ଝଟକା: ପୁଣି ବଢିବ ପେଟ୍ରୋଲ-ଡିଜେଲ୍ ଦାମ, ୪ ଟଙ୍କା ଯାଏଁ ହେବ ମହଙ୍ଗା !
17/05/2022 at 10:25 PM

ନୂଆଦିଲ୍ଲୀ: ମହଙ୍ଗା ପ୍ରହାର ସହୁଥିବା ସାଧାରଣ ଜନତାଙ୍କ ପାଇଁ ନିରାଶଜନକ ଖବର। ଏବେ ଆହୁରି ଦରବୃଦ୍ଧିରେ ସନ୍ତୁଳି ହେବେ ଜନତା। ଏଥିପାଇଁ କେନ୍ଦ୍ର ସରକାର ରୋଡ୍ ମ୍ୟାପ୍ ମଧ୍ୟ ପ୍ରସ୍ତୁତି କରିଛନ୍ତି। ଯଦ୍ଵାରା ଦେଶର ଅତ୍ୟାବଶ୍ୟକ ସାମଗ୍ରୀ ଆହୁରି ବଢିବ। ଆଉ ସାଧାରଣ ଜନତା ମହଙ୍ଗା ମାଡରେ ତ୍ରାହି ତ୍ରାହି ଡାକିବ। କାରଣ ଆଗାମୀ ଦିନରେ ପେଟ୍ରୋଲ ଏବଂ ଡିଜେଲ୍ ଦାମ ଆହୁରି ବଢିପାରେ। ସରକାରୀ ସୂତ୍ରରୁ ହିଁ ଏହି ଖବର ସାମ୍ନାକୁ ଆସିଛି।
ଗତ ଦିନରେ ପେଟ୍ରୋଲ ଏବଂ ଡିଜେଲ୍ ଦାମ ଧିରେ ଧିରେ ବଢିଥିଲା। ପୁଣି ଥରେ ଠିକ୍ ସେହି ପରି ତୈଳ ଦର ବଢିବାକୁ ଯାଉଛି। ଏଥିରେ ପେଟ୍ରୋଲ ତୂଳନାରେ ଡିଜେଲ୍ ଦାମ ଅଧିକ ବଢିପାରେ। ଡିଜେଲ୍ ୩ ରୁ ୪ ଏବଂ ପେଟ୍ରାଲ ୨ ରୁ ୩ ଟଙ୍କା ଆହୁରି ମହଙ୍ଗା ହୋଇପାରେ।
ସୂତ୍ର ଅନୁଯାୟୀ, ତୈଳ ବିପଣନକାରୀ କମ୍ପାନୀ(ଓଏମସି) ପେଟ୍ରୋଲ ତୂଳନାରେ ଡିଜେଲରେ ଅଧିକ କ୍ଷତି ସହୁଛି। ଓଏମସିକୁ ଲିଟର ପିଛା ଡିଜେଲ୍ ଉପରେ ୨୫ ରୁ ୩୦ ଟଙ୍କା ଏବଂ ପେଟ୍ରୋଲ ଉପରେ ୯ ରୁ ୧୦ ଟଙ୍କା କ୍ଷତି ସହିବାକୁ ପଡୁଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ସମର୍ଥନରେ ଚାଲୁଥିବା ତୈଳ ବିପଣନକାରୀ କମ୍ପାନୀ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ୍ ଦାମ ବଢାଇବା ପାଇଁ ସଜବାଜ କଲେଣି।
ଗତ ମାର୍ଚ୍ଚ ୨୨ରୁ ଏପ୍ରିଲ ୬ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ୍ ଦର ୧୪ ଥର ବୃଦ୍ଧି ଘଟିଥିଲା। ଏହି ପରି ଭାବେ ତୈଳ ଦର ୧୦ ଟଙ୍କାରୁ ଅଧିକ ବୃଦ୍ଧି ଘଟି ସାରିଛି। ତେବେ ଗତ ୪୦ ଦିନରେ ଇନ୍ଧନରେ କୌଣସି ମୂଲ୍ୟବୃଦ୍ଧି ହୋଇନାହିଁ। ସଂପ୍ରତି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୫.୪୧ ଟଙ୍କା ଏବଂ ଡିଜେଲ୍ ୯୬.୬୭ ଟଙ୍କାରେ ବିକ୍ରି ହେଉଛି। ଭୁବନେଶ୍ଵରରେ ପେଟ୍ରୋଲ ଲିଟର ପ୍ରତି ୧୧୨.୫୦ ଟଙ୍କାରେ ବିକ୍ରି ହେଉଛି।