ମୁମ୍ବାଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ସସ୍ପେନ୍ସ ଜାରି । ବୈଠକ ପରେ ବୈଠକ, ଆଲୋଚନା ପରେ ଆଲୋଚନା ଜାରି ତଥାପି ଘୋଷଣା ହୋଇପାରୁନାହିଁ ମୁଖ୍ୟମନ୍ତ୍ରୀ ନାଁ । ଏହାରି ଭିତରରେ ପ୍ରଥମ ଥର ପାଇଁ ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀର ଦାବି ସାମ୍ନାକୁ ଆସିଛି । ମେଣ୍ଟ ଆଗରେ ପାର୍ଟି ଗୃହମନ୍ତ୍ରାଳୟ ଦାବି ରଖିଛି । ସଞ୍ଜୟ ଶିରସାଟ୍ କହିଛନ୍ତି, ମହାରାଷ୍ଟ୍ରର ନୂଆ ସରକାରରେ ସିନ୍ଦେ ଗୋଷ୍ଠୀ ଶିବସେନା ଗୃହ ବିଭାଗ ମିଳିବା ଦରକାର ।
ଉପ-ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସାଧାରଣତଃ ଗୃହ ମନ୍ତ୍ରାଳୟ ରହିଥାଏ । ଏହାଛଡ଼ା ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ନେତୃତ୍ବ ନେବା ଠିକ୍ ହେବ ନାହିଁ । ସନ୍ଦେ ମହାୟୁତି ସରକାରରେ ନୂଆ ଚେହେରା ହେବା ପରେ ଭାରତୀୟ ଜନତା ପାର୍ଟିକୁ ଫାଇଦା ହୋଇଛି । ବିଜେପି କିମ୍ବା ଏନସିପି ମରାଠା ସଂରକ୍ଷଣ ଆନ୍ଦୋଳନକାରୀଙ୍କୁ ଶାନ୍ତ କରିବାପରେ ସକ୍ଷମ ହୋଇନଥିଲେ । ଏହି କାର୍ଯ୍ୟକୁ ନିଜ କାନ୍ଧରେ ଉଠାଇଥିଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ସେ ମରାଠା ସଂରକ୍ଷଣ ମଧ୍ୟ ଦେଇଛନ୍ତି । ତେଣୁ ନିର୍ବାଚନରେ ତାଙ୍କ ସମର୍ଥନ ଅନେକ ଗୁଣା ବଢ଼ିଯାଇଛି । ମରାଠାଓ୍ବାଡ଼ାରେ ଏକନାଥ ସିନ୍ଦେ ସବୁଠାରୁ ଅଧିକ କ୍ୟାମ୍ପେନ କରିଥିଲେ ବୋଲି ସଞ୍ଜୟ ଶିରସାଟ୍ କହିଛନ୍ତି ।
ଦିଲ୍ଲୀ ଫେରିବା ପରେ ଏକନାଥ ସିନ୍ଦେ ଶୁକ୍ରବାର ମୁମ୍ବାଇରେ ମହାୟୁତି ବୈଠକ ରଦ୍ଦ କରି ସତାରା ନିଜ ପୈତୃକ ଗାଁକୁ ଚାଲିଯାଇଥିଲେ । ଅନୁମାନ କରାଯାଇଥିଲା, ସେ ମେଣ୍ଟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅସନ୍ତୁଷ୍ଟ ଅଛନ୍ତି । ମାତ୍ର ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନା ଏଭଳି ଦାବିକୁ ଖାରଜ୍ କରିଛି ଏବଂ କହିଛନ୍ତି, ପାର୍ଟି ପ୍ରମୁଖ ନିଜ ଅସୁସ୍ଥ ଅନୁଭବ କରିଥିଲେ, ସେଥିପାଇଁ ଗାଁକୁ ଚାଲିଯାଇଛନ୍ତି । ଏପଟେ ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅନ୍ତିମ ନିର୍ଣ୍ଣୟ ଶନିବାର ଅର୍ଥାତ୍ ଆଜି ନିଆଯିବ ବୋଲି କୁହାଯାଉଛି।...