ନରମିଲା ପାକିସ୍ତାନର ନାପାକ୍ ସ୍ବର; ଶାନ୍ତି ବାର୍ତ୍ତା ଦେଲେ ଶହବାଜ୍ ସରିଫ୍, କହିଲେ ତିନି ଯୁଦ୍ଧରେ ମିଳିଛି ଶିକ୍ଷା, ଏବେ ଚାହୁଁଛୁ ଶାନ୍ତି

Published By : Prameya-News7 Bureau | January 17, 2023 IST

ନୂଆଦିଲ୍ଲୀ: ନଇଁଲା ପାକିସ୍ତାନର ମୁଣ୍ଡ। ଆତଙ୍କବାଦକୁ ସମର୍ଥନ ଓ ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଉଚିତ୍ ଶିକ୍ଷା ପାଇଛି ପାକିସ୍ତାନ । ଆରବ ରାଷ୍ଟ୍ର ପରିଷଦ ମାଧ୍ୟମରେ ସହଯୋଗ ପାଇଁ ଭାରତକୁ ଗୁହାରି କରିଛି । ଭାରତ ସହିତ ବନ୍ଧୁତ୍ବ ଓ ଶାନ୍ତି ଚାହୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଶହବାଜ୍ ସରିଫ୍ କହିଛନ୍ତି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ୍ ସରିଫ୍ ଏକ ଆରବ ଦେଶ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ସଚ୍ଚୋଟତାର ସହିତ ମୋଦିଙ୍କ କଥାବାର୍ତ୍ତା କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଭାରତ ବିପକ୍ଷରେ ତିନି ତିନୋଟି ଯୁଦ୍ଧ କରି ଶିକ୍ଷା ପାଇଛୁ । ଯୁଦ୍ଧ ପାଇଁ ପାକିସ୍ତାନରେ ଗରିବୀ ଓ ବେରୋଜଗାର ବଢ଼ିଛି । ଆଉ ପାକିସ୍ତାନ ଯୁଦ୍ଧ ଚାହୁଁନାହିଁ । ପାକିସ୍ତାନ-ଭାରତ ମଧ୍ୟରେ ରହିଥିବା ଅନେକ ଗମ୍ଭୀର ମାମଲାକୁ ଟେବୁଲରେ ବସି  ସାମ୍ନାସାମ୍ନି ସମାଧାନ କରିବାକୁ ଚାହୁଁଛୁ ବୋଲି କହିଛନ୍ତି ସରିଫ୍ ।  

କାଶ୍ମୀର ଭଳି ଗମ୍ଭୀର ମାମଲାକୁ ଟେବୁଲ ଉପରକୁ ଆଣିବାକୁ ଆରବ ରାଷ୍ଟ୍ର ପରିଷଦ ମାଧ୍ୟମରେ ଗୁହାରୀ କରିଛନ୍ତି । କାଶ୍ମୀର ମାମଲାରେ ଭାରତ ସହିତ ଚର୍ଚ୍ଚା କରିବାକୁ ଚାହୁଁଛନ୍ତି ବୋଲି ସରିଫ୍ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାମ୍ନାରେ ଏହାର ସମାଧାନର ସୂତ୍ର ବାହାରିବା ଦରକାର । ପାକିସ୍ତାନ ପ୍ରସ୍ତୁତ ରହିଛି, ଏନେଇ ଭାରତ ବିଶ୍ବକୁ ସକରାତ୍ମକ ସନ୍ଦେଶ ଦେବା ଆବଶ୍ୟକ ବୋଲି ସରିଫ୍ କହିଛନ୍ତି ।

କାଶ୍ମୀର ମାମଲାରେ ଭାରତକୁ ସବୁବେଳେ ପରମାଣୁ ଅସ୍ତ୍ର ପ୍ରୟୋଗର ଧମକ ଦେଇଥିବା ପାକିସ୍ତାନର ସ୍ବରରେ  ନରମ ହୋଇଛି । ବର୍ତ୍ତମାନ ସମୟରେ ଆତଙ୍କବାଦ ଓ ଆର୍ଥିକ ସଂକଟରେ ଜୁଝି ହେଉଛି ପାକିସ୍ତାନ । ଦେଶରେ ବିଦେଶୀ ମୁଦ୍ରା ଭଣ୍ଡାର ଶୂନ୍ୟ ହୋଇଛି । ମହଙ୍ଗା ମାଡ଼ରେ ଭାଜି ହେଉଛନ୍ତି ଦେଶବାସୀ । ଦୁଇ ଦେଶ ପରମାଣୁ ସମ୍ପନ୍ନ । ଭୂଲରେ ବି ଏହାର ବ୍ୟବହାର ହେଲେ,ଉଭୟ ଦେଶ ମଧ୍ଯରେ କ’ଣ ହୋଇଥିଲା ଦେଖିବାକୁ କେହି ନଥିବେ । ତେଣୁ ଭାରତ ପଡୋଶୀ ଦେଶ ଭାବେ ପାକିସ୍ତାନର ସଂକଟ ସମୟରେ ସହଯୋଗ କରିବା ପାଇଁ ଗୁହାରି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.