ଇସଲାମାବାଦ: ପାକିସ୍ତାନ ରାଜନୈତିକ ସଂକଟରେ ରବିବାର ପଡ଼ିବ ପୂର୍ଣ୍ଣଚ୍ଛେଦ । ପଡୋଶୀ ଦେଶରେ ଆଜିଠୁ ନୂଆ ସରକାର । ସଂସଦରେ ପ୍ରଥମ ଅଧିବେଶନ ବସିବାକୁ ଯାଉଛି । ପାକିସ୍ତାନ ସେନା ସମର୍ଥନରେ ପାକିସ୍ତାନ ମୁସଲିମ୍ ଲିଗ୍-ନଓ୍ବାଜ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି ମଧ୍ୟରେ ମେଣ୍ଟ ସରକାର ଗଠନ ହେବ । ପିଏମଏଲ(ଏନ) ନେତା ଶେହବାଜ୍ ସରିଫ୍ ପାକିସ୍ତାନର ୩୩ତମ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ସରିଫ୍ ଦ୍ବିତୀୟ ପାଳିରେ ପାକିସ୍ତାନ କମାଣ ସମ୍ଭାଳିବେ ।
ସେପଟେ ତାଙ୍କୁ ଚ୍ୟାଲେଞ୍ଜ ଦେବେ ପାକିସ୍ତାନ ତାରିକ୍-ଏ-ଇନସାଫର ନେତା ଓମର ଆୟୁବ ଖାନ୍ । ମାତ୍ର ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ଦେଖିବାକୁ ଗଲେ ଶେହବାଜ୍ ସରିଫ୍ ଏଥିରେ ଆଗରେ ଅଛନ୍ତି । ସେ ପ୍ରଧାନମନ୍ତ୍ରୀ ହେବା ନେଇ ଏକ ପ୍ରକାର ସ୍ଥିର ହୋଇଛି ।
ପ୍ରଧାନମନ୍ତ୍ରୀ ନିର୍ବାଚନ ନେଇ ପାକିସ୍ତାନ ସଂସଦରେ ଆଜି ଭୋଟିଂ ହେବ । ନିର୍ବାଚନରେ ବିଜୟୀ ପ୍ରାର୍ଥୀ ସୋମବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ସିଟ୍ ସଂଖ୍ୟା ହିସାବକୁ ନେଲେ ଶେହବାଜ୍ ସରିଫ୍ ପ୍ରଧାନମନ୍ତ୍ରୀ ହେବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହା ଶେହବାଜ୍ ସରିଫଙ୍କ ଦ୍ବିତୀୟ ପାଳି ହେବ । ସରିଫ୍ ପାକିସ୍ତାନ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବାବେଳେ ବହୁ ବିକାଶମୂଳକ କାର୍ଯ୍ୟ କରିଛନ୍ତି ।
wp:embed {"url":"https://www.prameyanews7.com/india-has-officially-eliminated-extreme-poverty-us-report/","type":"wp-embed","providerNameSlug":"prameya-news-7"} /wp:embedଦ୍ବିତୀୟ ପାଳିରେ ଶେହବାଜ୍ ସରିଫଙ୍କ ପାଇଁ ପାକିସ୍ତାନର ଅର୍ଥ ବ୍ୟବସ୍ଥାକୁ ସୁଧାରିବା ବଡ଼ ଚ୍ୟାଲେଞ୍ଜ ହେବ । ଦେଶରେ ବଢ଼ୁଥିବା ଆତଙ୍କବାଦ ଉପରେ ଅଙ୍କୁଶ ଲଗାଇବାକୁ ପଡ଼ିବ । ଏହା ସହିତ ଜେଲରେ ବନ୍ଦ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇର ଶକ୍ତିକୁ ମଧ୍ୟ ପ୍ରତିହତ କରିବାକୁ ପଡ଼ିବ ।
ପାକିସ୍ତାନରେ ଫେବ୍ରୁଆରୀ ୮ ତାରିଖରେ ସାଧାରଣ ନିର୍ବାଚନ ହୋଇଥିଲା । ଏଥିରେ କୌଣସି ପାର୍ଟିକୁ ସ୍ପଷ୍ଟ ବହୁମତ ମିଳିନାହିଁ । ସରିଫଙ୍କ ପିଏମଏଲ୍(ଏନ) ମଧ୍ୟ ବହୁମତ ହାସଲ କରିବାରେ ବିଫଳ ହୋଇଛି । ୨୬୫ ସାଂସଦ ଆସନରୁ ୭୫ଟି ସିଟ୍ ପାଇ ବଡ଼ ପାର୍ଟି ଭାବେ ଉଭା ହୋଇଛି । ତେବେ ପିଏମଏଲ୍(ଏନ) , ପିପିପି ଏବଂ ଅନ୍ୟ ୪ଟି ଛୋଟ ଦଳ ମିଶି ମେଣ୍ଟ ସରକାର ଗଠନ କରିବାକୁ ଯାଉଛନ୍ତି । ପିଏମଏଲ୍(ଏନ)କୁ ପ୍ରଧାନମନ୍ତ୍ରୀ ପଦ ମିଳିବାକୁ ଯାଉଥିବା ବେଳେ ପିପିପି ରାଷ୍ଟ୍ରପତି ପଦ ମିଳିବ। ପିପିପି ବରିଷ୍ଠ ନେତା ଏବଂ ପୂର୍ବ ରାଷ୍ଟ୍ରପତି ଅସିଫ୍ ଅଲ୍ଲୀ ଜରଦାରୀ ପୁଣି ଥରେ ପାକିସ୍ତାନ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ।