୩୫୦୦ ସେୟାର୍ସ କିଣି ଭୁଲିଗଲେ ବ୍ୟକ୍ତି: ବର୍ତ୍ତମାନ ତାର ମୂଲ୍ୟ ୧୪୪୮ କୋଟି ଟଙ୍କା, କିନ୍ତୁ ଦେବାକୁ ମନାକରୁଛି କମ୍ପାନୀ

Published By : Prameya-News7 Bureau | September 27, 2021 IST

କୋଚି ୨୭/୦୯ : କଥାରେ ଅଛି ଜୀବନ ଯେତେବେଳେ ଓଲଟା ଗତି କରେ କ୍ଷଣକେ ସବୁକିଛି ବଦଳିଯାଏ। କେରଳର ଜଣେ ବ୍ୟକ୍ତିଙ୍କ ସହ ଏମିତି ଏକ ଘଟଣା ଘଟିଛି। ୩୫୦୦ ସେୟର୍ସ କିଣିଥିବା ବ୍ୟକ୍ତି ଜଣକ କେବେ ଭାବିନଥିଲେ ଯେ ସେ କୋଟିପତି ହୋଇଯିବେ। ମାମଲା କେରଳ କୋଚିର। ବାବୁ ଜର୍ଜ ବାଲାବୀ ନାମକ ବ୍ୟକ୍ତି ୪୩ ବର୍ଷ ପୂର୍ବରୁ ୩୫୦୦ ସେୟାର୍ସ କିଣିଥିଲେ। କିନ୍ତୁ ପରେ ସେ ଭୁଲି ଯାଇଥିଲେ। ଆଜି ଏହି ସେୟାରର ମୂଲ୍ୟ ୧୪୪୮ କୋଟି ଟଙ୍କା ହୋଇଯାଇଛି ।

ସେୟାର୍ସ କିଣିଥିବା ୭୩ ବର୍ଷୀୟ ବାବୁ ଜର୍ଜ ଦାବି କରିଛନ୍ତି ଯେ, ୧୯୭୮ ମସିହାରେ ସେ ମେୱାଡ ଅଏଲ ଆଣ୍ଡ ଜେନେରାଲ ମିଲ୍ସ ଲିମିଟେଡ଼ର ୩୫୦୦ ସେୟାର୍ସ କିଣିଥିଲେ। ସେତେବେଳେ କମ୍ପାନୀ ରାଜସ୍ଥାନ ଉଦୟପୁରର ଏକ ଅନଲିମିଟେଡ଼ କମ୍ପାନୀ ଥିଲା। ସେୟର୍ସ କିଣିବା ପରେ ବାବୁ ଜର୍ଜ କମ୍ପାନୀରେ ୨.8 ପ୍ରତିଶତ ଷ୍ଟେକ ହୋଲ୍ଡର ହୋଇଯାଇଥିଲେ।

ସେତେବେଳେ କମ୍ପାନୀର ସଂସ୍ଥାପକ ଚେୟାରମ୍ୟାନ ପିପି ସିଂହଲ ଓ ସେ ବନ୍ଧୁ ଥିଲେ। ସେ କହିଛନ୍ତି, ଯେହେତୁ ସେୟାର୍ସ କିଣିବା ସମୟରେ କମ୍ପାନୀ ଅନଲିମିଟେଡ଼ ଥିଲା ଏବଂ କୌଣସି ଡିଭିଡେଣ୍ଡ ଦେଉନଥିଲା, ସେଥିପାଇଁ ସେ ଓ ତାଙ୍କ ପରିବାର ଏହି ନିବେଶ ସମ୍ପର୍କରେ ଭୁଲି ଯାଇଥିଲେ। କିନ୍ତୁ ୨୦୧୫ ମସିହାରେ ତାଙ୍କୁ ଏହି ନିବେଶ ସମ୍ପର୍କରେ ମନେପଡ଼ିଲା। ତାପରେ ସେ ଏ ସମ୍ପର୍କରେ ଯାଞ୍ଚ ଆରମ୍ଭ କରିଥିଲେ। ଯାଞ୍ଚ ବେଳେ ବାବୁ ଜର୍ଜ ଜାଣିବାକୁ ପାଇଲେ ଯେ କମ୍ପାନୀ ନାଁ ବଦଳାଇ ଏବେ ପିଆଇ ଇଣ୍ଡଷ୍ଟ୍ରିଜ ହୋଇଯାଇଛି। ଏହା ଏକ ଲିମିଟେଡ଼ କମ୍ପାନୀ।

କମ୍ପାନୀ ବାବୁଙ୍କ ବିରୋଧରେ ଅଭିଯୋଗ କରିଛି ଯେ ୧୯୮୯ ରେ କମ୍ପାନୀ ବେଆଇନ ଭାବେ ନକଲି ଡକ୍ୟୁମେଣ୍ଟ ବ୍ୟବହାର କରି ତାଙ୍କ ସେୟର୍ସ ଆଉ କାହାକୁ ବିକ୍ରି କରିଦେଇଛି। ଯାଞ୍ଚ ବେଳେ କମ୍ପାନୀ କହିଛି ଯେ ସେ ଏବେ ଆଉ କମ୍ପାନୀର ଅଂଶୀଦାର ନୁହେଁ।

କମ୍ପାନୀ ବାବୁ ଜର୍ଜଙ୍କ ଦାବିକୁ ନେଇ ଯାଞ୍ଚ କରିଥିଲା। ୨୦୧୬ ରେ ପିଆଇ ଇଣ୍ଡଷ୍ଟ୍ରିଜ ବାବୁଙ୍କୁ ମଧ୍ୟସ୍ଥତା ପାଇଁ ଦିଲ୍ଲୀ ଡାକିଥିଲା କିନ୍ତୁ ବାବୁ ମଧ୍ୟସ୍ଥତା ପାଇଁ ଅସ୍ବୀକାର କରିଦେଇଥିଲେ। ବାବୁଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରିବାକୁ କମ୍ପାନୀ ଦୁଇ ବରିଷ୍ଠ ଅଧିକାରୀଙ୍କୁ କେରଳ ପଠାଇଥିଲା। ତେବେ କମ୍ପାନୀ ସ୍ୱୀକାର କରିଛି ଯେ ବାବୁ ଜର୍ଜଙ୍କ ପାଖରେ ବର୍ତ୍ତମାନ ଯେଉଁ ଡକ୍ୟୁମେଣ୍ଟ ଅଛି ତାହା ଅସଲି। ତଥାପି କମ୍ପାନୀ ବର୍ତ୍ତମାନ ତାଙ୍କୁ ଟଙ୍କା ଦେବାକୁ ମନାକରିଛି। ବାବୁ ଜର୍ଜ ବର୍ତ୍ତମାନ ସେବିର ଦ୍ୱାରସ୍ଥ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.