ବଦଳି ପାଇଁ ସହକାରୀ ଶ୍ରମ ଅଧିକାରୀଙ୍କଠାରୁ ନେଲେ ୧ କୋଟି ଟଙ୍କା ଲାଞ୍ଚ, ତା'ପରେ ମାରି ଦେଲେ

Published By : Prameya-News7 Bureau | March 11, 2020 IST

ୱାରଙ୍ଗଲ ୧୧.୦୩ -  ଜଣେ ଆସିଷ୍ଟାଣ୍ଟ ଲେବର ଅଫିସର ବା ସହକାରୀ ଶ୍ରମ ଅଧିକାରୀଙ୍କ ବଦଳି ପାଇଁ ୧ କୋଟି ଟଙ୍କା ଲାଞ୍ଚ । ତାହାପରେ  ଅତି ବିଭତ୍ସଭାବେ ହତ୍ୟାର ଶୀକାର ହେଲେ ସେହି ଅଫିସର ।ଟଙ୍କା ଦେଲେ ଜୀବନ ବି ଦେଲେ । ଏପରି ଏକ ଚାଞ୍ଚଲ୍ୟକର ଘଟଣାଟି ଘଟିଛି ତେଲେଙ୍ଗାନାରେ । ରାଜ୍ୟରେ କ୍ଷମତାସୀନ ଟିଆରଏସ୍‌ର ଜଣେ ପୂର୍ବତନ ନେତା ହେଉଛନ୍ତି ଏପରି ବିଭତ୍ସ ଅପରାଧର ମାଷ୍ଟରମାଇଣ୍ଡ ।

ଘଟଣାଟି ଏହିପରି, ଖମାମରେ ସହକାରୀ ଶ୍ରମ ଅଧିକାରୀ ଭାବେ କାର୍ଯ୍ୟ କରନ୍ତି ଆନନ୍ଦ ରେଡ୍ଡି । ସେ ଖମାମରୁ ୱାରଙ୍ଗଲ ବଦଳି ହେବାକୁ ଉଦ୍ୟମ କରିବାବେଳେ ସ୍ଥାନୀୟ ଜଣେ ଟିଆରଏସ ନେତା ପ୍ରଦୀପ ରେଡ୍ଡିଙ୍କ ସହାୟତା ଲୋଡିଥିଲେ । ପ୍ରଦୀପ ମଧ୍ୟ ତାଙ୍କର ରାଜନୈତୀକ ପ୍ରଭାବ  ଜରିଆରେ ତାଙ୍କୁ ବଦଳି କରାଇଦେବାକୁ ଭରସା ଦେଇ ୧ କୋଟି ଟଙ୍କା ଖର୍ଚ୍ଚ ହେବ କହି ମାଗିଥିଲେ । କିଛି କିସ୍ତିରେ ନିର୍ଦ୍ଦିଷ୍ଟ ସମୟାନୁସାରେ ଟଙ୍କା ଦେଣ ନେଣ ନିଷ୍ପତ୍ତି ହୋଇଥିଲା।

ଏଏଲଓ ଆନନ୍ଦ ରେଡ୍ଡି ତାଙ୍କ କଥା ମୁତାବକ କିଛି କିସ୍ତିରେ ପ୍ରଦୀପଙ୍କୁ ୧ କୋଟି ଟଙ୍କା ଦେଇଥିଲେ । ବଦଳି ସହ ଆଉ କିଛି ଲୋଭନୀୟ ପ୍ରସ୍ତାବ ବି ଆନନ୍ଦଙ୍କୁ ଦେଇଥିଲେ ପ୍ରଦୀପ । ସେ ଆନନ୍ଦଙ୍କୁ ତାଙ୍କ ବାଲି ଖନନ ବ୍ୟବସାୟରେ ପାର୍ଟନର କରିବେ ବୋଲି କହିଥିଲେ । ତେଣୁ ବିଶ୍ବାସ କରି ଆନନ୍ଦ ୧ କୋଟି ଟଙ୍କା ତାଙ୍କୁ ଦେଇଥିଲେ ।ତାପରେ ସ୍ଥିତି ବଦଳିଗଲା।ତେଲେଙ୍ଗାନାର ଲୋକାଲ ବଡି ନିର୍ବାଚନରେ ଦଳ ବିରୋଧି ଅନ୍ତର୍ଘାତୀ କାର୍ଯ୍ୟ ଲାଗି ପ୍ରଦୀପ ରେଡ୍ଡିଙ୍କୁ ଟିଆରଏସ୍ ବହିଷ୍କାର କଲା । ଫଲରେ ପ୍ରଦୀପଙ୍କର ରାଜନୈତୀକ ପତିଆରା କମିଗଲା । ସେ ଆନନ୍ଦଙ୍କ ବଦଳି କରିପାରିଲାନି । ଏପଟେ ବଦଳି ହେବାରେ ବିଳମ୍ବ ହେବାରୁ ପ୍ରଦୀପଙ୍କୁ ଟଙ୍କା ଫେରାଇବାକୁ କହିଲେ ଆନନ୍ଦ ରେଡ୍ଡି । ସେ ବାରମ୍ବାର ଟଙ୍କା ଫେରସ୍ତ ମାଗିଲେ ।

