ଶିଳ୍ପୀ ମୃତ୍ୟୁ ମାମଲା: ହତ୍ୟାକାଣ୍ଡ ଅଭିଯୋଗ ଆଣିଲେ ବାପ ଘର ଲୋକ, ସ୍ଵାମୀ ଅଟକ, ASIଙ୍କ କାର୍ଯ୍ୟକଳାପ ନେଇ ଉଠିଲା ପ୍ରଶ୍ନ ?
16/01/2023 at 7:43 PM

କଟକ: କଟକରେ ଚାଞ୍ଚଲ୍ୟ । ମଧୁପାଟଣା ଥାନା ଶ୍ରୀରାମ ନଗରରେ ଗୋଟିଏ ଶିଶୁ ପୁତ୍ରକୁ ହତ୍ୟା କରାଯାଇଥିବା ବେଳେ ଶିଶୁର ସାବତ ମାଆର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। । ତେବେ ମୃତ ମହିଳାଙ୍କ ବାପଘର ଲୋକେ ଏହାକୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ଏହା ସହ ପୋଲିସ ସହାୟତାରେ ସାଇଣ୍ଟିଫିକ ଓ ଫୋରେନସିକ୍ ପ୍ରମାଣ ନଷ୍ଟ କରିବାର ଷଡଯନ୍ତ୍ର ହେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି। ଏତିକି ବେଳେ ମୃତ ମହିଳା ଶିଳ୍ପୀଙ୍କର କିଛି ସୋସିଆଲ ମିଡିଆ ପୋଷ୍ଟ ଚର୍ଚ୍ଚାର ବିଷୟ ହୋଇଛି। ଯେଉଁଥିରେ ସେ ଏମିତି କିଛି ତଥ୍ୟ ଉଲ୍ଲେଖ କରିଛନ୍ତି ଯାହା ତାଙ୍କ ସ୍ବାମୀଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
କଟକ ମଧୁପାଟଣା ଥାନା ଶ୍ରୀରାମ ନଗର ଅଞ୍ଚଳରେ ଚାଞ୍ଚଲ୍ଯ । ବନ୍ଦ କୋଠରୀରୁ ମିଳିଲା ଦୁଇ ଦୁଇଟି ମୃତ ଦେହ । ତିନି ବର୍ଷର ଶିଶୁପୁତ୍ରର ଗଳା ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରାଯାଇଛି। ଆଉ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ମିଳିଛି ମା ର ମୃତ ଦେହ। ମୃତ ମହିଳା ହେଲେ ଶ୍ରୀରାମ ନଗର ଅଞ୍ଚଳରେ ଭଡାରେ ରହୁଥିବା ସନ୍ତୋଷ ଖୁଣ୍ଟିଆଙ୍କ ଦ୍ବିତୀୟ ପତ୍ନୀ ଶିଳ୍ପୀ । କେମିତି ହେଲା ମା ପୁଅଙ୍କ ମୃତ୍ୟୁ । ସନ୍ଦେହର ଆଙ୍ଗୁଳି ଏକାଧିକ ଦିଗକୁ ନିର୍ଦ୍ଦେଶ କରୁଛି । ପାରିବାରିକ ଅଶାନ୍ତି କାରଣରୁ ଶିଳ୍ପୀ ଶିଶୁ ପୁତ୍ରକୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଥିବା ସନ୍ଦେହ ପ୍ରକାଶ ପାଉଛି। ମୃତ୍ୟୁ ପୂର୍ବରୁ ଶିଳ୍ପୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି I QUIT। ଏହା ତାଙ୍କର ଆତ୍ମହତ୍ୟା ଆଡକୁ ସନ୍ଦେହ ବଢ଼ାଉଛି। ତେବେ ଶିଳ୍ପି ଆତ୍ମହତ୍ୟା କରି ନାହାନ୍ତି ବରଂ ତାଙ୍କ ସ୍ୱାମୀ ସନ୍ତୋଷ ଓ ପରିବାର ଲୋକେ ତାଙ୍କୁ ହତ୍ୟା କରିଥିବା ଶିଳ୍ପିଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ସନ୍ତୋଷ ଓ ତାଙ୍କ ପରିବାର ତାଙ୍କୁ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ସ୍ବାମୀ ସ୍ତ୍ରୀଙ୍କ ଭିତରେ ବାରମ୍ବାର ପାଟିତୁଣ୍ଡ ଲାଗୁଥିଲା। ମାନସିକ ଓ ଶାରିରୀକ ନିର୍ଯାତନା ସହିବାର ସୀମା ଟପିଯାଇଥିଲା ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। ଏପରିକି ଶିଳ୍ପୀ ଗତକାଲି ଭଉଣୀଙ୍କୁ ହ୍ୱାଟ୍ସାଆପରେ ଦେଇଥିବା ମେସେଜ ଚର୍ଚ୍ଚାର ବିଷୟ ହୋଇଛି। ଏଥିରେ ସେ କେଉଁଠି କଣ କଣ ରଖିଛନ୍ତି, କାହାକୁ କଣ କଣ ଦେବାକୁ ହେବ ଏସବୁ ଲେଖିଛନ୍ତି । ଏଥିସହିତ ତାଙ୍କ ବିବାହ କେମିତି ତାଙ୍କ ପାଇଁ ଅସହ୍ୟ ହେଲାଣି ଏକଥା ଲେଖା ରହିଛି।
ସନ୍ତୋଷ ଖୁଣ୍ଟିଆଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା। ପ୍ରଥମ ପତ୍ନୀଙ୍କର ପୁଅଟିଏ ଥିଲା । ପରେ ସନ୍ତୋଷ ୨୦୨୧ରେ ଶିଳ୍ପୀଙ୍କୁ ବିବାହ କରିଥିଲେ। ପୁଅର ଲାଳନ ପାଳନ କରୁଥିଲେ ଶିଳ୍ପୀ । ତେବେ ସ୍ବାମୀ- ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ଲାଗୁଥିଲା। ଏପରିକି କଥା ଥାନା ଫାଣ୍ଡି ଯାଏଁ ଯାଇଥିଲା। ଶିଳ୍ପୀଙ୍କ ତାଙ୍କ ବାପଘର ଲୋକେ ତାଙ୍କ ପରିବାର ବ୍ୟାପାରରେ ହସ୍ତକ୍ଷେପ କରୁଥିଲେ ଯେଉଁଥିପାଇଁ ବାରମ୍ବାର ଅଶାନ୍ତି ସୃଷ୍ଟି ହେଉଥିଲା। ଦୁଇଦିନ ତଳେ ଏମିତି ଝଗଡ଼ କାରଣରୁ ସେ ତାଙ୍କ ଗାଁକୁ ଚାଲିଯାଇଥିଲେ ବୋଲି ସନ୍ତୋଷ କହିଛନ୍ତି।
ଏସବୁ ଭିତରେ ଜଣେ ପୋଲିସ ଅଧିକାରୀଙ୍କ କାର୍ଯ୍ୟକଳାପ ବିବାଦ ଘେରକୁ ଆସିଛି। ଏହି ଥାନା ASI, ଯିଏକି ସନ୍ତୋଷଙ୍କ ସଂପର୍କୀୟ, ସ୍ବାମୀ ସ୍ତ୍ରୀଙ୍କ ବିବାଦକୁ ରଫାଦଫା କରିବା ଲାଗି କୁଆଡ଼େ ଚାପ ପକାଉଥିଲେ । ଏପରିକି ଏଥିପାଇଁ ସେ ଧମକଚମକ ଦେଉଥିବା ଶିଳ୍ପୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଆଜି ଶିଳ୍ପୀଙ୍କ ମୃତ୍ୟୁ ପରେ ସଂପୃକ୍ତ ଏଏସଆଇ ସେଠାରେ ପହଞ୍ଚିଥିଲେ। ଯାହାକୁ ନେଇ ବିବାଦ ଉପୁଜିଥିଲା । ଗୁରୁତ୍ତ୍ୱପୂର୍ଣ୍ଣ ସାଇଣ୍ଟିଫିକ ଓ ଫୋରେନସିକ୍ ପ୍ରମାଣକୁ ପୋଲିସ ସହାୟତାରେ ନଷ୍ଟ କରିଵାକୁ ଚେଷ୍ଟା କରାଯାଉଛି ବୋଲି ଶିଳ୍ପୀଙ୍କ ବାପଘର ଲୋକେ ଅଭିଯୋଗ କରିଥିଲେ।
ଘଟଣାସ୍ଥଳରେ ପହଞ୍ଚି ତଦନ୍ତକୁ ଦିଗହରା କରୁଥିବା ଶିଳ୍ପୀଙ୍କ ପରିବାର ଅଭିଯୋଗ କରିଛନ୍ତି । ପୋଲିସ ଏ ଦିଗକୁ ମଧ୍ୟ ତଦନ୍ତ କରିବ ବୋଲି ଡିସିପି କହିଛନ୍ତି। ମୃତକଙ୍କ ଶବ ବ୍ୟବଚ୍ଛେଦର ଭିଡିଓ ଗ୍ରାଫି କରାଯିବ।ଏହି ଘଟଣାରେ ପୋଲିସ ଶିଳ୍ପୀଙ୍କ ସ୍ୱାମୀ ସନ୍ତୋଷ ଖୁଣ୍ଟିଆଙ୍କୁ ଅଟକ ରଖିଛି। ଏଥିସହିତ ସମସ୍ତ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ।