୁ ବଡ ଝଟକା ଲାଗିଛି। ଦଳର ମଧ୍ୟକ୍ରମ ବ୍ୟାଟସମ୍ୟାନ ଶ୍ରେୟସ ଆୟର ଆହତଜନିତ ସମସ୍ୟା କାରଣରୁ ଶୃଙ୍ଖଳାରୁ ବାଦ୍ ପଡିଛନ୍ତି। ବିସିସିଆଇ ମଙ୍ଗଳବାର ଏହାର ସୂଚନା ଜାରି କରିଛି। ଶ୍ରେୟସଙ୍କ ସ୍ଥାନରେ ରଜତ ପାଟିଦାରଙ୍କୁ ଦଳରେ ସ୍ଥାନ ମିଳିଛି।
ଶ୍ରେୟସ ଆୟରଙ୍କ ପିଠିରେ ଆଘାତ ଲାଗିଛି। ସୁସ୍ଥ ହେବା ପାଇଁ ଶ୍ରେୟସଙ୍କୁ ସଂପ୍ରତି ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ରେ ରହିବାକୁ ପଡିବ। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଜାନୁଆରୀ ୧୮ ଅର୍ଥାତ ଆସନ୍ତାକାଲିଠୁ ଆରମ୍ଭ ହେବ। ଏହି ମ୍ୟାଚ୍ ହାଇଦ୍ରାବାଦରେ ଖେଳାଯିବ।
ଡାହାଣହାତୀ ବ୍ୟାଟର ଶ୍ରେୟସଙ୍କ ଗତ ବର୍ଷ ପ୍ରଦର୍ଶନ ପ୍ରଭାବଶାଳୀ ରହିଥିଲା। ସେ ୨୦୨୨ରେ ଭାରତ ପକ୍ଷରୁ ଦିନିକିଆରେ ସର୍ବାଧିକ ରନ କରିଥିଲେ। ସେ ୧୭ ଦିନିକିଆରେ ୭୨୪ ରନ କରିଥିଲେ। ତେବେ ୨୦୨୩ ଆରମ୍ଭ ଶ୍ରେୟସଙ୍କ ପାଇଁ ଆଶାନୁରୂପ ରହିନାହିଁ। ସେ ନିକଟରେ ସଂପନ୍ନ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଶୃଙ୍ଖଳାରେ କୌଣସି ଖାସ୍ ପ୍ରଦର୍ଶନ କରି ପାରିନଥିଲେ। ଏଥିରେ ସେ ୨୮, ୨୮ ଏବଂ ୩୮ ରନ କରିଥିଲେ।
ଭାରତ ବନାମ ନ୍ୟୁଜିଲାଣ୍ଡ ଦିନିକିଆ ଶୃଙ୍ଖଳା
ପ୍ରଥମ ଦିନିକିଆ- ଜାନୁଆରୀ ୧୮, ହାଇଦ୍ରାବାଦ, ଅପରାହ୍ନ ୧ଟା ୩୦
ଦ୍ଵିତୀୟ ଦିନିକିଆ- ଜାନୁଆରୀ ୨୧, ରାୟପୁର, ଅପରାହ୍ନ ୧ଟା ୩୦
ତୃତୀୟ ଦିନିକିଆ- ଜାନୁଆରୀ ୨୪, ଇନ୍ଦୋର, ଅପରାହ୍ନ ୧ଟା ୩୦
ଦିନିକିଆ ଦଳ
ରୋହିତ ଶର୍ମା(ଅଧିନାୟକ), ଶୁଭମାନ ଗିଲ୍, ଇଶାନ କିଷନ(ଓ୍ଵିକେଟ୍ କିପର), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେଏସ ଭରତ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା(ଉପ ଅଧିନାୟକ), ରଜତ ପାଟିଦାର, ଓ୍ଵାଶିଂଟନ ସୁନ୍ଦର, ଶାହବାଜ ଅହମ୍ମଦ, ଶାର୍ଦ୍ଦୁଳ ଠାକୁର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମରାନ ମଲିକ।