ସାହସିକତା ପାଇଁ ଲେଫ୍ଟନାଣ୍ଟ ବିମଳ ବେହେରାଙ୍କୁ ଶୌର୍ଯ୍ୟଚକ୍ର; ସମ୍ମାନିତ କଲେ ମହାମହିମ ରାଷ୍ଟ୍ରପତି

Published By : Prameya-News7 Bureau | July 07, 2024 IST

କେନ୍ଦ୍ରାପଡ଼ା୭/୭: ସାହସିକତା ପାଇଁ ଓଡ଼ିଆ ପୁଅ ତଥା ନୌସେନାରେ କାର୍ଯ୍ୟରତ ଲେଫ୍‌ଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ଶୌର୍ଯ୍ୟଚକ୍ର । ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ସମ୍ମାନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୀର ଯବାନଙ୍କୁ ସମ୍ମାନିତ କରିଛନ୍ତି ।

ଲେଫ୍ଟନାଣ୍ଟ ବିମଳ ରଞ୍ଜନଙ୍କୁ ଶୌର୍ଯ୍ୟଚକ୍ର ମିଳିବା ପରେ ଜନ୍ମମାଟି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ ଅଧୀନ ଜୁଆଣିଆ ପଞ୍ଚାୟତ ହଦୁଆ ଗାଁରେ ଆନନ୍ଦର ଲହରୀ ଖେଳିଯାଇଛି । ସବୁଠି ଉତ୍ସାହର ମାହୋଲ । ଗାଁ ପୁଅକୁ ଏଭଳି ସମ୍ମାନ ମିଳିଥିବାରୁ ଖୁସି କହିଲେ ନସରେ । ବିମଳଙ୍କ ବାପା ବିଶ୍ୱନାଥ ବେହେରା ମଧ୍ୟ ଜଣେ ପୂର୍ବତନ ସୈନିକ । ସେ ଭାରତୀୟ ସ୍ଥଳସେନାରେ କାର୍ଯ୍ୟରତ ଥିଲେ । ଫୋନ୍‌ରେ ବିଶ୍ୱନାଥଙ୍କ ପ୍ରତିକ୍ରିୟା ନେବା ବେଳେ ସେ କହିଛନ୍ତି କି, ପୁଅର ଏହି ସଫଳତା ପାଇଁ ମୁଁ ବହୁତ ଖୁସି । ୩୦ ବର୍ଷ ଧରି ସେନାରେ କାମ କରିବା ପରେ ମୁଁ ଯେଉଁ ଜାଗାରେ ପହଞ୍ଚିବା କଥା ପହଞ୍ଚି ପାରିନଥିଲି । ହେଲେ ପୁଅ ସେ ସ୍ଥାନରେ ପହଞ୍ଚି ପାରିଛି । ସେ ଜଣେ କମିଶନ ଅଫିସର ହୋଇ ପହଞ୍ଚି ପାରିଲା । ମୁଁ ସିପାହୀରୁ ଜୁନିଅର କମିଶନ ଅଫିସର  ରାଙ୍କ୍‌ ଯାଏ ଉନ୍ନୀତ ହୋଇଥିଲି । 

ବିଶ୍ୱନାଥଙ୍କ କହିବା ଅନୁସାରେ, ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ । ବିମଳ ପିଲା ବେଳୁ ସେ ବେଶ୍‌ ଭଲ ପଢ଼ୁଥିଲା । ଆର୍ମି ସ୍କୁଲରେ ପାଠପଢ଼ା ସାରିବା ପରେ ସେ ପୁନେରେ ମେରାଇନ ଇଞ୍ଜିନିୟରିଂରେ ବି.ଟେକ୍‌ କରିଥିଲା । ପରେ ଏମ୍‌.ଟେକ୍‌‌ ମଧ୍ୟ ଶେଷ କରିଥିଲା । ହେଲେ ସେ ଅନ୍ୟ ଚାକିରି କରିବା ବଦଳରେ ପିଲାଟି ବେଳୁ ନୌସେନାରେ ଯୋଗ ଦେବାକୁ ଆଗ୍ରହ ଦେଖାଇଥିଲା । ମୁଁ ସେନାରେ କାମ କରୁଥିବାରୁ ତାଙ୍କର ବି ଇଚ୍ଛା ଥିଲା ଦେଶମାତୃକାର ସେବା କରିବାକୁ । ଏଥିପାଇଁ ଆବଶ୍ୟକ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ୨୦୧୯ ମସିହାରେ ସେ ନୌସେନାରେ ଯୋଗ ଦେଇଥିଲେ । ଲେଫ୍ଟନାଣ୍ଟ ବିମଳ ରଞ୍ଜନ ଏବେ ବିଶାଖାପାଟଣାରେ କାର୍ଯ୍ୟରତ ଅଛନ୍ତି ବୋଲି ତାଙ୍କ ବାପା କହିଛନ୍ତି । 

