ମହାରାଷ୍ଟ୍ରରେ ନୂଆ ସମୀକରଣର ଆଭାସ, ଶିବଶକ୍ତି-ଭୀମଶକ୍ତି ମଧ୍ୟରେ ହୋଇପାରେ ମିଶ୍ରଣ, ମିଶିପାରନ୍ତି ଉଦ୍ଧବ ଠାକରେ ଓ ପ୍ରକାଶ ଆମ୍ବେଦକର

Published By : Prameya-News7 Bureau | November 09, 2022 IST

ମୁମ୍ବାଇ: ମହାରାଷ୍ଟ୍ରରେ ପୁଣି ରାଜନୈତିକ ସମୀକରଣର ଆଭାସ । ଖୁବଶୀଘ୍ର ମହାରାଷ୍ଟ୍ରବାସୀ ଦେଖିବେ ଠାକରେ-ଆମ୍ବେଦକର ସଂଯୋଗ । ଉଦ୍ଧବ ଠାକରେଙ୍କ ଶିବସେନା ଓ ପ୍ରକାଶ ଆମ୍ବେଦକରଙ୍କ ଭଞ୍ଚିତ ବହୁଜନ ଅଘାଡ଼ି ପାର୍ଟି ମଧ୍ୟରେ ମେଣ୍ଟ ହୋଇପାରେ । ୨୦ ନଭେମ୍ବରରେ ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଏକାଠି ହୋଇପାରନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହାରାଷ୍ଟ୍ର ଆକାଶରେ ଏକ ନୂଆ ରାଜନୈତିକ ଇନ୍ଦ୍ରଧନୁ ଦେଖିବାକୁ ମିଳିବ । ଏ ବାବଦରେ ପ୍ରକାଶ ଆମ୍ବେଦକର ମୁହଁ ଖୋଲିନାହାନ୍ତି । ସେପଟେ ଏହି କାର୍ଯ୍ୟକ୍ରମରେ ଏକ ଓ୍ବେବ୍ ସାଇଟ୍ ଲଞ୍ଚ୍ କରାଯିବ ।

ଶିବସେନାର ଜଣେ ବରିଷ୍ଠ ନେତା ଶିବଶକ୍ତି-ଭୀମଶକ୍ତି ସମୀକରଣକୁ ସହମତି ପ୍ରକାଶ କରିଛନ୍ତି । ତାଙ୍କ କହିବା ଅନୁଯାୟୀ, ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ଶିବସେନା ନୂଆ ବିକଳ୍ପ ଖୋଜୁଛି । ଶିବସେନା ଓ ଭଞ୍ଚିତ ବହୁଜନ ଅଘାଡ଼ି ପାର୍ଟି ମଧ୍ୟରେ ମେଣ୍ଟ ହେବା ଆଶା ରହିଛି । ଖୁବଶୀଘ୍ର ଦୁଇ ସଧୀନତା ସଂଗ୍ରାମୀଙ୍କ ନାତିମାନେ ଏକାଠି ହୋଇପାରନ୍ତି ।

୧୯୯୫ରେ ଯେତେବେଳେ ମହାୟୁତି ପାର୍ଟି ସରକାରକୁ ଆସିଥିଲା, ସେତେବେଳେ ବାଲାସାହେବଙ୍କ ନେତୃତ୍ବଧୀନ ଶିବଶକ୍ତି ଓ ଭୀମଶକ୍ତି ମଧ୍ୟରେ ମେଣ୍ଟ ହୋଇଥିଲା । ଏହି ସଂଗଠନ ୨୫ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ବାଲାସାହେବଙ୍କ ମୃତ୍ୟୁ ପରେ ଉଦ୍ଧବ ଠାକରେ ଏହାକୁ ସମ୍ଭାଳିଥିଲେ ଏବଂ ୨୦୧୭ରେ ପ୍ରଥମ ଥର ପାଇଁ ମହାୟୁତି ପାର୍ଟି ଭାଙ୍ଗିଥିଲା । ଏହି ସମୟରେ ରାମଦାସ ଆଠଓ୍ବାଲେ ଶିବସେନା ବଦଳରେ ବିଜେପିକୁ ସମର୍ଥନ କରିଥିଲେ । ତେବେ ପୁଣି ଥରେ ଶିବଶକ୍ତି-ଭୀମଶକ୍ତି ଏକ ହେବା ନେଇ ଚର୍ଚ୍ଚା ଜୋର ଧରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.