ଏହାମଧ୍ୟରେ ପ୍ରଦୀପ ଏକ ଷଡଯନ୍ତ୍ର କଲା । ସେ ଆନନ୍ଦ ରେଡ୍ଡିଙ୍କୁ ହତ୍ୟା କରିବାକୁ ଯୋଜନା କଲା । କାରଣ ସହକାରୀ ଶ୍ରମ ଅଧିକାରୀଙ୍କୁ  ରାସ୍ତାରୁ ହଟାଇଦେଲେ ଆଉ ଟଙ୍କା ଫେରାଇବାକୁ ପଡିବନାହିଁ ବୋଲି ବୁଝିଥିଲା ପ୍ରଦୀପ ରେଡ୍ଡି । ତେଣୁ ସେ ଟଙ୍କା ବଦଳରେ ଜମି ଦେବାର ପ୍ରତିଶ୍ରୁତି ଦେଇ ସେ ଆନନ୍ଦଙ୍କୁ ବୁଝାଇଦେଲା । ଜମି ଦେଖାଇବା ବାହାନାରେ ଆନନ୍ଦ ରେଡ୍ଡିଙ୍କୁ  ଭୁପାଲାପାଲ୍ଲୀ ନେଲା ପ୍ରଦୀପ ରେଡ୍ଡି । କିନ୍ତୁ ଏକ ନିଚ୍ଛାଟିଆ ସ୍ଥାନରେ ଆନନ୍ଦ ରେଡ୍ଡିଙ୍କୁ ହତ୍ୟା କରି ଗୋଲ୍ଲାବୁଦ୍ଦାରନ୍ ଜଙ୍ଗଲରେ ମୃତ ଦେହକୁ ପୋତିଦେଲା ।

ମାର୍ଚ୍ଚ ୭ ତାରିଖରେ ପ୍ରଦୀପ ରେଡ୍ଡି ଘଟାଇଥିଲା ଏହି ହତ୍ୟାକାଣ୍ଡ । ଏପଟେ ମାର୍ଚ୍ଚ ୭ ରେ ଆନନ୍ଦ ଘରକୁ ନଫେରିବାରୁ ତାଙ୍କ ପରିବାର ପୋଲିସରେ ଏକ ନିଖୋଜ ମାମାଲା ରୁଜ୍ଜୁ କଲେ । ଆନନ୍ଦଙ୍କ ଶାଳକଙ୍କ ଅଭିଯୋଗ ଭିତ୍ତିରେ ପୋଲିସ ପ୍ରଦୀପ ରେଡ୍ଡିଙ୍କୁ ସନ୍ଦେହରେ ଅଟକ ରଖି ଜେରା କଲା । ଆଉ ଜେରା ବେଳେ ପ୍ରଦୀପ ସବୁ ମାନିଗଲେ । ସେ ଟଙ୍କା ପାଇଁ ଆନନ୍ଦ ରେଡ୍ଡିକୁ ହତ୍ୟା କରି ଜଙ୍ଗଲରେ ପୋତିଥିବା କହିବା ପରେ ପୋଲିସ  ଜଙ୍ଗଲରୁ ଆନନ୍ଦଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା ।  ୱାରଙ୍ଗଲ ପୋଲିସ କମିଶନର ଭି. ରବିନ୍ଦର ଏହି ସୂଚନା ଦେବା ସହ ଅଭିଯୁକ୍ତ ପ୍ରଦୀପ ରେଡ୍ଡିକୁ ଗିରଫ କରିଛନ୍ତି । ଖୁବ୍‌ଶିଘ୍ର ମାମଲାରେ ଚାର୍ଜସିଟ ଦାଖଲ ହେବ ।

 ତେବେ ପ୍ରଶ୍ନ ଉଠୁଛି ସାଧାରଣ ଏଲଓ ପଦବୀର ବଦଳି ଲାଗି ୧ କୋଟି ଟଙ୍କା ଲାଞ୍ଚ ? ଏତେ ଲାଞ୍ଚ କାରବାର ମାନେ ନିଶ୍ଚୟ ସେଠାରେ ଅଧିକ ଦୁର୍ନୀତି ।ଟଙ୍କା ଲୋଭ କେତେ ତାହା ଏଥିରୁ ସ୍ପଷ୍ଟ । ତାପରେ ଟଙ୍କା ନେଇସାରି ହତ୍ୟା କରୁଥିବା ଲୋକଟି କେତେ ଭୟଙ୍କର ତାହା ଆହୁରି ଚିନ୍ତା ଦାୟକ ।ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାରା ତେଲେଙ୍ଗାନାରେ ଆଲୋଚନାର ବିଷୟ ହୋଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.