ପରିକ୍ରମା ପ୍ରକଳ୍ପ ପରେ ହେବ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର, ଆରମ୍ଭ ହେଲା ଓବିସିସି ଖନନ କାର୍ଯ୍ୟ

Published By : Prameya-News7 Bureau | February 26, 2024 IST

ପୁରୀ ୨୬/୦୨: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପରେ ଭକ୍ତମାନଙ୍କ ପାଇଁ ନିର୍ମାଣ ହେବାକୁ ଯାଉଛି ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର। ଏଥିସହ ପରିକ୍ରମା ପ୍ରକଳ୍ପ ପାଇଁ ଉଛେଦ ହୋଇଥିବା ପୁରାତନ ରଘୁନନ୍ଦନ ପାଠାଗାରର ମଧ୍ୟ ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏମାର ମଠ ନିକଟରେ ଏନେଇ ମାଟି ଖନନ ଆରମ୍ଭ ହୋଇଥିବା ବେଳେ ପ୍ରଥମେ ବେସ୍ ମେଣ୍ଟ କରାଯିବା ପରେ ଫାଉଣ୍ଡେସନ ପ୍ରସ୍ତୁତ ହେବ ।

ଶ୍ରୀମନ୍ଦିର ନିକଟରେ ଥିବା ଏମାର ମଠ ଜମିରେ ନିର୍ମାଣ ହେବ ଭକ୍ତଙ୍କ ପାଇଁ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର। ସେହିପରି ପୁରାତନ ରଘୁନନ୍ଦନ ପାଠାଗାର କୁ ମଧ୍ୟ ପୁନଃ ନିର୍ମାଣ କରାଯିବ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଏମାର ମଠ ନିକଟରେ ଓବିସିସି ପକ୍ଷରୁ ଖନନ କାର୍ଯ୍ୟ ଆରମ୍ଭ କରାଯାଇଛି। ପ୍ରଥମେ ବେସ୍ ମେଣ୍ଟ ପ୍ରସ୍ତୁତ କରାଯାଇ ଫାଉଣ୍ଡେସନ ପକାଯିବା ପରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ଏବଂ ରଘୁନନ୍ଦନ ପାଠାଗାର ନିର୍ମାଣ ହେବ ।

ସେପଟେ ଓବିସିସି ପକ୍ଷରୁ ଆରମ୍ଭ ହୋଇଥିବା ନିର୍ମାଣ କାର୍ଯ୍ୟକୁ ବିରୋଧ ସେବାୟତ ଓ ବୁଦ୍ଧିଜୀବୀ ବିରୋଧ କରିଛନ୍ତି । ଏମାର ମଠର ଚାରିପଟେ ହୋଇଥିବା ଜିପିଆରଏସ୍ ସର୍ଭେ ରିପୋର୍ଟ ସାର୍ବଜନୀନ କରାଯାଇନଥିବା ବଳେ ପୁଣି ଖନନ କାର୍ଯ୍ୟ ଆରମ୍ଭ ହେବାକୁ ନେଇ ଆପତ୍ତି ଉଠାଇଛନ୍ତି ସେବାୟତ । ଏମାର ମଠ ଏକ ଐତିହ୍ୟ ସମ୍ପନ୍ନ ମଠ ହୋଇଥିବା ବେଳେ ଏହି ମଠରେ ଅନେକ ଗୁପ୍ତ କୀର୍ତ୍ତିରାଜି ଓ ଗୁପ୍ତ ଧନ ମାଟି ତଳେ ଥିବା କୁହାଯାଉଛି ।

