ମୁମ୍ବାଇ: ନିତେଶ ତିଓ୍ଵାରୀଙ୍କ’ ରାମାୟଣ’କୁ ଦର୍ଶକ ବେଶ ଆଗ୍ରହର ସହ ଚାହିଁ ରହିଛନ୍ତି। ଫିଲ୍ମ କଥା ଛାଡ଼ି ଦିଅନ୍ତୁ, ଏହାର ଝଲକ ଦେଖିବା ପାଇଁ ପ୍ରଶଂସକ ଚାତକ ପରି ଚାହିଁ ରହିଛନ୍ତି। ଦୀର୍ଘ ସମୟ ଧରି ଫିଲ୍ମର ସୁଟିଂ ଚାଲିଥିଲା ଏବଂ ସେଟ୍ରୁ କିଛି ଦୃଶ୍ୟ ମଧ୍ୟ ଲିକ୍ ହୋଇଥିଲା। ଏବେ ରାମାୟଣରେ କୌଶଲ୍ୟା ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଇନ୍ଦିରା କୃଷ୍ଣନ ଫିଲ୍ମର ସୁଟିଂ ସରିଥିବା କହିଛନ୍ତି।
ୟୁଟ୍ୟୁବ୍ ଚ୍ୟାନେଲ ଜଏନ ଫିଲ୍ମକୁ ଦେଇଥିବା ଏକ ସାକ୍ଷାତକାରରେ ଇନ୍ଦିରା କୃଷ୍ଣନ ରାମାୟଣରେ କିଏ କିଏ ଅଭିନୟ କରିଛନ୍ତି ତାର ଖୁଲାସା ମଧ୍ୟ କରିଛନ୍ତି। ସେ କହିଛନ୍ତି, ମୁଁ ରାମାୟଣ ନାମକ ଏକ ଫିଲ୍ମରେ ଅଭିନୟ କରିଛି। ଏହାର ସୁଟିଂ ପୂରା ହୋଇଥିବା ବେଳେ ମୁଁ ରଣବୀରଙ୍କ ସହିତ କୌଶଲ୍ୟା ଚରିତ୍ରରେ ଅଭିନୟ କରୁଛି। ଫିଲ୍ମରେ ରବି ଦୁବେ ଲକ୍ଷ୍ମଣ ଚରିତ୍ରରେ ଅଭିନୟ କରୁଛନ୍ତି।
ଇନ୍ଦିରା କୃଷ୍ଣନ ଏହା ମଧ୍ୟ କହିଛନ୍ତି, ଫିଲ୍ମ ୧୦୦ ପ୍ରତିଶତ ହିଟ୍, ଏହା ସୁପରହିଟ୍। ଫିଲ୍ମରେ କାମ କରୁଛି ବୋଲି ମୁଁ ଏଥିପାଇଁ କହୁନି। ଫିଲ୍ମରେ ବହୁତ ବଡ଼ ବଡ଼ ତାରକା କାମ କରୁଛନ୍ତି। ଅରୁଣ ଗୋଭିଲଙ୍କୁ ଫିଲ୍ମରେ ଦଶରଥ ଭୂମିକାରେ ଆପଣ ଦେଖିବାକୁ ପାଇବେ। ବାସ୍ତବରେ ଅରୁଣ ଗୋଭିଲ ଦଶରଥଙ୍କ ପରି ଦେଖା ଯାଉଛନ୍ତି, ଠିକ୍ ସେମିତି ଯେମିତି ପୁରୁଣା ସମୟରେ ସେ ରାମଙ୍କ ପରି ଦେଖା ଯାଉଥିଲେ। ଯେବେ ଆମେ ସୁଟିଂ କରୁଥିଲୁ ସେହି ସମୟ ବିଷୟରେ ଅରୁଣ ଆଲୋଚନା କରୁଥିଲେ।
ଇନ୍ଦିରା କୃଷ୍ଣନ ରଣବୀର କପୁରଙ୍କ ଖୁବ୍ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ରଣବୀର ଜଣେ ଚମତ୍କାର କଳାକାର। ସେଥିପାଇଁ ସେ ସାଧାରଣ ଲୋକଙ୍କ ସହ ମିଶି ପାରୁଛନ୍ତି। ମୁଁ ତାଙ୍କୁ କାହା ସହ ଉଚ୍ଚସ୍ଵରରେ କଥା ହେବା ଦେଖିନାହିଁ। ସେ ଇଣ୍ଡଷ୍ଟ୍ରୀରେ ଯେଉଁଭଳି ଭାବେ ମୋତେ ସମ୍ମାନ ଦେଇଛନ୍ତି, ମୋତେ ପୂର୍ବରୁ କେବେ ସେମିତି ଦେଇ ନାହାନ୍ତି। ମୋତେ ଲାଗୁଛି ଯଦି କେହି ରାମଙ୍କ ଚରିତ୍ରରେ ଖୁବ୍ ସୁନ୍ଦର ଭାବେ ଅଭିନୟ କରି ପାରିବ ସେ ହେଉଛନ୍ତି ରଣବୀର କପୁର।