କ୍ରିକେଟ ବେଟିଂ ପାଇଁ କରିଥିଲା ୨୫ ଲକ୍ଷ ଟଙ୍କା ଋଣ, ପରିଶୋଧ ପାଇଁ ମା-ଭଉଣୀଙ୍କୁ ବିଷ ଦେଇ ମାରିଲା ଇଞ୍ଜିନିୟର ପୁଅ
1/12/2020 at 8:48 PM

ହାଇଦ୍ରାବାଦ ୦୧/୧୨: କ୍ରିକେଟ ବେଟିଂ ପାଇଁ ଋଣ କରିଥିଲା ୨୫ ଲକ୍ଷ ଟଙ୍କା। ହାରିବା ପରେ ଋଣ ସୁଝିବା ପାଇଁ ନିଜ ମା-ଭଉଣୀଙ୍କୁ କଲା ହତ୍ୟା। ହତ୍ୟାକାରୀ ପୁଅ ପାଲି ସାଇନାଥ ରେଡ୍ଡି। ପୋଲିସର ଥାର୍ଡ ଡିଗ୍ରି ପରେ ଓଗାଳିଛି ହତ୍ୟାକାଣ୍ଡର ରହସ୍ୟ।
ସାଇନାଥ ରେଡି ଜଣେ ଉଚ୍ଚ ଶିକ୍ଷିତ ଯୁବକ। ଏମ୍ଟେକ୍ ପାସ୍ କରିବା ପରେ ଏକ କମ୍ପାନୀରେ ଚାକିରୀ କରୁଥିଲା। ବାପା କିଛି ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଥିବା ବେଳେ ନିଜର ୨୨ ବର୍ଷୀୟା ଭଉଣୀ ପାଲି ଅନୁଜା ରେଡ୍ଡି ଓ ୪୮ ବର୍ଷୀୟ ମା ପାଲି ସୁନିଥାଙ୍କ ସହ ରହୁଥିଲା ସାଇନାଥ। ପ୍ରଥମେ ନିଜ ଟଙ୍କାରେ ବେଟିଂ ଲଗାଉଥିଲା ସାଇନାଥ। ପରେ ଋଣ କରି କ୍ରିକେଟ ବେଟିଂ ଲଗାଇଲା। ଏମିତି କରି ୨୫ ଲକ୍ଷ ଟଙ୍କା ଧାର କରଜ କରି ବେଟିଂ ଲଗାଇଥିଲା। ଏତେ ଗୁଡ଼ାଏ ଟଙ୍କା ସୁଝିବ କେମିତି, ସେନେଇ ଏମଟେକ୍ ପଢ଼ା ମସ୍ତିଷ୍କରୁ ବାହାର କଲା ହାଇପ୍ରୋଫାଇଲ୍ ମର୍ଡର ଆଇଡିଆ।
ମା-ଭଉଣୀଙ୍କୁ ମାରିବା ପରେ ସମସ୍ତ ସମ୍ପତ୍ତିର ମାଲିକ ହେବା ଓ ପରେ ମନଇଚ୍ଛା ଟଙ୍କା ଖର୍ଚ୍ଚ କରିପାରିବାର ଲାଳସା ସାଇନାଥକୁ ଅନ୍ଧ କରିସାରିଥିଲା। ନଭେମ୍ବର ୨୩ ରାତିରେ ମା-ଭଉଣୀଙ୍କ ପାଇଁ ଥିବା ଖାଦ୍ୟରେ କୀଟନାଶକ ମିଶାଇ ଆରାମରେ ସାଇନାଥ ବାହାରିଗଲା ଚାକିରୀକୁ । ଅଫିସ୍ରେ ପହଞ୍ଚିବା ପରେ ସୁନିଥା ଫୋନ୍ କରି କହିଥିଲେ ପୁଅ, ମା’-ଝିଅ ଆମେ ଅସୁସ୍ଥ ହୋଇଯାଇଛୁ। ତୁ ଜଳଦି ଆସେ। ବାହାନା କରି ସାଇନାଥ କିଛି ନଜାଣିଲା ପରି ମା, ଝିଅଙ୍କୁ ଡାକ୍ତରଖାନା ନେଇଥିଲା। କିନ୍ତୁ ସେଠାରେ ସେମାନଙ୍କର ମୃତ୍ୟୁ ହୋଇଥିଲା। ତାପରେ ସାଇନାଥ ନିଜ ସମ୍ପର୍କୀୟଙ୍କୁ ଫୋନ୍ କରି କହିଥିଲା ‘ଫୁଡ୍ ପଏଜନିଂ’ ଯୋଗୁ ମା’-ଭଉଣୀର ମୃତ୍ୟୁ ହୋଇଛି।
ଏ କଥାକୁ ସହଜରେ ଗ୍ରହଣ କରିପାରିନଥିବା ସମ୍ପର୍କୀୟ ପୋଲିସରେ ଖବର ଦେଇଥିଲେ। ପରେ ପୋଲିସ ପହଞ୍ଚି ଘଟଣାର ଛାନଭିନ୍ କରିଥିଲା। ଘଟଣାରେ ସାଇନାଥ ସନ୍ଦେହ ଘେରକୁ ଆସିଥିଲା। ପରେ ପୋଲିସର ଥାର୍ଡ ଡିଗ୍ରି ପରେ ସାଇନାଥ ସମସ୍ତ ଘଟଣା ବଖାଣିଥିଲା। ଦୋଷ ସ୍ବିକାର କରିବା ପରେ ସାଇନାଥକୁ ଗିରଫ କରାଯାଇଥିବା ବାଳନଗର ଡିସିପି ପିଭି ପଦ୍ମଜା କହିଛନ୍ତି। ମିଳିଥିବା ସୂଚନା ଅନୁସାରେ ସାଇନାଥ ପ୍ରଥମେ ନିଜ ଟଙ୍କା ଓ ପରେ ପରେ ମା’ର ଗହଣା ବନ୍ଧା ପକାଇ କ୍ରିକେଟି ବେଟିଂ କରୁଥିଲା।