ଇତିହାସ ରଚିଲେ ଶେଫାଳୀ, ସବୁଠୁ କମ ବୟସରେ ତିନି ଫର୍ମାଟ୍‌ରେ ପଦାର୍ପଣ କରିବାରେ ପ୍ରଥମ ଭାରତୀୟ ଖେଳାଳି

Published By : Prameya-News7 Bureau | June 27, 2021 IST

ନୂଆଦିଲ୍ଲୀ ୨୭।୦୬: ଇତିହାସ ରଚିଲେ ଭାରତୀୟ ମହିଳା କ୍ରିକେଟ୍ ଖେଳାଳି ଶେଫାଳୀ ବର୍ମା। ୧୭ ବର୍ଷ ବୟସର ଏହି ଯୁବ ଖେଳାଳି ଇଂଲଣ୍ଡ ବିପକ୍ଷ ଦିନିକିଆରେ ପଦାର୍ପଣ କରିଛନ୍ତି। ଏଥିସହ ତିନି ଫର୍ମାଟ୍‌ରେ ସବୁଠୁ କମ ବୟସରେ ଡେବ୍ୟୁ କରିବାରେ ପ୍ରଥମ ଭାରତୀୟ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। ୧୭ ବର୍ଷ ୧୫୦ ଦିନ ବୟସରେ ଶେଫାଳୀ ନିଜର ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିବାକୁ ଆଜି ପଡିଆକୁ ଓହ୍ଲାଇଛନ୍ତି। ହେଲେ ସେ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ମାତ୍ର ୧୫ ରନ କରି ଆଉଟ୍ ହୋଇଥିଲେ।

ସୂଚନାଯୋଗ୍ୟ, ଶେଫାଳୀ ୧୫ ବର୍ଷ ୨୩୯ ଦିନ ବୟସରେ ପ୍ରଥମ ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳିଥିଲେ। ସେହି ପରି ୧୭ ବର୍ଷ ୧୩୯ ଦିନ ବୟସରେ ଟେଷ୍ଟ ପଦାର୍ପଣ କରିଥିଲେ। ଶେଫାଳି ଏ ପର୍ଯ୍ୟନ୍ତ ୨୨ ଅନ୍ତରାଷ୍ଟ୍ରୀୟ ଟି-୨୦, ଗୋଟିଏ ଟେଷ୍ଟ ଖେଳିଛନ୍ତି। ୧୭ ବର୍ଷୀୟ ଏହି ଖେଳାଳି ନିଜ ପ୍ରଦର୍ଶନ ବଳରେ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ରବିବାର ଭାରତ ଓ ଇଂଲଣ୍ଡ ମହିଳା କ୍ରିକେଟ୍ ଦଳ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳା ଯାଉଛି। ଇଂଲଣ୍ଡ ମହିଳା ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତ ପକ୍ଷରୁ ଶେଫାଳି ବର୍ମା ପଦାର୍ପଣ କରିଥିବା ବେଳେ ଏହି ଫର୍ମାଟରେ ଶିଖା ପାଣ୍ଡେ ଓ ତାନିଆ ଭାଟିଆଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ  ଘଟିଛି। ଶେଫାଳୀ ନିଜର ପଦାର୍ପଣ ମ୍ୟାଚ୍‌ରେ ୧୪ ବଲ୍‌ରୁ ୩ ଚୌକା ସହ ୧୫ ରନ କରି ଆଉଟ୍ ହୋଇଛନ୍ତି। ଖବର ଲେଖାଯିବା ସୁଦ୍ଧା ଭାରତୀୟ ଦଳ ୩୯ ଓଭରରେ ୪ ଓ୍ଵିକେଟ୍  ହରାଇ ୧୩୧ ରନ କରିଛି। ଅଧିନାୟକ ମିତାଲି ରାଜ ୪୬ ଏବଂ ଦୀପ୍ତି ଶର୍ମା ୧୯ ରନ କରି ଖେଳୁଛନ୍ତି। ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟର ଶିକାର ହୋଇ ୮୪ ରନରେ ୪ ଓ୍ଵିକେଟ୍ ହରାଇଥିଲା।

ତିନି ଫର୍ମାଟ୍‌ରେ ସବୁଠୁ କମ ବୟସରେ ପଦାର୍ପଣ କରିଥିବା ଖେଳାଳି

୧୭ ବର୍ଷ ୭ ଦିନ- ମୁଜିବ ଉର ରେହମାନ (ଆଫଗାନିସ୍ତାନ)

୧୭ ବର୍ଷ ୮୬ ଦିନ- ସେରା ଟେଲର (ଇଂଲଣ୍ଡ ମହିଳା କ୍ରିକେଟ୍‌ର)

୧୭ ବର୍ଷ ୧୦୪ ଦିନ- ଏଲିସ ପେରି (ଅଷ୍ଟ୍ରେଲିଆ ମହିଳା କ୍ରିକେଟର)

୧୭ ବର୍ଷ ୧୦୮ ଦିନ- ମହମ୍ମଦ ଆମିର (ପାକିସ୍ତାନ)

୧୭ ବର୍ଷ ୧୫୦ ଦିନ- ଶେଫାଳୀ ବର୍ମା (ଭାରତ ମହିଳା)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.