ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିକାଣ୍ଡ, ପାରୋଲ୍‌ରେ ଆସିଥିବା କଏଦୀ ଗୁରୁତର

Published By : Prameya-News7 Bureau | July 06, 2022 IST

କାମାକ୍ଷାନଗର, ୦୬/୦୭: ହତ୍ୟା ମାମଲାରେ ଜେଲରେ କାଟୁଥିଲେ ଆଜୀବନ ସଜା । ଆଉ ଘରକୁ ପାରୋଲ ଆସି ଖାଇଲେ ଗୁଳି । ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଏହି କଏଦୀ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଚାଉଳିଆଝରଣ ଗ୍ରାମରେ ଘଟିଛି ଏପରି ଗୁଳିକାଣ୍ଡ ।

ଗୁରୁତର ଜଣଙ୍କ ପଥରଖମ୍ବ ଗ୍ରାମ ବାଉଁଶମୁଣ୍ଡା ସାହିର ଅର୍ଜୁନ ସୋରେନ ବୋଲି ଜଣାପଡିଛି । ଗୁଳିମାଡରେ ଗୁରୁତର ଅର୍ଜୁନ ଗତ ୨୦୧୧ମସିହାରେ ଚାଉଳିଆ ଝରଣ ଗ୍ରାମର ଦିତି ବେଶ୍ରା ନାମକ ଯୁବକଙ୍କୁ ହତ୍ୟା କରିଥିବା ମାମଲାରେ ଆଜୀବନ ସଜାକାଟୁଥିଲେ। ସେବେଠାରୁ ଉଭୟ ପରିବାର ମଧ୍ୟରେ ଶତ୍ରୁତା ଲାଗିରହିଥିବା ବେଳେ ମୃତ ଦିତି ବେଶ୍ରାଙ୍କ ପରିବାର ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲେ । ଏପରିସ୍ଥଳେ ଗତବର୍ଷ ଜୁନ ୫ ତାରିଖ ଅର୍ଜୁନ ପାରୋଲରେ ଆସି ଘରେ ରହୁଥିଲେ । ଝିଲି ସାପ୍ତାହିକ ହାଟରୁ ଜିନିଷ କିଣି ଘରକୁ ଫେରୁଥିଲା ବେଳେ ପୂର୍ବରୁ ଯୋଜନାବଦ୍ଧ ଭାବେ ମୃତ ଦିତି ବେଶ୍ରାଙ୍କ ଦାଦା ଚାଉଳଝରଣ ଗ୍ରାମର ଚନ୍ଦ୍ର ବେଶ୍ରା ଓ ତାର ୪ଜଣ ସାଥି ଚାଉଳିଆ ଝରଣ ନିକଟରେ ତାଙ୍କ ଉପରକୁ ଗୁଳିମାଡ଼ କରିଥିବା ଜଣାପଡ଼ିଛି ।

ଫଳରେ ଅର୍ଜୁନଙ୍କ ପିଠିରେ ଗୁଳି ଲାଗିଥିବା ବେଳେ ସେ ଗୁରତର ହୋଇଛନ୍ତି । ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଖବର ପାଇ ପରଜଙ୍ଗ ପୋଲିସ ଓ କାମାକ୍ଷାନଗର ଏସଡିପିଓ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଅର୍ଜୁନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସଳୟକୁ ନିଆଯାଇଥିଲା । ପରେ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି। ସେପଟେ ଗୁଳିମାଡ଼ କରି ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.