ସୋଲାପୁର ବାଣ କାରଖାନାରେ ବିସ୍ଫୋରଣ, ୫ ମୃତ, ୧୦ ଆହତ
1/01/2023 at 7:06 PM

ସୋଲାପୁର ୧।୧: ମହାରାଷ୍ଟ୍ର ସୋଲାପୁର ଜିଲ୍ଲା ବରଶୀ ଗାଁରେ ଥିବା ଏକ ବାଣ କାରଖାନାରେ ରବିବାର ନିଆଁ ଲାଗିଯାଇଛି। ଫଳରେ ବିସ୍ଫୋରଣ ହେବା ଯୋଗୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡ ସୂଚନା ପାଇ ୪ଟି ଦମକଳ ଗାଡ଼ି ସହିତ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି। ଅପରାହ୍ନ ପ୍ରାୟ ୩ଟା ବେଳେ କାରଖାନାରେ ନିଆଁ ଲାଗିଯାଇଥିଲା।
କାରଖାନାରେ ନିଆଁ ଲାଗି ଭୀଷଣ ବିସ୍ଫୋରଣ ହୋଇଥିଲା। ଏହା ପରେ ଦେଖୁ ଦେଖୁ ନିଆଁ କାରଖାନାର ସବୁ ୟୁନିଟ୍କୁ ବ୍ୟାପିଯାଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଅଗ୍ନିକାଣ୍ଡ କାଳରେ କାରଖାନାରେ ଅନୁନ୍ୟ ୪୦ ଜଣ ଶ୍ରମିକ କାମ କରୁଥିଲେ। ନିଆଁ ଲାଗିବା ଯୋଗୁ ଶ୍ରମିକମାନେ ଯିଏ ଯେଉଁବାଟରେ କାରଖାନାରୁ ବାହାରି ଯାଇଥିଲେ। ତେବେ ପୋଡି ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି।
ଏହି ଦୁର୍ଘଟଣା ମୁମ୍ବାଇ ମହାନଗରରୁ ଅନୁନ୍ୟ ୪୦୦ କିଲୋମିଟର ଦୂରରେ ହୋଇଛି। ବିଭିନ୍ନ ସମାରୋହ ପାଇଁ ଏହି କାରଖାନାରେ ବାଣ ତିଆରି କରାଯାଏ। ସବୁଦିନ ଭଳି ରବିବାର ମଧ୍ୟ କାରଖାନାରେ ଶ୍ରମିକମାନେ ବାଣ ତିଆରି କରୁଥିବା ବେଳେ ଦୁର୍ଘଟଣା ଘଟିଛି। ତେବେ କାରଖାନାରେ ନିଆଁ କେମିତି ଲାଗିଲା ତାହା ସ୍ପଷ୍ଟ ହୋଇ ନାହିଁ। ଘଟଣାସ୍ଥଳରେ ପୋଲିସ ଓ ଦମକଳ ବାହିନୀ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।