ପୁରୀ ୦୭/୧୨: ଏବେ ଶ୍ରୀମନ୍ଦିର ଭିତରେ ନିଷିଦ୍ଧ ହେବ ସ୍ମାର୍ଟ ଫୋନ୍। ୨୦୨୩ ଜାନୁଆରୀ ୧ ରୁ ଏହି କଟକଣା ଲାଗିବା ନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଏନେଇ ସୂଚନା ଦେଇଛନ୍ତି। ମନ୍ଦିର ଭିତର ଓ ପରିସର ଫଟୋ ବାରମ୍ବାର ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ବୁଧବାର ଛତିଶା ନିଯୋଗ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। କେବଳ ଜରୁରି ନୀତି ନିର୍ଘଣ୍ଟ ସୂଚନା ଦେବା ପାଇଁ ଶ୍ରୀମନ୍ଦିର କମାଣ୍ଡର ସ୍ମାର୍ଟ ଫୋନ୍ ବ୍ୟବହାର କରି ପାରିବେ। ଅନ୍ୟାନ୍ୟ ଅଧିକୃତ ଶ୍ରୀମନ୍ଦିରର ଅଧିକାରୀ ଓ ସେବାୟତମାନେ ସାଧାରଣ କିପ୍ୟାଡ ଥିବା ମୋବାଇଲ ବ୍ୟବହାର କରି ପାରିବେ।
ପୂର୍ବରୁ ଭକ୍ତମାନେ ଶ୍ରୀମନ୍ଦିରକୁ ମୋବାଇଲ ନେବା ଉପରେ ସମ୍ପୁର୍ଣ୍ଣ କଟକଣା ରହିଛି। କେବଳ ଅଧିକାରୀ ଓ ଅଧିକୃତ ସେବାୟତ ମାନେ ଶ୍ରୀମନ୍ଦିର ଭିତରେ ସ୍ମାର୍ଟ ଫୋନ ବ୍ୟବହାର କରୁଥିଲେ। ଆଜି ଛତିଶା ନିଯୋଗ ବୈଠକରେ ଏନେଇ ବିଚାର ବିମର୍ଶ ହେବା ପରେ ଏଭଳି କଟକଣାକୁ ସର୍ବ ସମ୍ମତି ମିଳିଛି। ଆସନ୍ତା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି କଟକଣାକୁ ଅନୁମୋଦନ ହେବ। ସେହିପରି ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ହେବାକୁ ଥିବା ପହିଲି ଭୋଗ ନୀତି ନିର୍ଘଣ୍ଟକୁ ଆଜି ଛତିଶା ନିଯୋଗ ବୈଠକରେ ଅନୁମୋଦନ ମିଳିଛି।
{"id":718575,"width":629,"height":352,"sizeSlug":"full","linkDestination":"none"}
ଆସନ୍ତା ଜାନୁଆରୀ ୧୩ରୁ ୧୬ ପର୍ଯ୍ୟନ୍ତ ହେବାକୁ ଥିବା ପହିଲି ଭୋଗ ନୀତିରେ ରାତି ୨ଟାରୁ ଦ୍ବାର ଫିଟା ହୋଇ ୬ଟା ସୁଦ୍ଧା ପହିଲି ଭୋଗ ନୀତି ସରିବ। ଏହାଛଡ଼ା ଆସନ୍ତା ଜାନୁଆରୀ ୬ରେ ପୌଷ ପୂର୍ଣ୍ଣିମା ତିଥିରେ ହେବାକୁ ଥିବା ମହାପ୍ରଭୁଙ୍କ ଦେବାଭିଷେକ ନୀତି ନୀର୍ଘଣ୍ଟ ମଧ୍ୟ ଅନୁମୋଦନ ଲାଭ କରିଛି। ସେହିପରି ସେବାୟତଙ୍କ ଜମିଜମା ସମ୍ପର୍କିତ ସମସ୍ୟା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଆରକ୍ଷି ଅଧିକ୍ଷକ କନୱର ବିଶାଳ ସିଂ, ପରିଚାଳନା କମିଟି ସେବାୟତ ସଦସ୍ୟ, ଛତିଶା ନିଯୋଗର ସମସ୍ତ ସଦସ୍ୟମାନେ ଯୋଗ ଦେଇଥିଲେ।