ଫ୍ୟାନମାନଙ୍କ ପାଇଁ ଆଶ୍ୱସ୍ତିକର ଖବର; କାମ କଲା ରାଜୁ ଶ୍ରୀବାସ୍ତବଙ୍କ ଅଙ୍ଗ, ଡାକ୍ତର କହିଲେ ଖୁବ୍ଶୀଘ୍ର ସୁସ୍ଥ ହେଇପାରନ୍ତି କମେଡିଆନ୍
21/08/2022 at 12:54 PM

ମୁମ୍ବାଇ: ଗଦତକାଲି ଠାରୁ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ଭଲ ଖବର ଶୁଣିବାକୁ ମିଳୁଛି। ଗତକାଲି ରାଜୁ ସଂକଟାପନ୍ନ ସ୍ଥିତିରୁ ମୁକୁଳିଥିବା ଖବର ଶୁଣିବାକୁ ମିଳିଥିଲା। ଆଜି ଆଉ ଟିକେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ଏନେଇ ବଲିଉଡ୍ କମେଡି ଶୋ ଜଜ୍ ଶେଖର ସୁମନ ସୂଚନା ଦେଇଛନ୍ତି।
ରାଜୁଙ୍କ ଶରୀର ଅଙ୍ଗ ସାଧାରଣ ଭାବେ କାମ କରୁଛି। ଡାକ୍ତରମାନେ ବି ଘଟଣାକୁ ନେଇ ଆଶା ପ୍ରକାଶ କରିଛନ୍ତି। ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ଦ୍ରୁତ ଗତିରେ ସୁଧୁରିପାରେ ବୋଲି ଡାକ୍ତର କହୁଛନ୍ତି। ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇ ଶେଖର ସୁମନ ଟ୍ୱିଟ୍ କରି ଲେଖିଛନ୍ତି “ତାଙ୍କ ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ରାଜୁଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରୁଛି। ତାଙ୍କ ଶରୀର ଅଙ୍ଗ ସାଧାରଣ ଭାବେ କାର୍ଯ୍ୟ କରୁଛି। ତେବେ ସେ ଏବେ ବି ଚେତାଶୂନ୍ୟ ଅଛନ୍ତି। ଡାକ୍ତର କହୁଛନ୍ତି ଯେ ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଗତିରେ ସୁଧାର ଆସିପାରେ। ମହାଦେବଙ୍କ କୃପା। ହର ହର ମହାଦେବ। ”
ତେବେ ଏମ୍ସର ନିର୍ଦ୍ଦେଶ ରଣଦୀପ ଗୁଲେରିଆଙ୍କ ସୂଚନା ଅନୁସାରେ ରାଜୁଙ୍କ ଅବସ୍ଥା ଏବେ ବି ସଂକଟାପନ୍ନ ରହିଛି। ସେ ଏବେ ବି ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି। ତାଙ୍କର ଚେତା ଫେରିନି।
ସୂଚନା ଥାଉକି, ଅଗଷ୍ଟ ୧୦ ତାରିଖରେ ହୃଦଘାତରେ ଶିକାର ହେବା ପରଠାରୁ ସେ ଦିଲ୍ଲୀ ଏମ୍ସରେ ଭେଣ୍ଟିଲେଟ୍ରେ ରହି ଚିକିତ୍ସିତ ହେଉଛନ୍ତି। ତେବେ ଗତ ସପ୍ତାହରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ଦୁଇଦିନ ତଳେ ସେ ଗୁରୁତର ହୋଇପଡ଼ିଥିଲେ। ଫଳରେ ଲୋକମାନଙ୍କ ମନରେ ନାନା ଆଶଙ୍କା ଦେଖା ଦେଇଥିଲା।
ତେବେ ଗତକାଲି ରାଜୁ ଶ୍ରୀବାସ୍ତବ କ୍ରିଟିକାଲ କଣ୍ଡିସନରୁ ବାହାରି ଆସିଥିବା ତାଙ୍କ ଭାଇ ଦୀପୁ ଶ୍ରୀବାସ୍ତବ ସୂଚନା ଦେଇଥିଲେ। ସେ ଏକ ଭିଡିଓ ରେକର୍ଡିଂ କରି ଗୁଜବ ଖବର ଉପରେ ବିଶ୍ୱାସ ନ କରିବାକୁ କହିଥିଲେ। ଶେଖର ସୁମନ ଏହି ସୂଚନା ଫ୍ୟାନ୍ଙ୍କୁ ଜଣାଇଥିଲେ। ସେ ଟ୍ୱିଟ୍ କରି ଲେଖିଥିଲେ “ଗତକାଲି ରାଜୁଙ୍କ ଅବସ୍ଥା ସଂକଟାପନ୍ନ ଥିଲା। ହେଲେ ଆଜି ସେ କ୍ରିଟିକାଲ କଣ୍ଡିସନରୁ ବାହାରି ଆସିଛନ୍ତି। ସବୁଠାରୁ ଭଲ ଡାକ୍ତର ଓ ନ୍ୟୁରୋ ସର୍ଜନ ତାଙ୍କର ଚିକିତ୍ସା କରୁଛନ୍ତି। ସ୍ଥିତି ଭଲ ଦେଖାଯାଉଛି। ମୁଁ ଭାବୁଛି ଆମ ସମସ୍ତଙ୍କର ପ୍ରାର୍ଥନା ଭଗବାନ ଶୁଣୁଛନ୍ତି ଓ ରାଜୁ ଲଢ଼େଇ କରିବାର ଶକ୍ତି ପାଉଛନ୍ତି। ହର ହର ମହାଦେବ। ”