ଓଡ଼ିଆ ପୁଅ ଶିବ ସୁନ୍ଦର ଦାସଙ୍କୁ ଗୁରୁ ଦାୟିତ୍ୱ, ଟିମ ଇଣ୍ଡିଆର ଚୟନକର୍ତ୍ତା ନିଯୁକ୍ତ

Published By : Prameya-News7 Bureau | January 07, 2023 IST

ନୂଆଦିଲ୍ଲୀ: ଓଡ଼ିଆ ପୁଅଙ୍କୁ ଗୁରୁ ଦାୟିତ୍ବ ଦେଲା ଭାରତୀୟ କ୍ରିକେଟ ବୋର୍ଡ । ଓଡ଼ିଆ ପୁଅ ତଥା ଟିମ୍‌ ଇଣ୍ଡିଆର ପୂର୍ବତନ ଓପନର ଶିବ ସୁନ୍ଦର ଦାସଙ୍କୁ ଭାରତୀୟ ସିନିୟର ଚନୟକର୍ତ୍ତା ଟିମର ସଦସ୍ୟ ଭାବେ ବିସିସିଆଇ ପକ୍ଷରୁ ନିଯୁକ୍ତ କରାଯାଇଛି । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଶନିବାର ଭାରତୀୟ ଜାତୀୟ ଦଳର ନୂତନ ଚୟନକର୍ତ୍ତା କମିଟି ଘୋଷଣା କରିଛି । ପୁଣି ଥରେ ପୂର୍ବତନ କ୍ରିକେଟର ଚେତନ ଶର୍ମା ନୂତନ ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ ହୋଇଛନ୍ତି । ଟି-୨୦ ବିଶ୍ଵ କପ୍‌ ୨୦୨୨ରେ ଖରାପ ପ୍ରଦର୍ଶନ ପରେ ବିସିସିଆଇ ଚୟନ କମିଟି ଭଙ୍ଗ କରିଥିଲା। ଏହା ପରେ ନୂତନ ଚୟନ କମିଟି ଗଠନ ନେଇ ପ୍ରକ୍ରିୟା ଜାରି ରହିଥିଲା । ପୂର୍ବ ଚୟନ କମିଟିର ଅଧ୍ୟକ୍ଷ ଚେତନ ଶର୍ମା ଥିଲେ । ଓଡିଶା ପାଇଁ ଗୌରବର ବିଷୟ ଯେ, ନୂତନ ଚୟନକର୍ତ୍ତା କମିଟିରେ ଅଭିଜ୍ଞ ପୂର୍ବତନ କ୍ରିକେଟର ଶିବ ସୁନ୍ଦର ଦାସ ସାମିଲ୍ ।

ଶିବ ସୁନ୍ଦର ଦାସ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୧୦ ହଜାରରୁ ଅଧିକ ରନ୍ କରିଛନ୍ତି । ଏହି ଡାହାଣହାତୀ ବ୍ୟାଟର ୧୮୦ଟି ମ୍ୟାଚ୍‌ରେ ୩୯ ହାରରେ ୧୦,୯୦୮ ରନ କରିଛନ୍ତି । ଏଥିରେ ୨୪ ଶତକ ଓ ୫୨ ଅର୍ଦ୍ଧଶତକ ସାମିଲ । ଅପରାଜିତ ୩୦୦ ରନ ତାଙ୍କର ସର୍ବୋଚ୍ଚ ସ୍କୋର । ଶିବ ସୁନ୍ଦର ଦାସ ଭାରତ ପକ୍ଷରୁ ୨୩ଟି ଟେଷ୍ଟ ମ୍ୟାଚ୍ ଖେଳି ୩୫ ହାରରେ ୧୩୨୬ ରନ କରିଛନ୍ତି । ଏଥିରେ ଦୁଇ ଶତକ ଓ ୯ ଅର୍ଦ୍ଧଶତକ ସାମିଲ । ସେ ଭାରତ ପକ୍ଷରୁ ୪ ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ସେ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିବାର ଓଡିଶାର ତୃତୀୟ ଖେଳାଳି ।

ସେ ଶେଷ ଥର ପାଇଁ ୨୦୦୨ ମସିହା ମେ ୨୨ ତାରିଖରେ ଭାରତ ପାଇଁ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ସେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏହି ମ୍ୟାଚ ଖେଳିଥିଲେ। ସେହିପରି ୨୦୦୨ ଡିସେମ୍ବର ୨୬ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ଦିନିକିଆ ଖେଳିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.