ଶ୍ରଦ୍ଧା ହତ୍ୟାକାରୀ ଅଫତାବ୍‌ର ଡିମାଣ୍ଡ: ମାଗିଲା କ୍ରେଡିଟ୍ କାର୍ଡ ଓ ଆଇନ୍ ବହି

Published By : Prameya-News7 Bureau | January 10, 2023 IST

ନୂଆଦିଲ୍ଳୀ, ୧୦/୦୧: ଜାନୁଆରୀ ୨୫ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବ ଅଫତାବ୍ ପୁନାଓ୍ବାଲା। ଶ୍ରଦ୍ଧା ମର୍ଡର କେସ୍‌ର ମୁଖ୍ୟ ଅଭିଯୁକ୍ତକୁ ଆଉ ୧୪ ଦିନ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ଦିଲ୍ଲୀ ସାକେତ କୋର୍ଟ। ଆଗାମୀ ଶୁଣାଣି ହେବା ପର୍ଯ୍ୟନ୍ତ ସେ ନ୍ୟାୟିକ ହେପାଜତରେ ରଖାଯିବ।

ଏହାରି ମଧ୍ୟରେ ଅଫତାବ୍ କୋର୍ଟରେ କିଛି ଦାବି କରିଛି। ଯାହାକୁ ଜେଲ୍ ପ୍ରଶାସନକୁ ପୂରଣ କରିବାକୁ କହିଛନ୍ତି କୋର୍ଟ। ଜେଲରୁ ଅଫତାବ୍ ଆଇନ ପୁସ୍ତକ ଏବଂ ଗରମ କପଡ଼ା ମଗାଇଛି। ରିପୋର୍ଟ ଅନୁଯାୟୀ, ଅଫତାବ୍ ନିଜର କ୍ରେଡିଟ୍ କାର୍ଡ ଏବଂ ଡେବିଟ୍ କାର୍ଡ ରିଲିଜ୍‌ କରିବାକୁ ମଧ୍ୟ କହିଥିଲା ଫଳରେ ସେମାନେ ଏସବୁ ଜିନି​‌ଷ କିଣିପାରିବେ। ଅଫତାବ୍‌ଙ୍କ ଓକିଲ ଏକ ଲିଖିତ ଆବେଦନ କରି ଅଫତାବ୍‌ଙ୍କୁ ଗରମ କପଡ଼ା ଯୋଗାଇଦେବାକୁ କହିଥିଲେ।

ସୂଚନାଯୋଗ୍ୟ, ଅଫତାବ୍ ପୁନାଓ୍ବାଲା ନିଜର ଲିଭ୍‌ ଇନ୍ ପାର୍ଟନର ଶ୍ରଦ୍ଧା ଓ୍ବାକରଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିଲା। ଅଫତାବ୍‌ ଶ୍ରଦ୍ଧାଙ୍କ ହତ୍ୟାକରି ତାଙ୍କୁ ୩୬ ଖଣ୍ଡ କରିଥିଲା। ଖାଲିଯେ ଅଫତାବ୍ ହତ୍ୟା କରିନଥିଲା ବରଂ ଶରୀର ଖଣ୍ଡକୁ ଫ୍ରିଜ୍‌ରେ ରଖିଥିଲା ଏବଂ ପରବର୍ତ୍ତୀ ସମୟରେ ଜଙ୍ଗଲରେ ଫିଙ୍ଗିଥିଲା।

ଏହି ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ମାମଲାରେ ଡିସେମ୍ବର ୨୪ ରେ ଦିଲ୍ଳୀ ପୋଲିସ୍‌ର ଯାଚିକାର ଶୁଣାଣି କରି ଲୋକଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏକ ନିରପେକ୍ଷ ତଦନ୍ତ କରିବାକୁ ନିର୍ଦେ୍ଦଶ ଦେଇଥିଲେ କୋର୍ଟ। ପୁନାଓ୍ବାଲା କୋର୍ଟରେ ନିଜ ଅପରାଧ ସ୍ବୀକାର ମଧ୍ୟ କରିଛି।

ମେ ୨୦୨୨ ରେ ଶ୍ରଦ୍ଧାଙ୍କୁ ହତ୍ୟା କରିଥିଲା ଅଫତାବ୍ ଏବଂ ଏହାର ଛଅ ମାସ ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଓ୍ବାକର ଏବଂ ଅଫତାବ୍‌ଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଏବଂ ପରେ ଏହା ହିଂସାର ରୂପ ନେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.