ମାର୍ଚ୍ଚ ୨୦୨୩ରେ ଓଏନ୍‌ଜିସି, ଇନ୍ଧନ ଉତ୍ପାଦନ ସଂରକ୍ଷଣ ଓ ଅପ୍‌ଲୋଡିଂ ଜାହାଜରେ ଅପରେସନାଲ୍‌ ଏମର୍ଜେନ୍‌ସୀ ନେଇ ରିପୋର୍ଟ କରିଥିଲା । ଜାହାଜର ଇନ୍ଧନ ଉତ୍ତୋଳନ ବ୍ୟବସ୍ଥାରେ ମାଛଧରା ଜାଲ ଫସିଯିବାରୁ ହଠାତ୍‌ କାର୍ଯ୍ୟ ବନ୍ଦ କରିବାକୁ ପଡ଼ିଥିଲା । ଏଥିପାଇଁ ଭାରତୀୟ ନୌସେନାର ସହାୟତା ଲୋଡ଼ା ଯାଇଥିଲା । ଜଣେ ମୁଖ୍ୟ ଡାଇଭର ଭାବରେ ନିର୍ଭୀକ ହୋଇ ଆଗକୁ ବଢ଼ିଥିଲେ ଲେଫ୍‌ଟନାଣ୍ଟ ବିମଳ ରଞ୍ଜନ ବେହେରା । ଯେଉଁଠି ଜାହାଜ ଫସିଥିଲା, ସେଠାରେ କିଛି ଫୁଟ ଗଭୀରତା ପର୍ଯ୍ୟନ୍ତ ଡାଇଭିଂ କରିବା ଅତ୍ୟନ୍ତ ବିପଦପୂର୍ଣ୍ଣ ଥିଲା । ତଥାପି ଡାଇଭିଂ ଅପରେସନ୍‌ରେ ଯାଇଥିଲେ ବିମଳ । ୨୦୨୩ ମାର୍ଚ୍ଚ ୧୨ ତାରିଖ ରାତି ପ୍ରାୟ ୧୦ଟାରେ ଗଭୀର ଜଳରାଶିରେ ପ୍ରବେଶ କରିଥିଲେ । ସାହସିକତାର ସହ ୧୮ ଫୁଟ ତଳକୁ ଓହ୍ଲାଇଥିଲେ । ପାଣି ମାଡ଼ରେ ବିନା ବିଶ୍ରାମରେ ଡାଇଭିଂ ଜାରି ରଖିଥିଲେ । ପ୍ରତିକୂଳ ପରିସ୍ଥିତିରେ ସେ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲେ । ସଫଳତାର ସହ ଜାହାଜର ଗୋଟିଏ ପାଶ୍ୱର୍ରୁ ଅନ୍ୟ ପାଶ୍ୱର୍କୁ ୧୦୦ ଫୁଟ୍‌ ପାର କରି ଉକ୍ତ ଅଂଶରେ ପହଞ୍ଚିଥିଲେ । ବ୍ୟକ୍ତିଗତ ସୁରକ୍ଷାକୁ ଖାତିର ନକରି ଯେଉଁ ବୀରତ୍ୱ ଓ ଅଦମ୍ୟ ସାହସିକତା ଦେଖାଇଥିଲେ, ସେଥିପାଇଁ ତାଙ୍କୁ ସମ୍ମାନଜନକ ଶୌର୍ଯ୍ୟଚକ୍ର ପ୍ରଦାନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.