ଅବ୍ୟବସ୍ଥା ଘେରରେ ଶେରଗଡ଼ ବିଟ ହାଉସ; ବାରମ୍ୱାର ଅଭିଯୋଗ ପରେ ମଧ୍ୟ ସୁଧୁରୁନି ପରିସ୍ଥିତି
30/11/2022 at 8:33 PM

ନୀଳଗିରି ୩୦/୧୧: ବିଟ୍ ହାଉସ୍ ଅବ୍ୟବସ୍ଥାକୁ ନେଇ ଏକାଠି ହେଲେ ଅଞ୍ଚଳବାସୀ। ବହୁଦିନ ହେଲା ଅବ୍ୟବସ୍ଥା ଘେରରେ ଥିବାରୁ ଅଞ୍ଚଳରେ ବଢ଼ୁଛି ଅପରାଧିକ ଘଟଣା। ବାରମ୍ୱାର ଅଭିଯୋଗ ପରେ ମଧ୍ୟ ସୁଧୁରୁନି ବିଟ୍ ହାଉସ୍ର ସମସ୍ୟା। ୭ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ନହେଲେ ଆମରଣ ଅନଶନ ଚେତାବନୀ ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକ। ଏପରି ଏକ ସମସ୍ୟା ମୂଳକ ଚିତ୍ର ରେମୁଣା ବ୍ଲକ ଅଧୀନ ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ବିଟ୍ ହାଉସ୍ରେ ଦେଖିବାକୁ ମିଳିଛି। ଟାଇଲ୍ ଘରେ ଚାଲୁଥିବା ସମ୍ପୃକ୍ତ ବିଟ୍ ହାଉସ୍ରେ କର୍ମଚାରୀଙ୍କର ଘୋର ଅଭାବ ରହିଛି।
ସମ୍ପୃକ୍ତ ବିଟ୍ ହାଉସ୍ ଅଞ୍ଚଳରେ ଏବେ ଅପରାଧ ଦିନକୁ ଦିନକୁ ବଢ଼ି ଚାଲିଛି। ସେଠାରେ ଅଳ୍ପ କିଛି କନେଷ୍ଟବଲଙ୍କୁ ନାହିଁ ନାହିଁରେ କାମ ଚାଲିଛି। କିଛିଦିନ ତଳେ ଦାୟିତ୍ୱରେ ଥିବା ଏଏସଆଇ ବଦଳି ହୋଇଥିବା ବେଳେ ଅଞ୍ଚଳବାସୀ ଏସଆଇ ପୋଷ୍ଟିଂ ପାଇଁ ଦାବି କରୁଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ବିଟ୍ ହାଉସ୍ ପାଖରେ ଜାତୀୟ ରାଜପଥ, ରାଜ୍ୟ ରାଜପଥ, ବିଭିନ୍ନ ଇଞ୍ଜିନିୟରିଙ୍ଗ କଲେଜ, ସ୍କୁଲ, କଲେଜ, ଡାକ୍ତରଖାନା, ହାଟ, ବାଣିଜ୍ୟ ପ୍ରତିଷ୍ଠାନ ରହିଛି। ସୂଚନା ଥାଉକି, ନଭେନ୍ୱର ୨୭ ରାତିରେ ଜଣେ ହୋଟେଲ ମାଲିକ ଶଶିଧର ପତିଙ୍କୁ ଦୁର୍ବୁତ୍ତମାନେ ମରଣାନ୍ତକ ଆକ୍ରମଣ କରି ତାଙ୍କ ଠାରୁ ଟଙ୍କା, ସୁନା ଚେନ,ମୋବାଇଲ ଲୁଟି ନେଇଛନ୍ତି। ଶେରଗଡ଼ ପଞ୍ଚାତ ଅଫିସ ପାଖରୁ ଏକ ବୋଲେରୋ ଗାଡ଼ି ମଧ୍ୟ ଚୋରି ହୋଇଛି।
ଅନ୍ୟପଟେ ଅପରାଧିମାନେ ପୋଲିସର କାର୍ଯ୍ୟାନୁଷ୍ଠାନ ଶିଥିଳତା ଜାଣି ସ୍ପଷ୍ଟ ଦିବାଲୋକରେ ଲୁଟତରାଜ କରୁଛନ୍ତି। ପେଟ୍ରୋଲିଂ କଥା ନକହିବା ଭଲ। ଅଞ୍ଚଳରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିଗୁଡୁଥିବା ବେଳେ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଏହାର ପ୍ରତିକାର ମୂଳକ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଏକାଠି ହୋଇଛନ୍ତି। ବିଟ ହାଉସରେ ଜଣେ ସବ ଇନ୍ସପେକ୍ଟର, ଜଣେ ଏଏସଆଇ, ହାବିଲଦାରଙ୍କ ସହିତ ଯଥେଷ୍ଟ କନେଷ୍ଟବଳ ନିଯୁକ୍ତି ଦାବିରେ ରଖି, ରେମୁଣା ବିଧାୟକ, ଏସଡିପିଓ, ଖନ୍ତାପଡ଼ା ଥାନାଧିକାରୀ ଓ ଏସପିଙ୍କୁ ଦାବିପତ୍ର ଦିଆଯାଇଛି। ୭ ଦିନ ମଧ୍ୟରେ ଦାବି ପୂରଣ ନହେଲେ ଖନ୍ତାପଡ଼ା ଥାନା ଆଗରେ ଆମରଣ ଅନଶନ ହେବ ବୋଲି ଚେତାବନୀ ଦିଆଯାଇଛି। ଏହି ପ୍ରତିବାଦ ତଥା ଦାବି ପତ୍ର ପ୍ରଦାନବେଳେ ସେରଗଡ଼ ସରପଞ୍ଚ ଦୟାନିଧି ମହାପାତ୍ର,ସମିତିସଭ୍ୟା ରଞ୍ଜିତା ନାୟକ,ନୁଆଗାଁ ସରପଞ୍ଚ ସୁବ୍ରତ ଦାସ, ବରିଷ୍ଠ ସାମ୍ବାଦିକ ରବି ରାଉତ, ଗଜେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।