ଲୋକସଭା ଉପ ବାଚସ୍ପତି ପଦ ପାଇଁ ଶିବସେନାର ଦାବୀ: ମଉଳିଲା ଭର୍ତ୍ତୃହରିଙ୍କ ଆଶା !୧୯ ସୁଦ୍ଧା ନିର୍ବାଚନ
6/06/2019 at 4:59 PM

ଭୁବନେଶ୍ବର୬|୬: ଲୋକସଭାରେ ବାଚସ୍ପତି ଓ ଉପବାଚସ୍ପତି ନିର୍ବାଚନ ଆସନ୍ତା ୧୯ ତାରିଖ ସୁଦ୍ଧା ହେବ। ତେବେ ଉପବାଚସ୍ପତି ପଦ ପାଇଁ ବିଜେଡିର ଭର୍ତ୍ତୃହରି ମହତାବଙ୍କ ନାଁ ଚର୍ଚ୍ଚାରେ ଥିବା ବେଳେ ଆଜି ଆସିଛି ଏଥିରେ ଟ୍ବିଷ୍ଟ। ଏନଡିଏର ସବୁଠାରୁ ବଡ଼ ଅଂଶୀଦାର ଦଳ ହିସାବରେ ଶିବସେନା ଉପବାଚସ୍ପତି ପଦ ପାଇଁ ଦାବି କରିଛି। ଏଣେ ବିଜେଡି ନିରବରେ ଘଟଣାକ୍ରମକୁ ଅନୁଧ୍ୟାନ କରୁଛି।

ଉପବାଚସ୍ପତି ପଦ ଶିବସେନାର ହକ୍। ଏମିତି କିଛି କହି ଆଜି ଉପବାଚସ୍ପତି ପଦ ପାଇଁ ଦାବି କରିଛି ଶିବସେନା। ଏନଡିଏର ସହଯୋଗୀ ଥିବା ଶିବସେନା ଲୋକସଭାରେ ୧୮ଟି ଆସନ ହାତେଇଛି। ତେବେ ମନ୍ତ୍ରିମଣ୍ଡଳରେ କେବଳ ଗୋଟିଏ ଆସନ ମିଳିଥିବାରୁ ଅସନ୍ତୁଷ୍ଟ ଅଛି ଶିବସେନା। ଏଥିପାଇଁ ଲୋକସଭାର ଉପବାଚସ୍ପତି ପଦ ଦାବି କରିଛି। ଶିବସେନା ସାଂସଦ ସଞ୍ଜୟ ରାଉତ ଏନେଇ ଦଳର କାର୍ଡ ଖୋଲିଛନ୍ତି।

ଲୋକସଭାରେ ବାଚସ୍ପତି ଶାସକ ଦଳର ସଦସ୍ୟ ହେଉଥିବା ବେଳେ ପରମ୍ପରା ଅନୁସାରେ ଏହି ପଦ ବିରୋଧୀ ଦଳକୁ ଛାଡ଼ିଆସିଛନ୍ତି ସରକାରୀ ଦଳ । ଗତଥର AIADMKର ଥମ୍ବିଦୁରାଇ ଉପବାଚସ୍ପତି ହୋଇଥିଲେ। ଏଥର ଏଆଇଏଡିଏମକେ ଏନଡିଏର ଅଂଶୀଦାର ରହିଛି। ତେଣୁ ବିରୋଧୀ ଦଳ ମଧ୍ୟରୁ କୌଣସି ଦଳକୁ ଏନେଇ ସରକାରୀ ପକ୍ଷ ଛାଡ଼ିପାରନ୍ତି।

ଜାତୀୟ ଗଣମାଧ୍ୟମରେ ଏନେଇ ବିଜେଡି ସଦସ୍ୟ ଭର୍ତ୍ତୃହରି ମହତାବଙ୍କ ନାଁ ଶୁଣାଯାଉଥିଲା । ଯଦିଏ ଏନେଇ ନା ବିଜେଡି ନା ବିଜେପି କେହି ସ୍ପଷ୍ଟ ଭାବେ କିଛି କହିନାହାନ୍ତି ଏବେ କିନ୍ତୁ ଶିବସେନା ଏଥିପାଇଁ ଦାବି କରିବା ପରେ ଏଥିରେ ରାଜନୀତିର ଭାଗମାପ ପ୍ରବେଶ କରିଛି।

ସେପଟେ ବାଚସ୍ପତି ପଦ ପାଇଁ ବିଜେପି ମଧ୍ୟ ଏପର୍ଯ୍ୟନ୍ତ ନାଁ ସ୍ଥିର କରିନାହିଁ। ସବୁଠାରୁ ବରିଷ୍ଠ ସାଂସଦ ମେନକ ଗାନ୍ଧି ପ୍ରଟେମ ସ୍ପିକର ରହିବେ। ତେବେ ବାଚସ୍ପତି ପଦ ପାଇଁ ମେନକା ଗାନ୍ଧି,ଏସଏସ ଆଲୁୱାଲିଆ, ପୂର୍ବତନ ମନ୍ତ୍ରୀ ରାଧାମୋହନ ସିଂହ ଓ ଜୁଏଲ ଓରାମଙ୍କର ନାଁ ଚର୍ଚ୍ଚାର ପରିସରରେ ରହିଛି।