ବିଦେଶୀ ମୁଦ୍ରାଭଣ୍ଡାରର ରେକର୍ଡ ଅଭିବୃଦ୍ଧି, ୬.୫ ବିଲିୟନ ଡଲାରରୁ ଅଧିକ ବଢିଲା ରିଜର୍ଭ

Published By : Prameya-News7 Bureau | November 05, 2022 IST

ମୁମ୍ବାଇ ୫।୧୧: ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଦୀର୍ଘ ସମୟ ପରେ ଫୋରେକ୍ସ ରିଜର୍ଭ ପକ୍ଷରୁ ଆଶ୍ୱସ୍ତି ମିଳିଛି। ଲଗାତାର ହ୍ରାସର ଚାପରେ ଥିବା ବୈଦେଶିକ ମୁଦ୍ରାଭଣ୍ଡାରକୁ ୨୮ ଅକ୍ଟୋବରରେ ଶେଷ ହୋଇଥିବା ସପ୍ତାହରେ ଅଭିବୃଦ୍ଧି ମିଳିଥିବା ଜଣାପଡିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ସୂଚନା ଅନୁସାରେ ୨୮ ଅକ୍ଟୋବରରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାରରେ ୬.୫୬ ବିଲିୟନ ଡଲାର ବୃଦ୍ଧି ହୋଇ ୫୬୧.୦୮ ବିଲିୟନ ଡଲାରକୁ ପହଞ୍ଚି ଯାଇଛି। ସେପ୍ଟେମ୍ବର ୨୦୨୧ ପରେ ବୈଦେଶିକ ମୁଦ୍ରାଭଣ୍ଡାରରେ ପ୍ରଥମ ଥର ଏପରି ଅଭିବୃଦ୍ଧି ଦେଖାଯାଇଛି।    

ଏହି ଅଭିବୃଦ୍ଧି ସହିତ ଲଗାତାର ୨ ସପ୍ତାହ ହେଲା ଜାରି ହ୍ରାସ ମଧ୍ୟ ସମାପ୍ତ ହୋଇଯାଇଛି। ଆରବିଆଇଙ୍କ ପକ୍ଷରୁ ଜାରି ତଥ୍ୟ ଅନୁସାରେ ସମାପ୍ତ ହୋଇଥିବା ସପ୍ତାହରେ ମୁଦ୍ରାଭଣ୍ଡାରରେ ଅଭିବୃଦ୍ଧି ଫରେନ କରେନ୍ସି ଆସେଟ୍(ଏଫସିଏ)ରେ ହୋଇଥିବା ରିକୋଭରି ଯୋଗୁ ସମ୍ଭବ ହୋଇଛି। ତଥ୍ୟ ଅନୁସାରେ ୨୮ ଅକ୍ଟୋବରରେ ସମାପ୍ତ ସପ୍ତାହରେ ମୁଦ୍ରାଭଣ୍ଡାରର ଗୁରୁତ୍ୱପୂର୍ଣ୍ଣ ଘଟକ ମନେ କରାଯାଉଥିବା ଏଫସିଏ ୫.୭୭ ବିଲିୟନ ବୃଦ୍ଧି ହୋଇ ୪୭୦.୮୪ ବିଲିୟନ ଡଲାର ହୋଇଯାଇଛି।

{"id":705009,"width":739,"height":554,"sizeSlug":"full","linkDestination":"none"}

ଏଫସିଏକୁ ଡଲାରରେ ଦର୍ଶାଯାଏ ଓ ରିଜର୍ଭରେ ରଖା ଯାଇଥିବା ଇୟୁରୋ, ପାଉଣ୍ଡ ଓ ଜାପାନୀ ଇୟେନ ଭଳି ଅଣ ଡଲାର କରେନ୍ସୀ ମୂଲ୍ୟରେ ହୋଇଥିବା ହ୍ରାସ ବୃଦ୍ଧିର ପ୍ରଭାବକୁ ମଧ୍ୟ ସାମିଲ କରାଯାଇଛି। ଅର୍ଥାତ ବୈଦେଶିକ ମୁଦ୍ରା ତୁଳନାରେ ଟଙ୍କାର ଉତ୍ତମ ପ୍ରଦର୍ଶନର ଲାଭ ବୈଦେଶିକ ମୁଦ୍ରାଭଣ୍ଡାରକୁ ମିଳିଛି। ସୂଚନା ଅନୁସାରେ ଦେଶର ଗୋଲ୍ଡ ରିଜର୍ଭ ମଧ୍ୟ ସପ୍ତାହକ ମଧ୍ୟରେ ବଢି ଯାଇଛି। ଭଣ୍ଡାରରେ ମହଜୁଦ ସ୍ୱର୍ଣ୍ଣ ମୂଲ୍ୟ ୫୫.୬ କୋଟି ଡଲାର ବଢି ୩୭.୭୬ ବିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚି ଯାଇଛି।

କେନ୍ଦ୍ରୀୟ ବ୍ୟାଙ୍କଙ୍କ ଅନୁସାରେ ବୈଦେଶିକ ମୁଦ୍ରା ଓ ସ୍ୱର୍ଣ୍ଣ ରିଜର୍ଭ ବୃଦ୍ଧି ସହ ଦେଶର ବିଶେଷ ଆହରଣ ଅଧିକାର (ଏସଡିଆର) ୧୮.୫ କୋଟି ଡଲାର ବଢି   ୧୭.୬୨ ବିଲିୟନ ଡଲାର ହୋଇଯାଇଛି। ପ୍ରାୟ ୧ ବର୍ଷ ପୂର୍ବେ ୨୦୨୧ ମସିହାରେ ଦେଶର ବିଦେଶୀ ମୁଦ୍ରାଭଣ୍ଡାର ୬୪୫ ବିଲିୟନ ଡଲାରର ରେକର୍ଡସ୍ତରକୁ ପହଞ୍ଚିଥିଲା। ତେବେ ବିଦେଶୀ ମୁଦ୍ରାଭଣ୍ଡାରରେ ହ୍ରାସର ମୁଖ୍ୟ କାରଣ ହେଉଛି ଟଙ୍କାର ମୂଲ୍ୟ ହ୍ରାସକୁ ରୋକିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଫୋରେକ୍ସ ରିଜର୍ଭର ସହାୟତା ନେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.