ସେୟାର ବଜାରରେ ହ୍ରାସ ଜାରି, ସେନସେକ୍ସ ୧୧୧୪ଓ ନିଫ୍ଟି ଖସିଲା ୩୨୬ ପଏଣ୍ଟ,ନିବେଶକ ହତାସ
24/09/2020 at 5:37 PM

ମୁମ୍ବାଇ ୨୪।୯: ବମ୍ବେଷ୍ଟକ୍ ଏକ୍ସଚେଞ୍ଜ ମୁଖ୍ୟ ଇଣ୍ଡେକ୍ସ ସେନସେକ୍ସ ଗୁରୁବାର ୨.୯୬ପ୍ରତିଶତ ହ୍ରାସ ସହ ୧୧୧୪.୮୨ ପଏଣ୍ଟ ତଳେ ୩୬୫୫୩.୬୦ରେ ବନ୍ଦ ହୋଇଛି। ଏପରି ସ୍ଥଳେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ନିଫ୍ଟି ୨.୯୩ ପ୍ରତିଶତ ହ୍ରାସ ସହ ୧୦୮୦୫.୫୫ ସ୍ତରରେ ବନ୍ଦ ହୋଇଛି। ଫଳରେ କାରବାର ଶେଷରେ ବିଏସଇ ସୂଚୀବଦ୍ଧ କମ୍ପାନୀମାନଙ୍କର ବଜାର ପୁଞ୍ଜି ୧୫୨.୭୧ଲକ୍ଷ କୋଟିରୁ ୧୪୮.୯୮କୋଟିକୁ ଖସି ଆସିଛି।

ଗତ ୬ଟି ବ୍ୟବସାୟୀକ ଅଧିବେସନରେ ସେନସେକ୍ସ ଅନୁନ୍ୟ ୩ହଜାର ପଏଣ୍ଟ ହ୍ରାସ ହୋଇଛି। ଫଳରେ ନିବେଶକ ଅନୁନ୍ୟ ୧୦ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଏହା ପୂର୍ବ ସପ୍ତାହ ଅର୍ଥାତ ସେପ୍ଟେମ୍ବର ୧୬ ତାରିଖରେ ବଜାର ବନ୍ଦ ବେଳକୁ କାରବାର ବେଶ ଥିବା ଦେଖାଯାଇଥିଲା। ନିକଟରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବଜାରର ଏପରି ପରିସ୍ଥିତିରେ ନିବେଶକଙ୍କୁ ସେୟାର ବଜାରରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। କାରଣ ଅର୍ଥବ୍ୟବସ୍ଥାର ବାସ୍ତବିକ ସ୍ଥିତି ଏବେ ଜାଣି ହେଉନି। କରୋନା ପ୍ରକୋପ ଯୋଗୁ ୟୁରୋପ ପୁଣି ଥରେ ଲକଡାଉନ ଘୋଷଣା କରିବାକୁ ଯାଉଥିବା ଜଣାପଡିଛି। ଏହି ଖବର ସାରା ବିଶ୍ୱର ସେୟାର ବଜାରକୁ ପ୍ରଭାବିତ କରିଛି। ଏବେ ବଜାରରେ କେବଳ ବିକ୍ରି ଚାଲିଛି। ଯାହାର ପ୍ରଭାବ ଦେଶର ସେୟାର ବଜାର ଉପରେ ମଧ୍ୟ ଅନୁଭୂତ ହେଉଛି।

ସେହିପରି ଆମେରିକା ଫେଡେରାଲ ରିଜର୍ଭଙ୍କ ଭାଇସ୍ ଚେୟାରମ୍ୟାନ୍ ରିଚାର୍ଡ କ୍ଲାରିଡା ଦେଶର ଅର୍ଥ ବ୍ୟବସ୍ଥା ସୁସ୍ତିଆ ହୋଇଯାଇଥିବା କହିଛନ୍ତି। ଚାହିଦା ଓ ନିଯୁକ୍ତି ସୃଷ୍ଟି ହ୍ରାସ ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ପ୍ୟାକେଜ୍ ମଧ୍ୟ ନାହିଁ ବୋଲି କହିଛନ୍ତି। ଏଣୁ ଏହାର ପ୍ରଭାବ ସେୟାର ବଜାରରେ ଦେଖାଯାଉଛି। ଆମେରିକୀୟ ବଜାର ଡାଉଜୋନ୍ସ ୧.୯୨ପ୍ରତିଶତ ହ୍ରାସ ସହ ୫୨୫.୦୫ଅଙ୍କ ତଳକୁ ଯାଇ ବନ୍ଦ ହୋଇଥିବା ବେଳେ ନାସଡାକ୍ ୩.୧୬ ପ୍ରତିଶତ ହ୍ରାସ ସହ୩୫୩.୦୪ ପଏଣ୍ଟ ତଳକୁ ଖସିଛି। ସେହିପରି ଏସଏଣ୍ଡପି ୨.୩୭ ପ୍ରତିଶତ ହ୍ରାସ ସହ୭୮.୬୫ ପଏଣ୍ଟ ତଳକୁ ଖସିଛି। ଏସିୟ ବଜାରରେ ସାଂଘାଇ କମ୍ପୋଜିଟ୍ ୧.୫୧ ପ୍ରତିଶତ ହ୍ରାସ ସହ ୪୯.୫୯ ପଏଣ୍ଟ ତଳକୁ ଖସି ୩୨୩୦.୧୨ ସ୍ତରରେ ବନ୍ଦ ହୋଇଛି।