ମହାରାଷ୍ଟ୍ରରେ ଆଜି ନିର୍ବାଚନ ହେଲେ ଧରାଶାୟୀ ହୋଇପାରେ ସିନ୍ଦେ-ବିଜେପି ସରକାର, ଫାଇଦାରେ ଏମଭିଏ: ସର୍ଭେ
30/05/2023 at 5:34 PM

ମୁମ୍ବାଇ: ମହାରାଷ୍ଟ୍ରରେ ୨୦୨୪ରେ ଲୋକସଭା ସହ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏବେଠୁ ଶାସକ ବିଜେପିକୁ ମାତ୍ ଦେବା ପାଇଁ ସମସ୍ତ ବିରୋଧୀ ଦଳ ରଣନୀତି ପ୍ରସ୍ତୁତିରେ ଲାଗି ଗଲେଣି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ସକାଳ ମିଡିଆ ଗ୍ରୁପ ରାଜ୍ୟରେ ବିଜେପି-ସିନ୍ଦେ ସରକାର ପ୍ରତି ସାଧାରଣ ଜନତାଙ୍କ ମୁଡ କିପରି ରହିଛି ତାହା ପରଖିବା ପାଇଁ ସର୍ଭେ କରିଛି। ମହାରାଷ୍ଟ୍ରର ଜନତା ସାଂପ୍ରତିକ ରାଜନୈତିକ ଘଟଣାକ୍ରମକୁ ନେଇ କଣ ଭାବୁଛନ୍ତି, ସେମାନଙ୍କର ରାୟ କଣ ସର୍ଭେ ଜରିଆରେ ଜାଣିବାକୁ ଚେଷ୍ଟା କରାଯାଇଛି।
ବିଜେପି ସବୁଠୁ ବଡ଼ ପାର୍ଟି

ସର୍ଭେ ଅନୁଯାୟୀ, ବର୍ତ୍ତମାନ ନିର୍ବାଚନ ହେଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଜୋରଦାର ଝଟକା ଲାଗିପାରେ। କିନ୍ତୁ ସର୍ଭେରେ ବିଜେପିକୁ ବଡ଼ ଫାଇଦା ମିଳୁଥିବା ଦେଖିବାକୁ ମିଳିଛି। ରାଜ୍ୟରେ ବିଜେପି ବଡ଼ ପାର୍ଟି ଭାବେ ଆର୍ବିଭାବ ହେଉଥିବା ବେଳେ ଦଳକୁ ୩୩.୮ ପ୍ରତିଶତ ଭୋଟ୍ ମିଳିପାରେ। କିନ୍ତୁ ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀକୁ ମାତ୍ର ୫.୫ ପ୍ରତିଶତ ଭୋଟ୍ ମିଳିପାରେ। ମୋଟାମୋଟି ଏନଡିଏ ଖାତାକୁ କେବଳ ୩୯.୩ ପ୍ରତିଶତ ଭୋଟ୍ ଯାଇପାରେ ବୋଲି ସର୍ଭେରେ ଆକଳନ କରାଯାଇଛି।
କଂଗ୍ରେସ ଫାଇଦାରେ

ସର୍ଭେ ଅନୁସାରେ, ମହାବିକାଶ ଅଘାଡ଼ି ମେଣ୍ଟକୁ ସବୁଠୁ ଅଧିକ ୪୭.୭ ପ୍ରତିଶତ ଭୋଟ୍ ମିଳିପାରେ। ଏଥିରୁ କଂଗ୍ରେସ ଖାତାକୁ ସର୍ବାଧିକ ୧୯.୯ ପ୍ରତିଶତ ଭୋଟ୍ ଯାଇପାରେ। ଏହିପରି ଏନସିପିକୁ ୧୫.୩ ପ୍ରତିଶତ ଏବଂ ଉଦ୍ଧଭ ଠାକରେଙ୍କ ଗୋଷ୍ଠୀକୁ ୧୨.୫ ପ୍ରତିଶତ ଭୋଟ୍ ମିଳିବାର ସମ୍ଭାବନା ରହିଛି। ବର୍ତ୍ତମାନ ନିର୍ବାଚନ ହେଲେ ଏମଭିଏ ମେଣ୍ଟ ସରକାର ଗଠନ କରିବାର ଯଥେଷ୍ଟ ସମ୍ଭାବନା ଥିବା ସର୍ଭେରେ ପୂର୍ବାନୁମାନ କରାଯାଇଛି।
ବିପଦରେ ଏକନାଥ ସିନ୍ଦେ

ସର୍ଭେରେ ଏକନାଥ ସିନ୍ଦେଙ୍କୁ ବହୁତ ବଡ଼ ଝଟକା ଲାଗୁଥିବା ପୂର୍ବାନୁମାନ କରାଯାଇଛି। ଉଲ୍ଲେଖନୀୟ ଗତ ବର୍ଷ ଶିବସେନାରେ ବଡ଼ ବିଦ୍ରୋହ କରି ଉଦ୍ଧବ ଠାକରେଙ୍କ ନେତୃତ୍ଵାଧୀନ ମହାବିକାଶ ଅଘାଡ଼ି ସରକାରକୁ ଧରାଶାୟୀ କରିଥିଲେ ଏକନାଥ ସିନ୍ଦେ। ପରବର୍ତ୍ତୀ ସମୟରେ ସେ ବିଜେପି ସହ ମିଶି ସରକାର ଗଢିବା ସହ ମୁଖ୍ୟମନ୍ତ୍ରୀ ପଦ ହାତେଇଥିଲେ। ଏପରିକି ସିନ୍ଦେ ଗୋଷ୍ଠୀକୁ ନିର୍ବାଚନ ଆୟୋଗଙ୍କଠୁ ଶିବସେନାର ଚିହ୍ନ ମଧ୍ୟ ମିଳିଥିଲା। ହେଲେ ତାଙ୍କର ଲୋକପ୍ରିୟତା କମିବାରେ ଲାଗିଛି ଏବଂ ତାଙ୍କ ପାର୍ଟିକୁ ବଡ଼ ମୁସ୍କିଲର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ସଦ୍ୟତମ ସର୍ଭେରୁ ପ୍ରକାଶ।