ଏପ୍ରିଲରେ ଗଠନ ହେବ ଶିବରାଜଙ୍କ ମନ୍ତ୍ରୀମଣ୍ଡଳ, ୨୪ରୁ ୨୬ ବିଧାୟକ ହେବେ ମନ୍ତ୍ରୀ

Published By : Prameya-News7 Bureau | March 27, 2020 IST

ଭୋପାଲ : କରୋନା ସଂକ୍ରମଣକୁ ନଜରରେ ରଖି ମଧ୍ୟପ୍ରଦେଶ ନୂଆ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ତାଙ୍କ ମନ୍ତ୍ରୀମଣ୍ଡଳ ଏବେ ଗଠନ କରିବେ ନାହିଁ ବୋଲି ଜଣାପଡିଛି।  ଦେଶରେ ସ୍ୱାସ୍ଥ୍ୟସମ୍ପର୍କିତ ପରିସ୍ଥିତିରେ ସୁଧାର ଆସିବା ପରେ ମନ୍ତ୍ରୀମଣ୍ଡଳ ଗଠନ ଲାଗି ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ଏପ୍ରିଲ ଦ୍ୱିତୀୟ ସପ୍ତାହ ବେଳକୁ ମଧ୍ୟପ୍ରଦେଶ କ୍ୟାବିନେଟର ଗଠନ ହେବ ବୋଲି ଏବେ ଅନୁମାନ କରାଯାଉଛି।

ମନ୍ତ୍ରୀମଣ୍ଡଳରେ କଂଗ୍ରେସ ଛାଡି ବିଜେପିକୁ ନୂଆକରି ଆସିଥିବା ୨୨ କଂଗ୍ରେସ ନେତାଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୬ ଜଣ ଓ ଦ୍ୱିତୀୟ ପର୍ଯ୍ୟାୟରେ ୩ ଜଣ ଏହିପରି ୯ ଜଣ ମନ୍ତ୍ରୀ ହେବେ ବୋଲି ଆକଳନ କରାଯାଉଛି। ଏଥିରେ ପ୍ରଥମ ପର୍ଯ୍ୟାୟରେ ତୁଲସୀ ସିଲାବଟ, ମହେନ୍ଦ୍ର ସିଂ ସିଶୋଦିଆ, ଗୋବିନ୍ଦ ସିଂହ ରାଜପୁତ, ପ୍ରଭୁରାମ ଚୌଧୁରୀ, ଇମର୍ତ୍ତି ଦେବୀ ଓ ପ୍ରଦ୍ୟୁମ୍ନ ସିଂ ତୋମାରଙ୍କୁ ମନ୍ତ୍ରୀ କରାଯାଇପାରେ ବୋଲି ଆଲୋଚନା ହେଉଛି। ସେହିପରି ମଧ୍ୟପ୍ରଦେଶରେ ସିନ୍ଧିଆଙ୍କ ଫାଇଲ ଖୋଲିଥିବା  ଆର୍ଥିକ ଅପରାଧ ଶାଖା (ଇଡବ୍ଲୁଓ) ମହାନିର୍ଦ୍ଦେଶକଙ୍କୁ ହଟାଇ ଦିଆଯାଇଛି।

ଶିବରାଜଙ୍କ ମନ୍ତ୍ରୀମଣ୍ଡଳରେ କଂଗ୍ରେସରୁ ଯାଇଥିବା ନେତାଙ୍କ ମଧ୍ୟରୁ ୬ରୁ ୮ ଜଣ ଙ୍କୁ ରାଷ୍ଟ୍ରମନ୍ତ୍ରୀ କରାଯାଇପାରେ। ତେବେ ବିଜେପିରୁ କେତେଜଣଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବ ତାହା ହିଁ ଏବେ ଶିରାଜଙ୍କ ଲାଗି ଅସଲ ଚିନ୍ତାର ବିଷୟ।  ଗତ ବିଧାନସଭା ନିର୍ବାଚନରେ ଶିବରାଜଙ୍କ ମନ୍ତ୍ରୀମଣ୍ଡଳର ୧୩ ଜଣ ମନ୍ତ୍ରୀ ହାରିଯାଇଥିଲେ। ଆଉ କିଛି  ମନ୍ତ୍ରୀଙ୍କୁ ନିର୍ବାଚନ ଲଢିବାକୁ  ଟିକେଟ୍ ମିଳିନଥିଲା।

ତେବେ ଶିବରାଜଙ୍କ ମନ୍ତ୍ରୀମଣ୍ଡଳ ଗଠିତ ହେଉ କି ନ ହେଉ ସରକାର ପରିବର୍ତ୍ତନ ସହ ପ୍ରଶାସନରେ ଅଦଳବଦଳ ଆରମ୍ଭ ହୋଇଗଲାଣି। ଏଥିରେ ଆର୍ଥିକ ଅପରାଧ ଶାଖା (ଇଡବ୍ଲୁଓ) ମହାନିର୍ଦ୍ଦେଶକ ସୁଶୋଭନ ବାନାର୍ଜୀଙ୍କୁ ଏଡିଜି ଜିଏନପିଏ ସାଗର ନିଯୁକ୍ତ କରାଯାଇଛି। ସେହିପରି ତାଙ୍କ ସ୍ଥାନରେ ଏଡିଜି ସିଆଇଡି ରାଜୀବ ଟଣ୍ଡନଙ୍କୁ ଇଡବ୍ଲୁଓର ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେହିପରି କମଲ ନାଥଙ୍କ ଓଏସଡି ଅବସ୍ଥାପିତ ପ୍ରଜ୍ଞା ଋଚା ଶ୍ରୀବାସ୍ତବଙ୍କୁ ମଧ୍ୟ ବଦଳି କରାଯାଇପାରେ ବୋଲି ଏବେ ଅନୁମାନ କରାଯାଉଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.