ଚଲାଉଥିଲେ ବସ୍, ହଠାତ୍ ହେଲା ହାର୍ଟଆଟାକ୍, ଚାଲିଗଲା ଡ୍ରାଇଭରଙ୍କ ଜୀବନ
3/12/2022 at 2:06 PM

ମଧ୍ୟପ୍ରଦେଶ ୦୩/୧୨: ଏମିତି ବି ଆସେ ମୃତ୍ୟୁ । କେହି କିଛି ବୁଝିବା ପୂର୍ବରୁ ଚାଲିଯାଏ ଜୀବନ । ଯାହାକୁ ସହଜରେ ଗ୍ରହଣ କରିବା ହୋଇପଡେ ମୁସ୍କିଲ୍ । ଏମିତି ଘଟଣା ଘଟୁଥିବା ନଜିର ରହିଛି । ମଧ୍ୟପ୍ରଦେଶ ଜବଲରପୁରରୁ ଏମିତି ଅନୁରୂପ ଘଟଣା ନଜର ଆସିଛି । ଯାହାକୁ ଦେଖିଲେ ଥରିଉଠିବ ଛାତି ।
ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ । ବସ୍ ଚଲାଇ ଯାଉଥିବା ଜଣେ ଡ୍ରାଇଭରଙ୍କ ହୁଏ ଅକାଳ ମୃତ୍ୟୁ । ଆଉ ତାପରେ ଯାହା ଘଟେ ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେନି । ଘଟଣା ଘଟିଛି ମଧ୍ୟପ୍ରଦେଶ ଜବଲପୁର ଜିଳ୍ଲା ଦମୋହା ନାକା ଅଞ୍ଚଳରେ । ଏହି ଭିଡିଓକୁ ଦେଖିଲେ ଲୋମ ଟାଙ୍କୁରୀ ଉଠିବ ।
ସୂଚନା ଥାଉକି, ଯାତ୍ରୀବାହୀ ବସ୍ଟି ମାର୍କେଟରେ ଯାଉଥିଲା । ହେଲେ ହଠାତ୍ ଯାତ୍ରା ସମୟରେ ଡ୍ରାଇଭରଙ୍କୁ ଆସିଲା ହାର୍ଟଆଟାକ୍ । ବସ୍ ଚଳାଉଥିବା ଅବସ୍ଥାରେ ସଂଗେ ସଂଗେ ଡ୍ରାଇଭରଙ୍କ ମୃତ୍ୟୁ ବି ହୋଇଗଲା । ଯାତ୍ରୀ ଭର୍ତ୍ତି ବସ୍ଟି ନିଯନ୍ତ୍ରଣ ହରାଇ ଇଆଡେ ସିଆଡେ ମାଡିଗଲା । କାର୍ ଓ ବାଇକ୍ ଚାଳକଙ୍କ ଉପରେ ବି ମାଡିଯାଇଥିଲା ।
ଏମିତି ଜଣଙ୍କ ପରେ ଜଣେ ୬ ଜଣଙ୍କୁ ମାଡି ଚକଟି ଚାଲିଯାଇଥିଲା ବସ୍ । ଫଳରେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସୂଚନା ଅନୁଯାୟୀ, ପ୍ରଥମେ ଲୋକେ ଭାବିଥିଲେ ଯେ, ବସର ଡ୍ରାଇଭର ନିଶା ଖାଇ ଏଭଳି ବସ୍ ଚଲାଉଛି । ହେଲେ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରେ ତାଙ୍କୁ ହସ୍ପିଟାଲକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।