ପୂର୍ବରୁ ଏମାର ମଠରୁ ମୂଲ୍ୟବାନ ରୂପା ଇଟା ମଧ୍ୟ ମିଳିଥିଲା। ପରିକ୍ରମା ପ୍ରକଳ୍ପ ନିର୍ମାଣ ପାଇଁ ଖନନ ବେଳେ ମାଟିତଳୁ ସିଂହ ମୂର୍ତ୍ତି ମଧ୍ୟ ମିଳିଥିଲା। ଏଣୁ ଏମାର ମଠର ମାଟି ତଳେ କ'ଣ ସବୁ ଐତିହ୍ୟ କୀର୍ତ୍ତିରାଜି ରହିଛି ସେନେଇ ଓବିସିସି ପକ୍ଷରୁ ହୋଇଥିବା ଜିପିଆରଏସ୍ ସର୍ଭେ ରିପୋର୍ଟ ସାର୍ବଜନୀନ କରିବା ପାଇଁ ସେବାୟତ ଦାବି କରିଛନ୍ତି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଏମାର ମଠର କେବଳ ମନ୍ଦିର ଏବଂ ପୂଜା ସ୍ଥଳୀ କୁ ଛାଡ଼ି ଅନ୍ୟ ଘର ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଉଛେଦ କରାଯାଇଥିଲା। ୨୦୨୧ ମସିହାରେ ଉଛେଦ ସମୟରେ ରୂପା ଇଟା ଏମାର ମଠରୁ ଉଦ୍ଧାର କରାଯାଇଥିବାବେଳେ ଏହା ପୂର୍ବରୁ ମଧ୍ୟ ୫୨୨ ଖଣ୍ଡ ରୂପା ଇଟା ଏମାର ମଠରୁ ପ୍ରଶାସନ ଜବତ କରିଥିଲା।

ଏଣୁ ଏମାର ମଠ ତଳେ ଅନେକ ଗୁପ୍ତ ଧନ ଥିବା ବିଶ୍ବାସ କରାଯାଉଥିବା ବେଳେ ଏହାକୁ ଠାବ କରି ଉଦ୍ଧାର ପାଇଁ ଦାବି ହୋଇ ଆସୁଛି। ଏମାର ମଠ ଉଛେଦ ପରେ ମାଟି ତଳେ ଗୁପ୍ତ ଧନ ଏବଂ ଐତିହ୍ୟ କୀର୍ତ୍ତିରାଜି ଅଛି କି ନାହିଁ ତାହା ଜାଣିବା ପାଇଁ ଓବିସିସି ମେ ମାସ ୨୦୨୨ ରେ ଗାନ୍ଧୀନଗର ଆଇଆଇଟି ସାହାଯ୍ୟରେ ମାଟି ତଳର ତଥ୍ୟ ପାଇଁ ଓବିସିସି ଜିପିଆରଏସ୍ ସର୍ଭେ କରିଥିଲା। ଏଥିପାଇଁ ୪୦ ଲକ୍ଷ ୬୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା।

ତେବେ ଏହି ରିପୋର୍ଟ ସାର୍ବଜନୀନ ହୋଇନଥିବା ବେଳେ ଓବିସିସି ଏମାର ମଠ ଜମିରେ ଖନନ କରିବାକୁ ନେଇ ବିଭିନ୍ନ ମହଲରେ ବିରୋଧ କରାଯାଇଛି। ଏନେଇ ଅନେକ କୀର୍ତ୍ତିରାଜି ଓ ଗୁପ୍ତ ଧନ ମାଟି ତଳେ ରହିଥିବା ବୁଦ୍ଧିଜୀବୀ ମାନେ ଆଶଙ୍କା କରିଛନ୍ତି। ସେପଟେ ଜିପିଆରଏସ୍ ସର୍ଭେ ରିପୋର୍ଟ ରୁ ସେଭଳି କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ମିଳିନଥିବାରୁ ଭକ୍ତଙ୍କ ପାଇଁ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ଏବଂ ରଘୁନନ୍ଦନ ପାଠାଗାର ନିର୍ମାଣ ପାଇଁ ଖନନ କରାଯାଉଥିବା ଓବିସିସି ଜିଏମ୍ ପ୍ରଭାତ କୁମାର ପାଣିଗ୍ରାହୀ ସ୍ପଷ୍ଟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.