ଦୀପାବଳି ପୂର୍ବରୁ ଶିବରାଜ ସରକାରଙ୍କ ବଡ ନିଷ୍ପତ୍ତି, ଚୀନ ବାଣ ବିକ୍ରି ଉପରେ ଲଗାଇଲେ ରୋକ୍
5/11/2020 at 10:55 PM

ଭୋପାଳ ୦୫।୧୧: ମଧ୍ୟ ପ୍ରଦେଶ ସରକାର ରାଜ୍ୟରେ ଚୀନ ବାଣର ବିକ୍ରି ଏବଂ ଉପଯୋଗ ଉପରେ ବୁଧବାର ପ୍ରତିବନ୍ଧକ ଲଗାଇଛନ୍ତି। ମଧ୍ୟ ପ୍ରଦେଶର ଜନସଂପର୍କ ବିଭାଗର ଜଣେ ଅଧିକାରୀ କହିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ ରାଜ୍ୟର ଆଇନ ବ୍ୟବସ୍ଥା ସମ୍ଵନ୍ଧରେ ଆଜି ମନ୍ତ୍ରଣାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ରାଜ୍ୟରେ ଚୀନ ବାଣର ବିକ୍ରି ଏବଂ ଏହାର ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗୁ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଚୌହ୍ଵାନ କହିଛନ୍ତି, ଆଇନର ଉଲ୍ଲଂଘନ କଲେ ବିସ୍ଫୋରକ ଅଧିନିୟମର ସମ୍ବନ୍ଧିତ ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆତ୍ମନିର୍ଭର ଭାରତ ଅଭିଯାନ ଅନ୍ତର୍ଗତ ସ୍ଥାନୀୟକୁ ପ୍ରୋତ୍ସାହନ ଦେବା ପାଇଁ ସ୍ଥାନୀୟ ସାମଗ୍ରୀ କିଣିବାକୁ ମୁଖ୍ୟମନ୍ତ୍ରୀ ଜନତାଙ୍କୁ ଅପିଲ୍ କରିଛନ୍ତି। ସେ କହିଛନ୍ତି ଦୀପାବଳି ସମୟରେ ମାଟିର ଦୀପ କିଣନ୍ତୁ। ଏମିତି ହେଲେ ସ୍ଥାନୀୟ କୁମ୍ଭାରଙ୍କୁ ରୋଜଗାର ମିଳିବ।
ମଧ୍ୟ ପ୍ରଦେଶର ଅତିରିକ୍ତ ମୁଖ୍ୟ ସଚିବ ଡ. ରାଜେଶ ରାଜୌରୀ କହିଛନ୍ତି ବିସ୍ଫୋରକ ଅଧିନିୟମର ଧାରା ୯ବି(୧)(ବି) ଅନ୍ତର୍ଗତ ଅବୈଧ ବାଣ ଜମା କଲେ, ବିକ୍ରି କଲେ ଏବଂ ବ୍ୟବହାର କଲେ ୨ ବର୍ଷ ଦଣ୍ଡାଦେଶ ରହିଛି।