ମଲ୍ଲିକାର୍ଜୁନ ଖଡଗେଙ୍କ ସହ ସମସ୍ତଙ୍କ ସାମ୍ନାରେ ବିତର୍କ କରିବାକୁ ଚାହାନ୍ତି ଥରୁର ? କହିଲେ- ମୁଁ ପ୍ରସ୍ତୁତ

Published By : Prameya-News7 Bureau | October 02, 2022 IST

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଏବଂ ଲୋକସଭା ସାଂସଦ ଶଶି ଥରୁରଙ୍କ ମଧ୍ୟରେ ମୁକାବିଲା ହେବାକୁ ଯାଉଛି। ତେଣୁ ଦୁଇ ନେତା ନିଜ ନିଜର ପ୍ରଚାର ଆରମ୍ଭ କରି ଦେଇଛନ୍ତି। ଏହି କ୍ରମରେ ଥରୁର ରବିବାର କହିଛନ୍ତି ଯେ, ସାର୍ବଜନୀନ ମଞ୍ଚରେ ସେ ଖଡଗେଙ୍କ ସହିତ ବିତର୍କ କରିବାକୁ ଚାହାନ୍ତି ଏବଂ ଏଥିପାଇଁ ପ୍ରସ୍ତୁତ ଅଛନ୍ତି। ଏଥିରେ ପାର୍ଟିରେ ଉନ୍ମାଦନ ବଢିବ, ଯେମିତି  ନିକଟରେ ବ୍ରିଟେନ୍‌ରେ କଞ୍ଜରଭେଟିଭ୍‌ ପାର୍ଟିର ନେତୃତ୍ଵ ପଦକୁ ନେଇ ନିର୍ବାଚନ ହୋଇଥିଲା।

ଶଶି ଥରୁର ଏହା ମଧ୍ୟ କହିଛନ୍ତି,  କଂଗ୍ରେସ ପାର୍ଟିର ସଦସ୍ୟଙ୍କ ହୃଦୟରେ ନେହେରୁ-ଗାନ୍ଧୀ ପରିବାରଙ୍କ ପ୍ରତି ସର୍ବଦା ସ୍ଵତନ୍ତ୍ର ସ୍ଥାନ ରହିଛି। କଂଗ୍ରେସର ବର୍ତ୍ତମାନର ଆହ୍ଵାନ ନେତୃତ୍ଵ ଏବଂ ସଂଗଠନାତ୍ମକ ସୁଧାର ସଂଯୋଜନରେ ନିହିତ ରହିଛି। ସଂଗଠନର ଉଚ୍ଚସ୍ତରରେ ନେତୃତ୍ଵ ନେବାରେ ମୋର ବିଶ୍ଵସନୀୟ ଟ୍ରାକ ରେକର୍ଡ ରହିଛି। ମିଳିତ ଜାତିସଂଘର ଜନ ସୂଚନା ବିଭାଗର ଉପ ପ୍ରଭାରୀ ସାଧାରଣ ସଂପାଦକ ଭାବେ ମୁଁ ସମଗ୍ର ଦୁନିଆରେ ୭୭ କାର୍ଯ୍ୟାଳୟରେ ୮୦୦ରୁ ଅଧିକ କର୍ମୀଙ୍କୁ ନେଇ ସବୁଠୁ ବଡ ବିଭାଗର ଦାୟିତ୍ଵ ସମ୍ଭାଳିଥିଲି। ଏହାକୁ ନଜରରେ ରଖି ଅନେକ ଲୋକ ମୋତେ ମିଳିତ ଜାତିସଂଘର ନେତୃତ୍ଵ ନେବା ଲାଗି ନିର୍ବାଚନ ଲଢିବାକୁ ଅପିଲ୍ କରିଥିଲେ।

ସେପଟେ ମଲ୍ଲିକାର୍ଜୁନ ଖଡଗେ ରବିବାର କହିଥିଲେ, ଏହି ନିର୍ବାଚନରେ କାହାରି ବିରୋଧରେ ନୁହେଁ ବରଂ ପାର୍ଟିକୁ ମଜବୁତ କରିବାକୁ ଓହ୍ଲାଇଛି। ସେ ଏହି ଧାରଣାକୁ ମଧ୍ୟ ଖାରଜ କରିଛନ୍ତି ଯେ, ତାଙ୍କ ପ୍ରତି ଗାନ୍ଧୀ ପରିବାରର ସମର୍ଥନ ରହିଛି। କଂଗ୍ରେସର ଅନେକ ବରିଷ୍ଠ ଏବଂ ଯୁବ ନେତାଙ୍କ କହିବାନୁସାରେ ହିଁ ମଇଦାନକୁ ଓହ୍ଲାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.