ଢାକା ୧୩।୭: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ତାଙ୍କ ଚୀନ ଗସ୍ତ କାର୍ଯ୍ୟକ୍ରମକୁ ଅଧାରେ ସମାପ୍ତ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ହସିନା ୧୧ ଜୁଲାଇ ଗୁରୁବାର ବେଜିଂରୁ ଢାକା ଫେରିବାର ଥିଲା, ତେବେ ସେ ବୁଧବାର ରାତିରେ ବେଜିଂ ଛାଡି ଢାକା ଫେରିଆସିଛନ୍ତି। ବାଂଲାଦେଶ ପ୍ରଧାନମନ୍ତ୍ରୀ ରୂପେ ଶେଖ ହସିନାଙ୍କର ଏହା ପଞ୍ଚମ ତଥା ଗତ ୫ ବର୍ଷରେ ପ୍ରଥମ ଚୀନ ଗସ୍ତ କାର୍ଯ୍ୟକ୍ରମ ଥିଲା। ତେବେ ବେଜିଂରୁ ତାଙ୍କର ଏପରି ଫେରିବା ଏହି ସଂକେତ ଦେଉଛି ଯେ ଏହି ଯାତ୍ରାରୁ ସେ ଯାହା ଆଶା କରୁଥିଲେ ତାହା ତାଙ୍କୁ ମିଳି ନାହିଁ।
ରିପୋର୍ଟରୁ ଯାହା ଜଣାପଡିଛି ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ଚୀନ୍ରୁ କୌଣସି ପ୍ରକାର ଆର୍ଥିକ ସହାୟତାର ଆଶ୍ୱାସନ ମିଳି ନଥିବା ବେଳେ ସେଠାରେ ତାଙ୍କୁ ପ୍ରୋଟକଲ ମଧ୍ୟ ଦିଆଯାଇ ନଥିଲା, ଯାହା କୌଣସି ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଦିଆଯାଏ। ଏଥିରେ ଅସନ୍ତୁଷ୍ଟ ଶେଖ ହସିନା ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରି ସ୍ୱଦେଶ ଫେରି ଆସିଛନ୍ତି। ଗସ୍ତ କାର୍ଯ୍ୟକ୍ରମ ଅନୁସାରେ ହସିନା ୧୦ ଜୁଲାଇ ବୁଧବାର ବେଜିଂରେ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ତାଙ୍କର ଚୀନ ସମକକ୍ଷ ଲି କିୟାଙ୍ଗଙ୍କୁ ଭେଟିଥିଲେ। ଏହି ସାକ୍ଷାତ ଆଲୋଚନା କାଳରେ ଦୁଇ ଦେଶଙ୍କ ମଧ୍ୟରେ ୨୧ଟି ବୁଝାମଣା ପତ୍ରରେ ସ୍ୱାକ୍ଷର ହୋଇଥିଲା।
ବାଂଲାଦେଶ ସରକାରୀ ସମ୍ବାଦ ସରବରାହ ସଂସ୍ଥା ବାଂଲାଦେଶ ସଙ୍ଗବାଦ ସଂସ୍ଥା (ବିଏସଏସ) ମୁତାବକ ପ୍ରଧାନମନ୍ତ୍ରୀଙ୍କ ଏହି ଯାତ୍ରାରେ ବେଜିଂ ଓ ଢାକା ସେମାନଙ୍କ ଷ୍ଟ୍ରାଟେଜିକ ପାର୍ଟନରସିପ କୁ ବିସ୍ତୁତ ଷ୍ଟ୍ରାଟେଜିକ କୋଅପରେଟିଭ ଭାଗିଦାରୀରେ ପରିବର୍ତ୍ତିତ କରିଛନ୍ତି। ଏହା ଛଡା ଢାକା ଓ ବେଜିଂ ଆଉ ୭ଟି ନୂଆ ପ୍ରକଳ୍ପର ଘୋଷଣା କରିଛନ୍ତି। ସେହିପରି ବାଂଲାଦେଶ ବିଦେଶ ମନ୍ତ୍ରୀ ହସନ ମହମ୍ମୁଦ ସି ଜିନପିଙ୍ଗ ଓ ଶେଖ ହସିନାଙ୍କ ବୈଠକକୁ ସଫଳ ଚର୍ଚ୍ଚା ବୋଲି କହିଛନ୍ତି। ତେବେ ପ୍ରତିଶ୍ରୁତିରୁ କମ୍ ଆର୍ଥିକ ସହାୟତା ଓ ସେମାନଙ୍କ ଲାଗି ଉଚିତ ପ୍ରୋଟକଲ ଯୋଗାଇ ଦିଆଯାଇ ନଥିବାରୁ ପ୍ରଧାନମନ୍ତ୍ରୀ ନିରାଶ ହୋଇଛନ୍ତି। ଏଣୁ ଯାତ୍ରା ଅଧାରୁ ବାତିଲ କରି ଢାକା ଫେରି ଆସିଛନ୍ତି।