ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
9/12/2022 at 6:47 PM

ନୂଆଦିଲ୍ଲୀ: ଇରାନୀ ସେନାଙ୍କ ହୀନ କାର୍ଯ୍ୟ। ଇରାନରେ ପ୍ରଦର୍ଶନ କରୁଥିବା ମହିଳାଙ୍କ ପ୍ରତି ବର୍ବର ଆଚରଣ କରୁଛନ୍ତି ଇରାନୀ ସେନା। ଚିକିତ୍ସକ ଖୁଲାସା କରିଛନ୍ତି, ଇରାନ ସେନା ଜାଣିଶୁଣି ମହିଳା ପ୍ରଦର୍ଶନକାରୀଙ୍କ ଚେହେରା, ସ୍ତନ ଏବଂ ଗୁପ୍ତାଙ୍ଗକୁ ଲକ୍ଷ୍ୟ କରି ଗୁଳି ମାରୁଛନ୍ତି। ଯଦ୍ଵାରା ସେମାନଙ୍କର ସୁନ୍ଦରତା ନଷ୍ଟ କରାଯାଇ ପାରିବ। ଡାକ୍ତର ଏବଂ ନର୍ସ ଗୁପ୍ତଭାବ ସେହି ମହିଳାଙ୍କ ଚିକିତ୍ସା କରୁଛନ୍ତି, ଯାହାଙ୍କୁ ଏମିତି ଆଘାତ ଲାଗିଛି।
ସ୍ଵାସ୍ଥ୍ୟ କର୍ମଚାରୀଙ୍କ ଅନୁଯାୟୀ, ସୁରକ୍ଷାବଳ ପୁରୁଷ ପ୍ରଦର୍ଶନକାରୀଙ୍କ ତୁଳନାରେ ମହିଳା ପ୍ରଦର୍ଶନକାରୀଙ୍କୁ ଅଧିକ ଟାର୍ଗେଟ୍ କରୁଛନ୍ତି। ସେମାନଙ୍କୁ ପିଠି, ପାଦ, ମୁହଁ ଏବଂ ସ୍ତନ ପରି ସମ୍ବେଦନଶୀଳ ସ୍ଥାନରେ ଆଘାତ ଦେଇ ଛାଡି ଦେଇଛନ୍ତି।
କାରଜର ଜଣେ ଡାକ୍ତର କହିଛନ୍ତି, ଇରାନୀ ସେନା ପ୍ରଦର୍ଶନକାରୀଙ୍କୁ ଦମନ କରିବାକୁ ଯାଇ ଜାଣିଶୁଣି ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଲକ୍ଷ୍ୟକରି ଗୁଳି କରୁଛନ୍ତି। ସୁରକ୍ଷାବଳ ମହିଳାଙ୍କ ସୁନ୍ଦରତାକୁ ନଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି। ଉଲ୍ଲେଖନୀୟ ଇରାନରେ ଜାରି ବିରୋଧ ପ୍ରଦର୍ଶନରେ ୬୩ ଛୋଟ ପିଲାଙ୍କ ସମେତ ଅତି କମରେ ୪୫୮ ଜଣଙ୍କ ମୃତ୍ୟୁ ଘଟି ସାରିଛି। ସୁରକ୍ଷାବଳ ନିୟମର ଖୋଲାଖୋଲି ଉଲ୍ଲଂଘନ କରି ମହିଳାଙ୍କ ପ୍ରତି ହୀନଭାବନା ରଖି ନିଶାଣ କରୁଛନ୍ତି।
ମଧ୍ୟ ଇସ୍ଫହାନ ପ୍ରଦେଶର ଅନ୍ୟ ଜଣେ ଚିକିତ୍ସକ ଦାବି କରିଛନ୍ତି ଯେ, ଚିକିତ୍ସାରେ ସମୟରେ ଦେଖିବାକୁ ପାଇଲି ଯେ, ଜଣେ ମହିଳାଙ୍କ ଯୌନାଙ୍ଗର ଦୁଇ ପାର୍ଶ୍ଵକୁ ଗୁଳି କରିଥିଲେ। ପାଖାପାଖି ୧୦ ସୁରକ୍ଷା କର୍ମୀ ମହିଳାଙ୍କୁ ଟାର୍ଗେଟ୍ କରି ଏମିତି ହୀନ କାମ କରିଛନ୍ତି। ଅତି ନିକଟରୁ ମହିଳାଙ୍କୁ ବୁଲେଟ୍ ମରାଯାଇଛି। ଆଖି, ମୁଣ୍ଡ ଏବଂ ଚେହେରା ପରେ ଆକ୍ରମଣ କରାଯିବାରୁ ଶତାଧିକ ପ୍ରଦର୍ଶନକାରୀ ସବୁ ଦିନ ପାଇଁ ଦୃଷ୍ଟି ଶକ୍ତି ହରାଇଛନ୍ତି।