ଶ୍ରଦ୍ଧା ୱାଲକର ହତ୍ୟାଘଟଣା: ଡିଏନ୍ଏ ମାଇଟୋକୋଣ୍ଡ୍ରିଆଲ ପ୍ରୋଫାଇଲିଂ ପାଇଁ ପଠାଗଲା କେଶ ଓ ଅସ୍ତିର ସାମ୍ପଲ
4/01/2023 at 5:37 PM

ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣାରେ ଅପ୍ଡେଟ୍ ଖବର ସାମ୍ନାକୁ ଆସିଛି। ଶ୍ରଦ୍ଧାଙ୍କ କେଶ ଓ ଅସ୍ତିର ସାମ୍ପଲ ଡିଏନ୍ଏ ମାଇଟୋକୋଣ୍ଡ୍ରିଆଲ ପ୍ରୋଫାଇଲିଂ ପାଇଁ ପଠାଯାଇଛି। ଏନେଇ ବୁଧବାର ଦିଲ୍ଲୀ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଦିଲ୍ଲୀରେ ଶ୍ରଦ୍ଧା ହତ୍ୟାକାଣ୍ଡ ସାରା ଦେଶକୁ ଦୋହଲାଇ ଦେଇଥିଲା। ଶ୍ରଦ୍ଧାଙ୍କ ପ୍ରେମିକ ଅଫତାବ ଅମୀନ ପୁନାୱାଲା ତାଙ୍କୁ ୩୫ ଖଣ୍ଡ କରି କାଟି ମାରିଥିଲା। ଯାହାର ତଦନ୍ତ ଏବେ ବି ଜାରି ରହିଛି।
ନଭେମ୍ବର ୧୨ ତାରିଖରେ ପୁନାୱାଲାକୁ ଗିରଫ କରିଥିଲା ଦିଲ୍ଲୀ ପୁଲିସ। ଏହାପରେ ମାମଲା ଧୀରେ ଧୀରେ ପଦାକୁ ଆସିଥିଲା। ପୁଲିସର ସୂଚନା ଅନୁସାରେ ଶ୍ରଦ୍ଧାଙ୍କୁ ମେ ୧୮ ତାରିଖରେ ହତ୍ୟା କରଯାଇଥିଲା। ଏହାପରେ ତାଙ୍କ ଶରୀରକୁ ୩୫ ଖଣ୍ଡରେ କାଟି ଘରେ ଥିବା ୩୦୦ ଲିଟର ଫ୍ରିଜ୍ରେ ପାଖାପାଖି ୩ ସପ୍ତାହ ପର୍ଯ୍ୟନ୍ତ ରଖିଥିଲା ଅଫତାବ।
ପ୍ରତିଦିନ ମୃତ ଶରୀର ଗୋଟିଏ ଗୋଟିଏ ଅଂଶକୁ ବାହାରେ ଫିଙ୍ଗୁଥିଲା ଅଫ୍ତାବ। ତେବେ ସେପ୍ଟେମ୍ବର ମାସରେ ଶ୍ରଦ୍ଧାଙ୍କ ବାପା ଥାନାରେ ମାମଲା କରିବାରୁ ଘଟଣା ଉପରେ ଧୀରେ ଧୀରେ ପରଦା ଉଠିଥିଲା।