ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ସମ୍ବଲପୁର ; ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି
8/06/2018 at 1:38 PM

ସମ୍ବଲପୁର ସମେତ ସମଗ୍ର ପଶ୍ଚିମଓଡିଶାରେ ଶୀତଳଷଷ୍ଠୀ ଯାତ୍ରା ପାଇଁ,ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସମ୍ବଲପୁର ସହରର ପ୍ରମୁଖ ତିନୋଟି ଶୀତଳଷଷ୍ଠୀ ଯାତ୍ରା କମିଟି ପକ୍ଷରୁ,ବ୍ୟାପକ ପ୍ରସ୍ତୁତି ସହ, ଭବ୍ୟ ସାଂସ୍କୃତିକ ସମାରୋହ ପାଇଁ ଅବଗଣନା ଆରମ୍ଭ ହୋଇଯାଇଛି। ହେଲେ ସହରର ମୁଖ୍ୟ ରାସ୍ତାରେ ଅଧପନ୍ତରିଆ ହୋଇ ପଡିରହିଥିବା ଫ୍ଲାଏଓଭର ଏଥର, ସାଂସ୍କୃତିକ ଶୋଭାଯାତ୍ରା ଓ ଯୁଗଳମୂର୍ତ୍ତୀ ଦର୍ଶନ ପାଇଁ ବାଧକ ସାଜିବ। ସେଥିପାଇଁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ମଧ୍ୟ କମିବା ଆଶଙ୍କା ରହିଛି….
ଆସନ୍ତା ୧୫ତାରିଖରେ, ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ପତର୍ପେଣ୍ଡି ବା, ଦେବ ନିର୍ବନ୍ଧ କାର୍ଯ୍ୟ ଅନୁଷ୍ଠିତ ହେବ। ୧୬ରେ ଗୁଆଗୁଣ୍ଡା ବା ଦେବ ନିମନ୍ତ୍ରଣ,ନୃସିଂହ ନିଉତା ବା ହନୁମାନ ନିଉତା କାର୍ଯ୍ୟ ସରିବା ପରେ, ୧୭ତାରିଖରେ, ଦେବଦେବ ମହାଦେବଙ୍କ ସହ ଜଗତ୍ଜନନୀ ମାତା ପାର୍ବତୀଙ୍କ ବିବାହ କାର୍ଯ୍ୟ ସଂପନ୍ନ ହେବ। ୧୮ତାରିଖ ରାତିରୁ, ଯୁଗଳମୂର୍ତ୍ତୀ ସାଧାରଣ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବା ପାଇଁ, ସ୍ବତନ୍ତ୍ର ପରଭା,ଦୁଲ୍ଦୁଲି,ସାଂସ୍କୃତିକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ, ମନ୍ଦିର ପ୍ରବେଶ କରିବେ। ଏଥିପାଇଁ ଏବେଠାରୁ ସାରା ସହରରେ, ଲୋକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିବା ବେଳେ, ମାତା ପାର୍ବତୀଙ୍କ କନ୍ୟାପିତାମାତା ମଧ୍ୟ, ଜଗତ୍ଜନନୀଙ୍କୁ ବିବାହ ଦେବା ପାଇଁ ସମସ୍ତ ପ୍ରସ୍ତୁତି କରୁଛନ୍ତି। ଚଳିତବର୍ଷ ମୋଦିପଡାର ଯୋଗେଶ୍ବର ବାବା ଶୀତଳଷଷ୍ଠୀ ପୂଜା କମିଟି, ଯାତ୍ରାରେ ୨୫ରୁ ୨୭ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ, ୨୨ଶହରୁ ୨୫ଶହ କଳାକାରଙ୍କ ମହାସାଂସ୍କୃତିକ ସମ୍ମିଳନୀ କରିବାକୁ ଯୋଜନା ରଖିଛି। ସେହିପରି ନନ୍ଦପଡା ଶୀତଳଷଷ୍ଠୀ ପୂଜା କମିଟି ଚଳିତବର୍ଷ ୩୦ଲକ୍ଷ ଟଙ୍କା ବ୍ୟୟ କରି, ୩ହଜାରରୁ ଅଧିକ କଳାକାରଙ୍କୁ ଯୁଗଳମୂର୍ତ୍ତୀ ଶୋଭାଯାତ୍ରାରେ ସାମିଲ୍ କରିବାକୁ ଲକ୍ଷ୍ୟ ରଖିଛି….