ହୋଲିରେ ରୋମାନ୍ସ କରିବେ ଶ୍ରଦ୍ଧା-ରଣବୀର, ମାର୍ଚ୍ଚ ୮ରେ ହେବ ରିଲିଜ୍‌

Published By : Prameya-News7 Bureau | January 14, 2023 IST

ମୁମ୍ଵାଇ ୧୪।୦୧: ଆଧୁନିକ ସମୟର ନିଆରା ପ୍ରେମ ଓ ସମ୍ପର୍କକୁ ସୁପର୍‌ହିଟ୍‌ ଫିଲ୍ମ ମାଧ୍ୟମରେ ଉପସ୍ଥାପନ କରିବାରେ ନିର୍ଦ୍ଦେଶକ ଲଭ୍‌ ରଞ୍ଜନ ସିଦ୍ଧହସ୍ତ । ‘ପ୍ୟାର୍‌ କା ପଞ୍ଚନାମା’, ‘ସୋନୁ କେ ଟିଟୁ କି ସ୍ୱିଟି’ ଓ ‘ଦେ ଦେ ପ୍ୟାର୍‌ ଦେ’ ଭଳି ଫିଲ୍ମ ଏହାର ପ୍ରମାଣ । ତାଙ୍କର ପ୍ରତ୍ୟେକ ଫିଲ୍ମରେ ଗୋଟିଏ କଥା ଦେଖିବାକୁ ମିଳେ, ତାହା ହେଉଛି ସୁନ୍ଦର ସେଟ୍‌ ଓ ବିଦେଶର ଦମ୍‌ଦାର ସ୍ଥାନ । ରଣବୀର କପୁର ଓ ଶ୍ରଦ୍ଧା କପୁର ଷ୍ଟାରର୍‌ ‘ତୁ ଝୁଠି ମେଁ ମକ୍କାର୍‌’ ଫିଲ୍ମର ସୁଟିଂ ମଧ୍ୟ ସେମିତି କିଛି ଦମ୍‌ଦାର ସ୍ଥାନରେ ହୋଇଛି । ଫିଲ୍ମଟି ଦିଲ୍ଲୀରେ ସୁଟିଂ ହୋଇଛି ।

କିନ୍ତୁ ଏହାର ପ୍ରମୁଖ ଅଂଶ ସ୍ପେନ୍‌ରେ ସୁଟ୍‌ ହୋଇଛି । ରଣବୀର ଓ ଶ୍ରଦ୍ଧାଙ୍କ କେମିଷ୍ଟ୍ରି ପାଇଁ ଫିଲ୍ମଟି ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଉଭୟ ପ୍ରଥମ ଥର ବଡ଼ ପରଦାରେ ଏକାଠି ନଜର ଆସିବେ । କିଛି ଦିନ ତଳେ ଫିଲ୍ମର ଟାଇଟଲ୍‌ ଘୋଷଣା କରାଯାଇଥିଲା, ଯାହାର ଭିଡିଓରେ ଶ୍ରଦ୍ଧା ଓ ରଣବୀରଙ୍କ ଝଲକ୍‌ ଦର୍ଶକ ଦେଖିଛନ୍ତି । ଫିଲ୍ମଟି ରୋମାନ୍ସ ଉପରେ ଆଧାରିତ । ଦୁଇଜଣ କେମିତି ଟ୍ୱିଷ୍ଟ୍‌ ସହିତ ପ୍ରେମରେ ପଡ଼ିଛନ୍ତି, ତାହା ଏଥିରେ ଦର୍ଶାଯାଇଛି । ତେବେ ଏହି ଦୃଶ୍ୟକୁ ପର୍‌ଫେକ୍ଟ କରିବା ପାଇଁ ଦମ୍‌ଦାର ପୃଷ୍ଠଭୂମି ଆବଶ୍ୟକ ଥିଲା । ବିଭିନ୍ନ ସ୍ଥାନ ଖୋଜିବା ପରେ ଫିଲ୍ମମେକର୍‌ ଶେଷରେ ସ୍ପେନ୍‌ରେ ପହଞ୍ଚିଲେ, ଯାହାର ଫଳ ଅତି ସୁନ୍ଦର ବୋଲି ସେମାନେ ଦାବି କରିଛନ୍ତି ।

ରଣବୀର ଓ ଶ୍ରଦ୍ଧାଙ୍କ ଯୋଡ଼ିକୁ ଦର୍ଶକ କେବଳ ଭଲପାଇବେ ତାହା ନୁହେଁ, ବଡ଼ ପରଦାରେ ମନୋରମ ସ୍ଥାନଗୁଡ଼ିକର ଖୁବ୍‌ ଆନନ୍ଦ ମଧ୍ୟ ଉଠାଇବେ ବୋଲି ନିର୍ମାତା କହିଛନ୍ତି । ଆସନ୍ତା ମାର୍ଚ୍ଚ ୮ ତାରିଖ ହୋଲି ଅବସରରେ ଫିଲ୍ମଟି ପରଦାକୁ ଆସିବ । ବେଶ କିଛି ଦିନରୁ ଦମ୍‌ଦାର କାହାଣୀ ଓ ଚରିତ୍ର ସହିତ ନିଖୁଣ ଅଭିନୟ ଜରିଆରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି ଶ୍ରଦ୍ଧା । ଅପ୍‌କମିଙ୍ଗ ଫିଲ୍ମରେ ତାଙ୍କ ଅନ୍‌ସ୍କ୍ରିନ୍‌ ପ୍ରେମ କାହାଣୀକୁ ଉପଭୋଗ କରିବାକୁ ଫ୍ୟାନ୍‌ ଚାତକ ପରି ଚାହିଁ ରହିଛନ୍ତି । ନୂଆ ଲୁକ୍‌ ଓ ନୂଆ ଯୋଡ଼ି ଜରିଆରେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନର ଖୋରାକ ଦେବେ ବୋଲି ଶ୍ରଦ୍ଧା ଆଶା ବାନ୍ଧିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.